ନୂଆଦିଲ୍ଲୀ,୪।୩: ମଧ୍ୟପ୍ରାଚ୍ୟରେ ବଢ଼ୁଛି ଉତ୍ତେଜନା । ଇରାନ ସହିତ ଚାଲିଥିବା ସାମରିକ ଲଢେଇ ଭିତରେ ପାକିସ୍ତାନରେ ଥିବା ନିଜର କୂଟନୀତିଜ୍ଞଙ୍କ ସୁରକ୍ଷା ନେଇ ଆମେରିକା ନେଇଛି ବଡ଼ ପଦକ୍ଷେପ। ଆମେରିକାର ବୈଦେଶିକ ବିଭାଗ କରାଚୀ ଏବଂ ଲାହୋରରେ ଥିବା ଏହାର କନସୁଲେଟର ‘ଅଣ-ଜରୁରୀକାଳୀନ’ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ତୁରନ୍ତ ପାକିସ୍ତାନ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ୨୮ ଫେବୃଆରୀରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ହୋଇଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଖାମେନେଇଙ୍କ ହତ୍ୟାର ବିରୋଧରେ ପାକିସ୍ତାନର କରାଚୀ ଓ ଲାହୋରରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।ଆମେରିକାର ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରିବାକୁ ଚେଷ୍ଟା ହୋଇଥିଲା। ଏଥିରେ କରାଚୀରେ ହିଂସା ଯୋଗୁଁ ୯-୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଆମେରିକା ଦୂତାବାସର ଅଧିକାରୀଙ୍କ କହିବା ଅନୁସାରେ, ସୁରକ୍ଷା ବିପଦକୁ ଦେଖି ଆମେରିକା ବୈଦେଶିକ ବିଭାଗ ଲାହୋର ଓ କରାଚୀର ବାଣିଜ୍ୟ ଦୂତାବାସରୁ ‘ନନ୍ ଏମର୍ଜେନ୍ସିଂ’ ଷ୍ଟାଫ୍ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପାକିସ୍ତାନ ଛାଡିବାକୁ ନିର୍ଦେଶ ଦେଇଛି। ଏହି ସମୟରେ, ଲାହୋର, କରାଚୀ ଏବଂ ଇସଲାମାବାଦରେ ମାର୍ଚ୍ଚ ୬ ପର୍ଯ୍ୟନ୍ତ ସମସ୍ତ ଭିସା ନିଯୁକ୍ତି ବାତିଲ କରାଯାଇଛି।
ଆମେରିକା-ଇସ୍ରାଏଲ ଆକ୍ରମଣର ଜବାବରେ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା, ଯାହା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ପାକିସ୍ତାନରେ, ଖାମେନେଇଙ୍କ ମୃତ୍ୟୁକୁ ନେଇ ପ୍ରତିବାଦ ଆରମ୍ଭ ହୋଇଥିଲା। ବିଶେଷକରି ଶିୟା ସମ୍ପ୍ରଦାୟର ଲୋକେ ଅଧିକ ପ୍ରତିବାଦ କରିଥିଲେ। ଆମେରିକାର ଯାତ୍ରା ପରାମର୍ଶରେ ଚେତାବନୀ ଦେଇଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଯେ କୌଣସି ସମୟରେ ସମ୍ଭବ। ଆତଙ୍କବାଦୀମାନେ ହୋଟେଲ, ବଜାର, ମଲ୍, ବିମାନବନ୍ଦର, ସ୍କୁଲ, ହସ୍ପିଟାଲ, ପୂଜାସ୍ଥଳ ଏବଂ ସରକାରୀ କୋଠାଗୁଡ଼ିକୁ ଟାର୍ଗେଟ କରିପାରନ୍ତି। ଉଲ୍ଲେଖନୀୟ ଯେ, ଆମେରିକା ସାଉଦି ଆରବ, ଓମାନ ଏବଂ ସାଇପ୍ରସରୁ ‘ନନ୍ ଏମର୍ଜେନ୍ସିଂ’ ଷ୍ଟାଫ୍ଙ୍କୁ ସେଠାରୁ ଆସିବାକୁ କହିଛନ୍ତି।