ୱାଶିଂଟନ,୩୧/୧୦: ଆଉ ୫ ଦିନ ପରେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ । ଡୋନାଲ୍ଡ ଟ୍ରମ୍ପ୍‌ ଓ କମଳା ହାରିସଙ୍କ ମଧ୍ୟରୁ ଜଣକୁ ରାଷ୍ଟ୍ରପତି ବାଛିବେ  ଦେଶବାସୀ । ଜନତାଙ୍କ ସମର୍ଥନ ସାଉଁଟିବା ପାଇଁ ଉଭୟ  ନେତା ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି । ସେଲିବ୍ରିଟିମାନେ ମଧ୍ୟ ନିଜ ପସନ୍ଦର ନେତାଙ୍କ ପାଇଁ ପ୍ରଚାର ମଇଦାନକୁ  ଓହ୍ଲାଇଛନ୍ତି । ଏହି କ୍ରମରେ ଆମେରିକାର ପ୍ରଖ୍ୟାତ  ସିଙ୍ଗର ଜେନିଫର ଲୋପେଜ କମଳାଙ୍କ ସମର୍ଥନରେ  ପ୍ରଚାର କରିବାକୁ ପ୍ରସ୍ତୁତ ହୋଇଛନ୍ତି । 

ଗୁରୁବାର ଲାସ ଭେଗାସରେ ହେବାକୁ ଥିବା କମଳାଙ୍କ  ‘ହ୍ୱେନ୍‌ ୱି ଭୋଟ ୱି ୱିନ୍‌’ ରାଲିରେ ଜେନିଫର ସାମିଲ  ହେବେ । ଜେନିଫରଙ୍କୁ ଦେଖିବା ପାଇଁ ରାଲିରେ ପ୍ରବଳ  ଜନସମାଗମ ହେବ, ଯାହା କମଳାଙ୍କ ଲାଗି ବେଶ୍‌  ଲାଭଦାୟକ ହୋଇପାରେ । ରାଲି ସମୟରେ ଜେନିଫର  ମଧ୍ୟ ଜନତାଙ୍କୁ ମଞ୍ଚରୁ ସମ୍ବୋଧନ କରିବେ । କମଳାଙ୍କ  ଲାଗି ସେ ଭୋଟ ମାଗିବେ । ଏହା ପୂର୍ବରୁ ବିୟୋନ୍ସେ ଓ  ଲିଓନୋର୍ଡୋ ଡିକାପ୍ରିଓଙ୍କ ଭଳି ଆଗ ଧାଡ଼ିର ସେଲିବ୍ରିଟି  କମଳାଙ୍କ ପାଇଁ ପ୍ରଚାର କରିସାରିଛନ୍ତି । ନଭେମ୍ବର ୫ରେ  ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ।