ନୂଆଦିଲ୍ଲୀ ୩୦/୦୬: ଏଆଇ ଫଟୋକୁ ନେଇ ପୁଣି ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏ ଥର ସେ ଟ୍ରୁଥ୍ ସୋସିଆଲରେ ଏଭଳି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଗ୍ରୀକ୍ ପୌରାଣିକ ଚରିତ୍ର ଆଟ୍ଲାସଙ୍କ ଭଳି ଗୋଟିଏ ଆଣ୍ଠୁରେ ବସିଛନ୍ତି ଏବଂ ପୃଥିବୀକୁ ନିଜ କାନ୍ଧରେ ଉଠାଇଛନ୍ତି । ତାଙ୍କ ଶରୀରରେ ଆମେରିକା ପତାକା ମଧ୍ୟ ଗୁଡ଼ାଇ ହୋଇଛି । ଫଟୋ ସହିତ ଟ୍ରମ୍ପ୍ କୌଣସି କ୍ୟାପ୍ସନ ଲେଖିନାହାନ୍ତି । ସୋସିଆଲ ମିଡିଆରେ ଏହାର ଭିନ୍ନ ଭିନ୍ନ ଅର୍ଥ ବାହାର କରାଯାଉଛି ।
ଗ୍ରୀକ୍ ପୌରାଣିକ କଥା ଅନୁସାରେ, ଆଟ୍ଲାସ୍ ଜଣେ ଶକ୍ତିଶାଳୀ ଟାଇଟନ୍ ଥିଲେ । ଦେବତାଙ୍କ ବିରୋଧରେ ଯୁଦ୍ଧରେ ହାରିବା ପରେ ତାଙ୍କୁ ଦଣ୍ଡ ମିଳିଲା, ସେ ସର୍ବଦା ପୃଥିବୀର ଭାର ନିଜ କାନ୍ଧରେ ଉଠାଇ ରଖିବେ । ସେଥିପାଇଁ କୌଣସି ବଡ଼ ବୋଝ କିମ୍ବା ଗୁରୁ ଦାୟିତ୍ୱର ପ୍ରତୀକ ସ୍ୱରୂପ ଆଟ୍ଲାସଙ୍କ କଥା ଉଠେ । ଟ୍ରମ୍ପ୍ ଏହି ଫଟୋ ଜରିଆରେ ନିଜକୁ ଜଣେ ଶକ୍ତିଶାଳୀ ନେତା ରୂପେ ଦର୍ଶାଇଛନ୍ତି, ଯିଏ ବିଶ୍ୱର ଭାର ସମ୍ଭାଳିପାରେ । କିଛି କହୁଛନ୍ତି, ବିଶ୍ୱର ବଡ଼ ସଙ୍କଟ ସହ ମୁକାବିଲାରେ ସକ୍ଷମ ବୋଲି ଟ୍ରମ୍ପ୍ ଚିତ୍ର ମାଧ୍ୟମରେ ଦର୍ଶାଇବାକୁ ଚାହୁଁଛନ୍ତି । ଆଉ କିଛି ଏହାକୁ ଅହଂକାର ଓ ଆତ୍ମ-ପ୍ରଚାର ବୋଲି କହିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଟ୍ରମ୍ପ୍ ଦୀର୍ଘ ସମୟ ଧରି ନିଜକୁ ନିଜ ଛବିଠୁ ବହୁ ଉର୍ଦ୍ଧରେ ଦେଖାଇବାକୁ ଚେଷ୍ଟା କରିଆସୁଛନ୍ତି । ଏହା ପୂର୍ବରୁ ଟ୍ରମ୍ପ୍ ନିଜର ଅନେକ ଏଆଇ ଛବି ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜକୁ ଅସାଧାରଣ ବା ଐତିହାସିକ ବ୍ୟକ୍ତିତ୍ୱ ଭାବେ ଦର୍ଶାଇଛନ୍ତି ।
ଆହୁରି ପଢ଼ନ୍ତୁ...ନିଜ ଅଧିକାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି ସି ଜିନପିଙ୍ଗ, ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ଆସିଥିଲା ଅଭିଯୋଗ…