ନୂଆଦିଲ୍ଲୀ, ୨।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପୁରୁଣା ଜିଦ୍‌କୁ ପୂରଣ କରିବାକୁ ଯାଉଛନ୍ତି । ଜର୍ମାନୀରେ ମୁତୟନ ଥିବା ପ୍ରାୟ ୫,୦୦୦ ଆମେରିକୀୟ ସୈନିକଙ୍କୁ ଆଗାମୀ ୬ ରୁ ୧୨ ମାସ ମଧ୍ୟରେ ସେଠାରୁ ପ୍ରତ୍ୟାହାର କରାଯିବ ବୋଲି ପେଣ୍ଟାଗନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଇରାନ ସହ ଯୁଦ୍ଧ ଏବଂ ନାଟୋ ସହଯୋଗୀଙ୍କ ସହ ଟ୍ରମ୍ପଙ୍କ ବଢ଼ୁଥିବା ବିବାଦ ମଧ୍ୟରେ ଏହି ନିଷ୍ପତ୍ତି ପଶ୍ଚିମା ଦେଶଗୁଡ଼ିକ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ସେନା ପ୍ରତ୍ୟାହାର ପଛରେ ଜର୍ମାନୀ ଚାନ୍ସେଲର ଫ୍ରିଡରିକ୍ ମର୍ଜ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ବାକ୍-ଯୁଦ୍ଧକୁ ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଚାନ୍ସେଲର ମର୍ଜ୍ କହିଥିଲେ ଯେ ଇରାନ ନେତୃତ୍ୱ ଆଗରେ ଆମେରିକା "ଅପମାନିତ" ହେଉଛି । ଏଥିସହିତ ସେ ଇରାନ ଯୁଦ୍ଧରେ ୱାଶିଂଟନର କୌଣସି ସଠିକ୍ ରଣନୀତି ନଥିବା ନେଇ ସମାଲୋଚନା କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଜର୍ମାନ ନେତାଙ୍କୁ ଇରାନ ଅପେକ୍ଷା ନିଜ ଦେଶର ଭଙ୍ଗା ଅବସ୍ଥା ସୁଧାରିବା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । ପେଣ୍ଟାଗନ ମୁଖପାତ୍ର ସିନ୍ ପାର୍ନେଲ କହିଛନ୍ତି ଯେ, ୟୁରୋପରେ ଆମେରିକୀୟ ସେନାର ସ୍ଥିତି ଏବଂ ବର୍ତ୍ତମାନର ଯୁଦ୍ଧ କ୍ଷେତ୍ରର ଆବଶ୍ୟକତାକୁ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଜର୍ମାନୀରେ ପ୍ରାୟ ୩୬,୦୦୦ ଆମେରିକୀୟ ସୈନିକ ଅଛନ୍ତି, ଯାହାର ୧୪ ପ୍ରତିଶତ ସେନା ଏବେ ସେଠାରୁ ବିଦାୟ ନେବେ ।

ଜର୍ମାନୀରେ ଆମେରିକାର ଅନେକ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି ରହିଛି, ଯେପରିକି ରାମଷ୍ଟାଇନ୍ ଏୟାର ବେସ୍, ୟୁରୋପ ଏବଂ ଆଫ୍ରିକା କମାଣ୍ଡର ମୁଖ୍ୟାଳୟ, ଗୁରୁତ୍ୱପୂର୍ଣ୍ଣ ଆଣବିକ କ୍ଷେପଣାସ୍ତ୍ର କେନ୍ଦ୍ର, ରାଜନୈତିକ ବିରୋଧ ଏବଂ ସୁରକ୍ଷା ଚିନ୍ତା । ଆମେରିକା କଂଗ୍ରେସର ଡେମୋକ୍ରାଟିକ୍ ସଦସ୍ୟମାନେ ଏହି ପଦକ୍ଷେପକୁ ଘୋର ବିରୋଧ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏହି ନିଷ୍ପତ୍ତି ଦ୍ୱାରା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଲାଭବାନ ହେବେ ଏବଂ ୟୁରୋପରେ ରୁଷର ପ୍ରଭାବ ବଢ଼ିବ । ସିନେଟର ଜ୍ୟାକ୍ ରିଡ୍ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଏଭଳି ଖାମଖିଆଲି ନିଷ୍ପତ୍ତି ଯୋଗୁଁ ବିଶ୍ୱରେ ଆମେରିକାର ମିତ୍ର ଦେଶମାନେ ନିଜକୁ ଅସୁରକ୍ଷିତ ମଣିବେ । ଏହା ପ୍ରଥମ ଥର ନୁହେଁ, ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଜର୍ମାନୀରୁ ୯,୫୦୦ ସୈନିକ ହଟାଇବାକୁ ଘୋଷଣା କରିଥିଲେ। କିନ୍ତୁ, ୨୦୨୧ରେ ଜୋ ବାଇଡେନ କ୍ଷମତାକୁ ଆସିବା ପରେ ସେହି ନିଷ୍ପତ୍ତିକୁ ବାତିଲ କରିଦେଇଥିଲେ । କିନ୍ତୁ, ବର୍ତ୍ତମାନ ୨୮ ଫେବୃଆରୀରୁ ଆରମ୍ଭ ହୋଇଥିବା ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଟ୍ରମ୍ପ ନିଜର ଜିଦ୍ରେ ଅଟଳ ରହିଛନ୍ତି । ୟୁରୋପରେ ବର୍ତ୍ତମାନ ପ୍ରାୟ ୮୦,୦୦୦ରୁ ୧,୦୦,୦୦୦ ଆମେରିକୀୟ ସେନା ମୁତୟନ ଅଛନ୍ତି । ଯଦି ଜର୍ମାନୀରୁ ସେନା ପ୍ରତ୍ୟାହାର ହୁଏ, ତେବେ ଏହା କେବଳ ସାମରିକ ନୁହେଁ ବରଂ ଆମେରିକା ଓ ୟୁରୋପର ସମ୍ପର୍କରେ ଏକ ବଡ଼ ଫାଟ ସୃଷ୍ଟି କରିବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ... Donald Trump : 'ପରମାଣୁ ବମ୍ ହାତରେ ପଡ଼ିଲେ ଦୁନିଆକୁ ଧ୍ଵଂସ କରିଦେବ ଇରାନ, ଖଣ୍ଡ ଖଣ୍ଡ ହୋଇଯିବ ମଧ୍ୟପ୍ରାଚ୍ୟ ଏବଂ ୟୁରୋପ'