କେନ୍ଦୁଝର,୨୮/୦୪: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି।
ମଧୁସୂଦନ ଦାସ। ଓଡ଼ିଆ ସ୍ୱାଧୀନତା ସଂଗ୍ରାମ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ ।
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ତାଙ୍କ ଆଜୀବନ ସଂଗ୍ରାମକୁ କେବେ ବି ଭୁଲିପାରିବେନି ଓଡ଼ିଶାବାସୀ। ତାଙ୍କର ପ୍ରଚେଷ୍ଟାର ଫଳସ୍ବରୁପ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।
ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ। ଗୋଟିଏ ଜମିଦାର କରଣ ପରିବାରରେ ମଧୁବାବୁଙ୍କ ଜନ୍ବ। ମଧୁସୂଦନଙ୍କ ପ୍ରଥମ ନାଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ ।
ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ସାମାଜିକ ଚଳଣି ଅନୁସାରେ ତାଙ୍କ ପିତା ତାଙ୍କ ସହ ସମ୍ବନ୍ଧ ତୁଟାଇ ଦେଇଥିଲେ । ସତ୍ୟଭାମାପୁରଠାରେ ଥିବା ତାଙ୍କ ଏନ୍ତୁଡ଼ିଶାଳକୁ ଇନଟାକ ତରଫରୁ ପୁନରୁଦ୍ଧାର କରି ତାକୁ ମୂଳ ଢାଞ୍ଚାରେ ଆଉଥରେ ତିଆରି କରାଯାଇଛି ।