ଭୁବନେଶ୍ୱର, ୨୯/୦୧ : ମୋହନ ସରକାରଙ୍କ ପ୍ରଥମ ନିବେଶ ସମ୍ମେଳନ ‘ଉତ୍କର୍ଷ ଓଡ଼ିଶା’ର ପ୍ରଥମ ଦିନରେ ଓଡ଼ିଶାକୁ ଛୁଟିଛି ନିବେଶ ସୁଅ। ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିଛନ୍ତି ଦେଶ ବିଦେଶର ନାମୀଦାମୀ ଶିଳ୍ପ କ୍ୟାପ୍‌ଟେନ୍‌ମାନେ। ପ୍ରଥମ ଦିନରେ ମିଳିଛି ପାଖାପାଖି ସାଢେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି। ମୋଟ ୫୪ଟି ଏମ୍‌ଓୟୁ ସ୍ୱାକ୍ଷର ହୋଇଥିବା ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। 

ସୂଚନାନୁଯାୟୀ, ନିବେଶ ସମ୍ମେଳନର ପ୍ରଥମ ଦିନରେ ନିବେଶ ସମ୍ଭାବନାଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୦୦ ସିଇଓଙ୍କ ସହ ଆଲୋଚନା କରିଛନ୍ତି। ଆଦାନି ଗ୍ରୁପ୍‌ ସବୁଠୁ ବଡ଼ ଏମ୍‌ଓୟୁ ସ୍ୱାକ୍ଷର କରିଛି । କମ୍ପାନି ଆଗାମୀ ୫ ବର୍ଷରେ ଓଡ଼ିଶାରେ ୨.୨୮ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି । ଶକ୍ତି, ସିମେଣ୍ଟ, ଶିଳ୍ପ ପାର୍କ, ଆଲୁମିନିୟମ୍‌ ଆଦି କ୍ଷେତ୍ରରେ କମ୍ପାନି ଏହି ପୁଞ୍ଜି ଖଟାଇବ। ମାଲ୍‌କାନାଗିରିରେ କମ୍ପାନୀ ଏକ ସିମେଣ୍ଟ କାରଖାନା କରିବ। ଗୋପାଳପୁର ଏବଂ ଧାମରା ପୋର୍ଟର ସମ୍ପ୍ରସାରଣ କରିବ । ଧାମରାରେ କମ୍ପାନି ଏକ ଶିଳ୍ପ ପାର୍କ ସ୍ଥାପନ କରିବ । ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍‌ର ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସ୍‌ଡବ୍ଲ୍ୟୁ ଏମ୍‌ଓୟୁ କରିଛି । ଏଥିରେ କମ୍ପାନି ୩୦,୦୦୦ରୁ ୪୦,୦୦୦ କୋଟି ଟଙ୍କା ନିବେଶ କରିବ । ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସ୍‌ପିଏଲ୍‌ ବି କେନ୍ଦୁଝରରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ବୋଲି ଆଗ୍ରହ ଦେଖାଇଛି । ଏହା ସହ ବ୍ୟାପକ ସମ୍ପ୍ରସାରଣ ଯୋଜନା ରଖିଛି କମ୍ପାନି । ଆଗାମୀ ୬ ବର୍ଷରେ ରାଜ୍ୟରେ ଆଉ ୭୦ ହଜାର କୋଟି ନିବେଶ କରିବ  । 

ଏହି ଖବରଟିକୁ ପଢନ୍ତୁ-ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଶେଷ ଦିନ, ୧୦ଟି ସେସନ୍‌ ଉପରେ ହେବ ଆଲୋଚନା

ବିର୍ଲା ଗ୍ରୁପ୍‌ ସହ ନୂଆ କପର ଫୋଏଲ୍‌ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ହୋଇଛି । ଆଲୁମିନିୟମ କ୍ଷେତ୍ରରେ ରାଜ୍ୟରେ ଦୃଢ଼ ଉପସ୍ଥିତି ଥିବା ବେଦାନ୍ତ ଆଲୁମିନିୟମ୍‌ ୧ ଲକ୍ଷ କୋଟି ଟଙ୍କାର ନିବେଶ ଲାଗି ଏମ୍‌ଓୟୁ କରିଛି । କମ୍ପାନି ରାୟଗଡାରେ ନୂଆ ନିବେଶ ଯୋଜନା ରଖିଛି । । ଏଠାରେ ୬ ନିୟୁତ ଟନ୍‌ର ରିଫାଇନାରି ଏବଂ ୩୦ ଲକ୍ଷ ଟନ୍‌ର ସ୍ମେଲ୍‌ଟର ପ୍ଲାଣ୍ଟ ବସାଇବ କମ୍ପାନି ବୋଲି ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି  । ଏଥି ସହିତ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କମ୍ପାନିର ଯୋଜନାଗୁଡ଼ିକ ମଧ୍ୟରେ ଏକ ୩ ଏମ୍‌ଟିପିଏ ଆଲୁମିନିୟମ୍‌ ପ୍ଲାଣ୍ଟ ଏବଂ ଏକ ଆଲୁମିନିୟମ୍‌ ପାର୍କ ରହିଛି । ଆଲୁମିନିୟମ ଉତ୍ପାଦର ଡାଉନ୍‌ଷ୍ଟ୍ରିମ୍‌ ଉତ୍ପାଦକମାନଙ୍କ ପାଇଁ ଏହା ହେବ ପ୍ରମୁଖ ହବ୍‌ । ଏହି ପ୍ରକଳ୍ପ ବିଶ୍ୱ ଆଲୁମିନିୟମ୍‌ ମୂଲ୍ୟ ଶୃଙ୍ଖଳରେ ଓଡ଼ିଶାର ମହତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ସହ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଅଟୋମୋଟିଭ୍‌, ଶକ୍ତି, ନିର୍ମାଣ ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅଭିବୃଦ୍ଧି ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ । 

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ଓଡ଼ିଶାରେ ୭୦ ହଜାର କୋଟି ଟଙ୍କା ନିବେଶ ଯୋଜନା ରଖିଛି । କମ୍ପାନିର ଅଧ୍ୟକ୍ଷ ଅରବିନ୍ଦର ସିଂ ସାହାଣି କହିଛନ୍ତି ଯେ, ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ନିବେଶ ହୋଇଛି। ନୂଆ କରି ୭୦ ହଜାର କୋଟି ଟଙ୍କା ନିବେଶ ହେବ । ପାରାଦୀପ ଏବଂ ଭଦ୍ରକରେ ଏହି ନିବେଶ ହେବ ବୋଲି । ଦ୍ୱିତୀୟ ଦିନରେ ନିବେଶ ପ୍ରତିଶ୍ରୁତିଗୁଡ଼ିକୁ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରକାଶ କରିଛନ୍ତି । ବୁଧବାର ଇଲେକ୍ଟ୍ରୋନିକ୍ସ, ଆଇଟି, ଅକ୍ଷୟ ଶକ୍ତି, କୃଷି ଆଦି କ୍ଷେତ୍ର ପାଇଁ ଚୁକ୍ତି ହେବ ବୋଲି ସେ ସୂଚନା ଦେଇଛନ୍ତି ।