ସାଲେପୁର, ୦୧/୦୨: ପ୍ରଦଷଣ ରୋକିବା ପାଇଁ ସରକାର ସମସ୍ତ ଯାନ ବାହାନର ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରିଛନ୍ତି । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲମ୍ବା ଲାଇନ୍ ଲାଗୁଛି । ସାଲେପୁର ଅଞ୍ଚଳରେ ୨ଟି ସରକାରୀ ସ୍ୱୀକୃତିପ୍ରାପ୍ତ ପଲ୍ୟୁସନ୍ ସେଣ୍ଟର ରହିଥିବା ବେଳେ ଜନୈକ ବ୍ୟକ୍ତିଙ୍କ ଘରେ ବିନା ରେଜିଷ୍ଟ୍ରେସନ୍ରେ ଗାଡ଼ିର ଫଟୋ ଉଠାଇ ପଲ୍ୟୁସନ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ ହେଉଛି ।
ଅଭିଯୋଗରୁ ପ୍ରକାଶ ଯେ, ଓଡ଼ିଶାରେ ଦୁଇଚକିଆଠାରୁ ଚାରିଚକିଆ ଯାନର ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ୍ ସେଣ୍ଟର ପକ୍ଷରୁ ପଲ୍ୟୁସନ୍ ଟେଷ୍ଟିଂ କରିବା ସହ ଗାଡ଼ି ମାଲିକଙ୍କ ମୋବାଇଲକୁ ଓ.ଟି.ପି ଆସିଥାଏ । ଓଟିପି ଆସିବା ପରେ ପଲ୍ୟୁସନ୍ ସାର୍ଟିଫିକେଟ୍ ମିଳିଥାଏ । ହେଲେ ସାଲେପୁର ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉତ୍ତରପ୍ରଦେଶ ରାଜ୍ୟର ପଲ୍ୟୁସନ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି । ଏହି ସେଣ୍ଟରକୁ ଯେଉଁ ଗାଡ଼ି ମାଲିକ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଯାଉଛନ୍ତି । ସଂପୃକ୍ତ ସେଣ୍ଟରରେ ଗାଡ଼ିର ଫଟୋ ଉଠାଇ ଗାଡ଼ି ମାଲିକଙ୍କୁ ବିନା ଓଟିପିରେ ଉତ୍ତରପ୍ରଦେଶ ରାଜ୍ୟର ପଲ୍ୟୁସନ୍ ସାର୍ଟିଫିକେଟ୍ ଦିଆଯାଉଥିବା ଅଭିଯୋଗ ହେଉଛି । ଏହି ସାର୍ଟିଫିକେଟ୍ର ବୈଧତା ଉପରେ ଗାଡ଼ି ମାଲିକମାନେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ପରିବହନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।