ଭୁବନେଶ୍ୱର, ୦୭/୦୫ : ଭାରରେ ଚାଲିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ବିଭାଗ ଅଧୀନ ବିଭିନ୍ନ ଏକାଡେମୀ, ସମ୍ପୃକ୍ତ କାର୍ଯ୍ୟାଳୟରେ ଜିଲ୍ଲାସ୍ତରରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ ବହୁ ପଦବି ଖାଲି ପଡ଼ିଛି। ଅତିରିକ୍ତ ତଥା ଭାରପ୍ରାପ୍ତ ଦାୟିତ୍ୱ ସମ୍ଭାଳିଛନ୍ତି ବିଭାଗୀୟ ଅଧିକାରୀ । ଏନେଇ ଗତ ବିଧାନସଭା ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଖାଲି ଥିବା ପଦବି ପୂରଣ ନିମନ୍ତେ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ ଏହା କେବେ ହେଉଛି ଦେଖିବା ବାକି ରହିଲା । କାରଣ ଏମିତି ଏମିତିରେ ଦୁଇ ବର୍ଷ ବିତିଗଲା । ରାଜ୍ୟର ୩୦ ଜିଲ୍ଲାରୁ ୧୫ଟିରେ ଜିଲ୍ଲା ସଂସ୍କୃତି ଅଧିକାରୀ (ଡିସିଓ) ଅଛନ୍ତି । ବାକି ୧୫ଟି ଜିଲ୍ଲାରେ ପଦବି ଖାଲି ଅଛି । ସେହି ସ୍ଥାନରେ ସମ୍ପୃକ୍ତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । 

ଇତି ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ବର୍ଗକୁ ପୁନର୍ଗଠନ କରାଯାଇଛି । ଖାଲିଥିବା ୧୫ଟି ଡିସିଓ ପଦବି ପୂରଣ ପାଇଁ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଗତ ଫେବୃଆରୀ ୨୬ ତାରିଖରେ ପତ୍ର ଲେଖି ଅନୁରୋଧ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀରେ ଉପସଭାପତି ପଦବି ୨୦ ମେ’ ୨୦୨୪ ଠାରୁ ଖାଲି ପଡ଼ିଛି । ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ କମିଟି କାର୍ଯ୍ୟକାଳ ୨୩ ଜୁଲାଇ ୨୦୨୩ ଠାରୁ ଶେଷ ହୋଇଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀର କାର୍ଯ୍ୟକାରୀ କମିଟି କାର୍ଯ୍ୟକାଳ ୯ ଜୁଲାଇ ୨୦୨୪ ଠାରୁ ଶେଷ ହୋଇଯାଇଛି । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର କାର୍ଯ୍ୟକାରୀ କମିଟି କାର୍ଯ୍ୟକାଳ ୩୧ ଅକ୍ଟୋବର ୨୦୨୫ ଠାରୁ ଶେଷ ହୋଇଯାଇଛି । କାର୍ଯ୍ୟକାଳ ଶେଷ ହୋଇଯାଇଥିବା କାର୍ଯ୍ୟକାରୀ କମିଟି ପୁନର୍ଗଠନ ନିମନ୍ତେ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଖାଲି ପଦବିରେ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବିଭାଗ ଅଧୀନ ଏମିତି କୌଣସି ଅନୁଷ୍ଠାନ ବା କାର୍ଯ୍ୟାଳୟ ନାହିଁ, ଯେଉଁଠି ଭାରରେ ଆଉ ଠିକାରେ କାମ ଚାଲୁନି ।

​​​​​​​  

ଏହାବାଦ୍‌ ବିଭିନ୍ନ କାରଣରୁ ବିଭାଗ ପକ୍ଷରୁ ପ୍ରଦତ୍ତ ଭିନ୍ନ ଭିନ୍ନ ପୁରସ୍କାର ଅଟକିଛି । ଓଡ଼ିଆ ଭାଷାରେ ଉଚ୍ଚତର ଗବେଷଣା ଓ ପ୍ରଚାର, ପ୍ରସାରରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଦିଆଯାଉଥିବା ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’ ୨୦୨୨ରୁ ଦିଆଯାଇନି । ସେହିପରି ୨୦୨୪ ଓ ୨୦୨୫ ବର୍ଷ ପାଇଁ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଦିଆଯାଇନାହିଁ । ତେବେ ଖୁବ୍‌ଶୀଘ୍ର ଦେବା ଲାଗି ନୂତନ ଭାବେ ଗଠିତ ହେବାକୁ ଥିବା ସାଧାରଣ ଓ କାର୍ଯ୍ୟକାରୀ ପରିଷଦରେ ଏହାକୁ ଉପସ୍ଥାପିତ କରାଯାଇ ବିଧିବଦ୍ଧ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । 

ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନଥିବା ଜିଲ୍ଲା
କଳାହାଣ୍ଡି, ବୌଦ୍ଧ, ଢ଼େଙ୍କାନାଳ, ଗଞ୍ଜାମ, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ନୂଆପଡ଼ା, ନୟାଗଡ଼, ବରଗଡ଼, କନ୍ଧମାଳ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼।

ଏହି ଖବରଟିକୁ ପଢନ୍ତୁସମୟ ଅନୁସାରେ ବଦଳୁଛି ଟ୍ରେଣ୍ଡ୍ : ଇନ୍‌ଫ୍ଲୁଏନସର୍‌ଙ୍କ ଆଗରେ କଳାକାର ଫିକା, ସାଟେଲାଇଟ୍ ପ୍ରମୋସନଠୁ ନେଉଛନ୍ତି ଅଧିକ ଟଙ୍କା