ଭୁବନେଶ୍ୱର, ୦୭/୦୫ (ମନୋରଞ୍ଜନ ମହାନ୍ତି): ଓଡ଼ିଆ ସିନେମାରେ ସର୍ବେସର୍ବା ଇନ୍ଫ୍ଲୁଏନ୍ସର୍ । ଏବେ ସେ ଯାହା ଚାହୁଁଛନ୍ତି ସେଇଆ ହେଉଛି । ଚଳଚ୍ଚିତ୍ରରେ ଜଣେ କଳାକାରଠୁ ଅଧିକ ପାରିଶ୍ରମିକ ପାଉଛନ୍ତି ସେହି ଫିଲ୍ମର ପ୍ରଚାର, ପ୍ରସାର ଦାୟିତ୍ୱ ମୁଣ୍ଡାଇଥିବା ଇନ୍ଫ୍ଲୁଏନ୍ସର୍। ସିନେମାର କଳାକାର ହୁଅନ୍ତୁ କିମ୍ବା ଟିମ୍ ସହ ଜଡ଼ିତ ଅନ୍ୟ କେହି ଯଦି ଅଧିକ ପାରିଶ୍ରମିକ ଚାହୁଁଛନ୍ତି ତେବେ ତାଙ୍କୁ ବିଦା କରିଦିଆଯାଉଛି । ମାତ୍ର ଇନ୍ଫ୍ଲୁଏନ୍ସର୍ ଯାହା କହୁଛନ୍ତି ତାହା ନେଉଛନ୍ତି । ତା’ମାନେ ସିନେମା ସହ ଜଡ଼ିତ କାହା ପାଖରେ କିଛି ଟ୍ୟାଲେଣ୍ଟ ନାହିଁ । ସିନେମା ସେମାନେ କହିଲେ ଚାଲିବ ନହେଲେ ନାହିଁ? ଆଜି ଏ ପ୍ରଶ୍ନ ସର୍ବସାଧାରଣରେ ଘୁରି ବୁଲୁଛି, ଯେଉଁ ସମୟରେ ଓଡ଼ିଆ ସିନେମା ଭଲ ସ୍ଥିତିକୁ ଫେରିବାକୁ ସଂଘର୍ଷ କରୁଛି ।
ପ୍ରଶ୍ନ ଉଠୁଛି, ଯଦି ସଙ୍ଗୀତକାର ହିଟ୍ ଗୀତ କରିପାରୁନାହାନ୍ତି, କଣ୍ଠଶିଳ୍ପୀ ଭଲ ଗାଇ ପାରୁନାହାନ୍ତି ଏବଂ ନୃତ୍ୟ ସଂଯୋଜକ ଭଲ ସଂଯୋଜନା ଦେଉନାହାନ୍ତି କି କଳାକାର ଭଲ ଅଭିନୟ କରୁନାହାନ୍ତି, ତାହାଲେ ତାଙ୍କୁ କାହିଁକି ନିଆଯାଉଛି? ଯଦି ଏମାନେ କେହି କିଛି ନୁହଁନ୍ତି ଏବଂ ଭଲ ସିନେମା ହେଉନି ତାହାଲେ କ’ଣ ଇନ୍ଫ୍ଲୁଏନ୍ସର୍ ଓଡ଼ିଆ ଚଳଚ୍ଚିତ୍ରର ଭାଗ୍ୟ ବଦଳାଇଦେବେ? ଏହାର ଉତ୍ତରରେ ହଁ ଆସୁଛି, ସେମାନେ ନଥିଲେ କିଛି ହେବନି । ପୁଣି ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଲୋକପ୍ରିୟତା ବା ଫଲୋର୍ସ ଅଧିକ ସେମାନଙ୍କୁ ଚଳଚ୍ଚିତ୍ରରେ ଏକ ଚରିତ୍ର ବି ମିଳୁଛି । ତେଣିକି ସଂଳାପ ଥାଉ କି ନଥାଉ ସେମାନେ କେବେଳ ପରଦାରେ ନଜର ଆସିବା ଦରକାର । କାରଣ ବ୍ୟାନର୍, ପୋଷ୍ଟର୍ରେ ଫଟୋ ରହିବ ଏବଂ ଦର୍ଶକ ତାଙ୍କୁ ଦେଖିବାକୁ ଆସିବେ । ତା’ମାନେ ସୁଯୋଗ ମିଳେ, ହେଲେ ଦକ୍ଷତା ଦେଖି ନୁହେଁ, ଲୋକପ୍ରିୟତାକୁ ଦେଖି ।
ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି କି, ଚଳଚ୍ଚିତ୍ର ଆରମ୍ଭ ସମୟରେ ‘ଆମେ ଗୋଟେ ଟିମ୍’ ବୋଲି କହି କାମ କରାଯାଉଛି, କିନ୍ତୁ ସରିଲା ପରେ ଏଠି ଇନ୍ଫ୍ଲୁଏନ୍ସର୍ ମୁଖ୍ୟ । ଚଳଚ୍ଚିତ୍ରର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧରେ । ମହୁରତ୍ରେ ଆସିଲେ, ଅଭିନୟ କଲେ ଏବଂ ଟିଜର୍, ଟ୍ରେଲର୍ ଓ ସଙ୍ଗୀତ ଲୋକାର୍ପଣ ପର୍ବରେ ମାଇକ୍ ଧରି ଗପିଲେ ଶେଷରେ ବେପାରଠୁ ନେଇ ହଲ୍ ହାଉସ୍ଫୁଲ୍ ପର୍ଯ୍ୟନ୍ତ ସବୁ ବୁଝିଲେ । ତା’ମାନେ ଇନ୍ଫ୍ଲୁଏନ୍ସର୍ଙ୍କ ବିନା ଓଡ଼ିଆ ସିନେମା ଆଗକୁ ଯାଇପାରବନି ବୋଲି ଏକଥା ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍ କରୁଛି ।
ଏହି ଖବରଟିକୁ ପଢନ୍ତୁ- Cyclone Update: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ପାଗ ଅନୁକୂଳ ରହିଲେ ବଢ଼ିବ ବାତ୍ୟା ଭୟ