ଭୁବନେଶ୍ୱର ୧୮/୦୭ : ବ୍ରେନ୍‌ ମ୍ୟାଲେରିଆ ଚିକିତ୍ସା ପାଇଁ ମହୌଷଧ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ସମ୍ଭାବନା । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍‌ଆରସି) ଭୁବନେଶ୍ୱରର ବୈଜ୍ଞାନିକ ଗବେଷଣା ବଳରେ ନୂଆ ଭ୍ୟାକ୍ସିନ୍‌ ଉଦ୍ଭାବନ କରିଛନ୍ତି । ଏହା ବ୍ରେନ୍‌ ମ୍ୟାଲେରିଆ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ଆଉ ଲୋକଙ୍କୁ ମିଳିବ ରକ୍ଷା କବଚ । ଏହି ଭ୍ୟାକ୍ସିନ୍‌ ପଦ୍ଧତି ଉପରେ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ଅନୁମତି ପ୍ରଦାନ କରିଛି । ଆରଏମ୍‌ଆରସି ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀଙ୍କ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି । 

ଉଦ୍ଭାବନ ହୋଇଥିବା ଭ୍ୟାକ୍‌ସିନ୍‌ ପଦ୍ଧତି ଦୁଇ ପ୍ରକାର କାମ କରିବ । ଲୋକେ ଏହି ଭ୍ୟାକ୍ସିନ ନେଲେ ମ୍ୟାଲେରିଆରୁ ସୁରକ୍ଷା ମିଳିବ । ଅନ୍ୟଟି ହେଲା ଗୋଷ୍ଠୀଗତ ସୁରକ୍ଷା ମଳିବ । ଅର୍ଥାତ ଜଣେ ମ୍ୟାଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଶା କାମୁଡ଼ି ଅନ୍ୟ ଲୋକଙ୍କୁ କାମୁଡ଼ିଲେ ସେ ଆକ୍ରାନ୍ତ ହେବେନାହିଁ । କାରଣ ମଶା ଦ୍ୱାରା ଜଣଙ୍କଠୁ ଆଉ ଜଣଙ୍କ ପାଖକୁ ବ୍ୟାପୁଥିବା ରକ୍ତରେ ପାରାସାଇଟ୍‌ ପରଜୀବୀକୁ ତାହା ପ୍ରତିହତ କରିବ । ଫଳରେ ଲୋକେ ଗୋଷ୍ଠୀଗତ ସଂକ୍ରମଣରୁ ରକ୍ଷା ପାଇବେ । ଆଇସିଏମ୍‌ଆର ଅତିରିକ୍ତ ଡିଜି ଡ. ସଂଘମିତ୍ରା ପତି, ବୈଜ୍ଞାନିକ ସୁବାସ ସିଂ ଓ ସୁଶିଲ ସିଂ ମିଶି ଏହି ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା କରିଥିଲେ । ଏହାକୁ ଆଇସିଏମ୍‌ଆରର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଲେରିଆ ରିସର୍ଚ୍ଚ ଓ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇମ୍ୟୁନାଇଜେସନ୍‌ ଅନୁମତି ପ୍ରଦାନ କରିଛି । 

ଅନ୍ୟପଟରେ ଓଡ଼ିଶାରେ ୨୦୨୧ରେ ୨୫,୫୨୫ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୧୩ଜଣଙ୍କ ଜୀବନ ଯାଇଥିଲା । ୨୦୨୨ରେ ୨୩,୭୭୦ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୫ଜଣଙ୍କ ଜୀବନ ଯାଇଥିଲା । ୨୦୨୩ରେ ୪୧,୯୭୩ ହୋଇଥିଲା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୪ରେ ୬୮,୬୯୩ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୮ଜଣ ପ୍ରାଣ ହରାଇଥିଲେ । ରାଜ୍ୟରେ କୋରାପୁଟ, ନବରଙ୍ଗପୁର, ବୌଦ୍ଧ, ସୋନପୁର, କଳାହାଣ୍ଡି ଆଦି ଆଦିବାସୀ ଜିଲ୍ଲାରେ ମ୍ୟଲେରିଆ କାୟାବିସ୍ତାର କରିଛି ।