ନୂଆଦିଲ୍ଲୀ,୧।୧୨: ଭାରତର ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'ର ୧୫୦ତମ ବାର୍ଷିକୀ ପାଳନ ପାଇଁ ସଂସଦର ଶୀତକାଳୀନ ଅଧିବେଶନରେ ଏକ ସ୍ୱତନ୍ତ୍ର ଚର୍ଚ୍ଚାର ଆୟୋଜନ ହେବ। ଏହି ଆଲୋଚନା ଚଳିତ ସପ୍ତାହର ଗୁରୁବାର କିମ୍ବା ଶୁକ୍ରବାର ଲୋକସଭାରେ ହେବ। ଏଥିପାଇଁ ୧୦ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସ୍ୱତନ୍ତ୍ର ବିତର୍କରେ ଅଂଶଗ୍ରହଣ କରିବେ, ଯାହା ସ୍ୱାଧୀନତା ସଂଗ୍ରାମର ଏହି ପ୍ରେରଣାଦାୟକ ଗୀତର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିବ।

ନଭେମ୍ବର ୩୦ ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏବଂ ଲୋକସଭା ଏବଂ ରାଜ୍ୟସଭାର ବିଜନେସ୍ ଆଡଭାଇଜରୀ କମିଟି (BAC) ବୈଠକରେ ଏହି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିଲା।ରାଜ୍ୟସଭାରେ ଶାସକ ଦଳର ସଦସ୍ୟମାନେ ମଧ୍ୟ ଏହାକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ। ସରକାର ଏହାକୁ ଜାତୀୟ ଏକତାର ପ୍ରତୀକ ବୋଲି କହି ସମସ୍ତ ଦଳକୁ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏନଡିଏ ସଦସ୍ୟମାନେ ମଧ୍ୟ ରାଜ୍ୟସଭାରେ ବନ୍ଦେ ମାତରମ୍ ଉପରେ ଆଲୋଚନା ପାଇଁ ଦୃଢ଼ ସମର୍ଥନ କରିଥିଲେ।୧୯୫୦ ମସିହାରେ ଭାରତ ଗଣରାଜ୍ୟର ଜାତୀୟ ଗୀତ ଭାବରେ ‘ବନ୍ଦେ ମାତରମ୍ ’ କୁ ଗୃହୀତ ହୋଇଥିଲା।

୧୮୭୦ ଦଶକରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ସଂସ୍କୃତ ବଙ୍ଗଳାରେ ଲେଖାଯାଇଥିଲା। ଏହି ଗୀତଟି ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ବଙ୍ଗଳା ଉପନ୍ୟାସ ‘ଆନନ୍ଦମଠର’ ଏକ ଅଂଶ, ଯାହାକି ୧୮୮୨ ମସିହାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା।ଏହି ଗୀତଟି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ପ୍ରେରଣାର ଏକ ପ୍ରମୁଖ ଉତ୍ସ ପାଲଟିଥିଲା। ଗୀତର ରଚନାର ୧୫୦ ତମ ବାର୍ଷିକୀ ପାଳନ କରିବା ପାଇଁ, କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ‘ବନ୍ଦେ ମାତରମ୍’ କୁ ସ୍ୱାଧୀନତା ସଂଗ୍ରାମର ଏକ ଅମର ଐତିହ୍ୟ ବୋଲି କହିଥିଲେ ଏବଂ ଯୁବପିଢ଼ିଙ୍କୁ ଏହାକୁ ଗାଇବାକୁ ଅପିଲ କରିଥିଲେ।