ବାରାଣସୀ, ୨୧।୨: ଚିତା ଭସ୍ମର ହୋଲିକୁ ନେଇ ବିବାଦ । ବିଶ୍ୱପ୍ରସିଦ୍ଧ କାଶୀର ମହାଶ୍ମଶାନ ମଣିକର୍ଣ୍ଣିକା ଘାଟରେ ଖେଳାଯାଉଥିବା 'ମସାନେ କି ହୋଲି' ବା ଚିତା ଭସ୍ମର ହୋଲିକୁ ନେଇ ବିବାଦ ଏବେ ତୀବ୍ର ହେବାରେ ଲାଗିଛି । କାଶୀ ବିଦ୍ୱତ ପରିଷଦ ପରେ ଏବେ ଏହି ପ୍ରସଙ୍ଗରେ 'ସନାତନ ରକ୍ଷକ ଦଳ' ଏଣ୍ଟ୍ରି କରିଛି । ଏହି ହୋଲିକୁ ଏକ ଶତାବ୍ଦୀ ପୁରୁଣା ପରମ୍ପରା ନୁହେଁ, ବରଂ ଟଙ୍କା ଆଦାୟ ପାଇଁ ଏକ "ଇଭେଣ୍ଟ" ବୋଲି ଦଳ ଅଭିଯୋଗ କରିଛି ।

୨୦୧୩ରୁ ଆରମ୍ଭ ହୋଇଛି ଏହି "ଇଭେଣ୍ଟ": ଅଜୟ ଶର୍ମା

ସନାତନ ରକ୍ଷକ ଦଳର ସଭାପତି ଅଜୟ ଶର୍ମା ଦାବି କରିଛନ୍ତି ଯେ, ଏହା କୌଣସି ପ୍ରାଚୀନ ପରମ୍ପରା ନୁହେଁ । ୨୦୧୩ ମସିହାରେ କିଛି ହାତଗଣତି ଲୋକ ଏହି ଚିତା ଭସ୍ମ ହୋଲି ଆରମ୍ଭ କରିଥିଲେ । ସେ କହିଛନ୍ତି, "ମୁଁ ନିଜେ ୨୦୧୪ ଏବଂ ୨୦୧୫ରେ ଏହି ଆୟୋଜନ ପାଇଁ ଚାନ୍ଦା ଦେଇଥିଲି । କିନ୍ତୁ, ସାଧୁ ସନ୍ନ୍ୟାସୀଙ୍କୁ ଭୋଗ ଓ ପାନୀୟ ଦେବା ନାମରେ ଚାନ୍ଦା ନିଆଯାଇ ଚିତା ଭସ୍ମରେ ହୋଲି ଖେଳାଗଲା । ଏହା ଶ୍ମଶାନର ମର୍ଯ୍ୟାଦା ହାନି କରୁଛି ।"

ଏହା ବି ପଢ଼ନ୍ତୁ... ଟିଭି ସାଉଣ୍ଡ୍ କମାଇବାକୁ କହିବାରୁ ସ୍ୱାମୀକୁ ଛୁରି ଭୁସିଲା ! ସାମାନ୍ୟ କଥାରୁ ରକ୍ତମୁଖା ସାଜିଲା ସ୍ତ୍ରୀ

ଶ୍ମଶାନ ମହାଦେବଙ୍କ ବିଶ୍ରାମ ସ୍ଥଳ:

ଅଜୟ ଶର୍ମାଙ୍କ କହିବା ଅନୁସାରେ, ଶ୍ମଶାନ ହେଉଛି ଭଗବାନ ଶିବଙ୍କ ବିଶ୍ରାମ ସ୍ଥଳ । ସେଠାରେ ଏଭଳି ହୋ ହାଲ୍ଲା କିମ୍ବା ଜଶ୍ନ ମନାଇବା ଆଦୌ ଗ୍ରହଣୀୟ ନୁହେଁ । ଏହି ଆୟୋଜନ ଉପରେ ତୁରନ୍ତ ରୋକ ଲାଗିବା ଉଚିତ୍ ବୋଲି ସେ ଦାବି କରିଛନ୍ତି । କାଶୀ ବିଦ୍ୱତ ପରିଷଦ ମଧ୍ୟ ଏହି ହୋଲିକୁ "ଅଶାସ୍ତ୍ରୀୟ" ବୋଲି କହିଛି । ପରିଷଦର ସଦସ୍ୟ ବିନୟ ପାଣ୍ଡେ କହିଛନ୍ତି ଯେ, ଶାସ୍ତ୍ରରେ ମସାଣିରେ ହୋଲି ଖେଳିବାର କୌଣସି ପରମ୍ପରା ନାହିଁ । ଏହା ମହାଶ୍ମଶାନର ପବିତ୍ରତାକୁ ନଷ୍ଟ କରୁଛି । ଏହି ବିଷୟରେ ପ୍ରଶାସନକୁ ପତ୍ର ଲେଖି ଜଣାଇବାକୁ ପରିଷଦ ନିଷ୍ପତ୍ତି ନେଇଛି ।

ଅନ୍ୟପଟେ, ମସାନେ କି ହୋଲିର ଆୟୋଜକ ଗୁଲଶନ କପୁର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଏହି ହୋଲି ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ଏବଂ ଶାସ୍ତ୍ରରେ ମଧ୍ୟ ଏହାର ଉଲ୍ଲେଖ ଅଛି । ଯେଉଁମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଉ ନାହିଁ, ସେମାନେ ହିଁ କେବଳ ଏହାର ବିରୋଧ କରୁଛନ୍ତି । ସୂଚନାଯୋଗ୍ୟ, ପ୍ରତିବର୍ଷ ରଙ୍ଗଭରି ଏକାଦଶୀର ପରଦିନ ମଣିକର୍ଣ୍ଣିକା ଘାଟରେ ଏହି ଭିନ୍ନ ଧରଣର ହୋଲି ଖେଳାଯାଏ, ଯେଉଁଠାରେ ଲୋକେ ରଙ୍ଗ ପରିବର୍ତ୍ତେ ମୃତଦେହର ଚିତା ଭସ୍ମ ବ୍ୟବହାର କରିଥାନ୍ତି ।