ଆନ୍ଧ୍ରପ୍ରଦେଶ, ୨୧।୨: ସାମାନ୍ୟ ଟିଭି ସାଉଣ୍ଡକୁ ନେଇ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଟିଭି ଭଲ୍ୟୁମ୍ କମାଇବାକୁ କହିବାରୁ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା କରିଛି ସ୍ତ୍ରୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ସାମ୍ନାକୁ ଆସିଛି । ପୂରା ଘଟଣା କ’ଣ ଆସନ୍ତୁ ଜାଣିବା । ମୃତକ ଜଣକ ୨୭ ବର୍ଷୀୟ ଶେଖ ଅହମ୍ମଦ ବୋଲି ଜଣାପଡ଼ିଛି । ସେ ପେଶାରେ ଜଣେ ଏସି ମେକାନିକ୍ ଥିଲେ । ଅହମ୍ମଦ ଏବଂ ତାଙ୍କ ସ୍ତ୍ରୀ କ୍ରାନ୍ତି ମଙ୍ଗଳାଗିରିର ଟିଡକୋ ହାଉସିଂ କଲୋନୀରେ ରହୁଥିଲେ ।

ଏହା ବି ପଢ଼ନ୍ତୁ... ଦାରା ସିଂହଙ୍କ ମୁକ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଜେଲ୍ ଦଣ୍ଡ କୋହଳ ନେଇ ୨ ସପ୍ତାହ ମଧ୍ୟରେ ଓଡ଼ିଶା ସରକାର ତାଙ୍କ ନୀତି ସ୍ପଷ୍ଟ କରନ୍ତୁ

ସୂଚନାନୁସାରେ, ଘରେ ଟିଭି ଚାଲିଥିବା ବେଳେ ଅହମ୍ମଦ ତାଙ୍କ ସ୍ତ୍ରୀ ଭଲ୍ୟୁମ୍ କମାଇବାକୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ, ସ୍ତ୍ରୀ ଉଗ୍ର ରୂପ ଧାରଣ କରିଥିଲେ । ପରେ ଏକ ଧାରୁଆ ଛୁରୀରେ ଅହମ୍ମଦଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବିଜୟୱାଡ଼ା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମଙ୍ଗଳାଗିରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ ଅଭିଯୁକ୍ତ ସ୍ତ୍ରୀକୁ ପଚରାଉଚରା କରୁଥିବା ସୂଚନା ମିଳିଛି ।

କହିରଖୁଛୁ ଯେ, ଚଳିତ ଫେବୃଆରୀ ପ୍ରଥମ ସପ୍ତାହରେ ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ମଧ୍ୟ ଏକ ସମାନ ଧରଣର ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ନିଜ ପୂର୍ବତନ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପତ୍ନୀଙ୍କ ଛାଡ଼ପତ୍ର ଏବଂ ଦ୍ୱିତୀୟ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି ।