ପାଟଣାଗଡ଼, ୧୫।୭ (ଆପ୍ର): ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଧାରଣଙ୍କ ସ୍ଵାର୍ଥ ତଥା ସାମୁହିକ ଉନ୍ନତି ପ୍ରତି ଜିଲ୍ଲା ଓ ବ୍ଳକ ପ୍ରଶାସନ ଏବଂ ସରକାରଙ୍କ ଉଦାସୀନତା ପ୍ରତିବାଦରେ ପାଟଣାଗଡ ବ୍ଲକରେ ସମିତି ସଭ୍ୟସଭ୍ୟା ଏବଂ ଏନ୍ଏସିରେ କାଉନସିଲର ମାନେ ୧୫ ଦିନ ହେଲା ଧାରଣା ଦେଇ ଆସୁଥିଲେ । ତେବେ କୈ।ଣସି ନିଷ୍କର୍ଷ ନବାହାରିବାରୁ ଗତକାଲି ଠାରୁ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ୪ ଜଣ ସମିତି ସଭ୍ୟା ଆମରଣ ଅନସନରେ ବସିଥିଲେ ।
ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସାଢେ଼ ୫ ଟା ସମୟରେ ଆମରଣ ଅନସନ ସ୍ଥଳକୁ ଡିଆରଡିଏପିଡି ପ୍ରଭାତ କୁମାର ଦାସ, ଉପଜିଲ୍ଲାପାଳ ସୁନୀଲ ମେହେର, ବିଡ଼ିଓ ସୁମନ ମିଞ୍ଜ ପହଞ୍ଚି ଆନ୍ଦୋଳନ କାରିଙ୍କ ସହ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ଧରି ଆଲୋଚନା କରିଥିଲେ । ତେବେ ପ୍ରଶାସନ ଠାରୁ ପ୍ରତିଶ୍ରୁତି ପାଇଲାପରେ ଆନ୍ଦୋଳନ କାରିମାନେ ଅନସନରୁ ଓହରି ଯାଇଥିଲେ । ଜନପ୍ରତିନିଧି ମାନେ ଏକଜୁଟ୍ ହୋଇ ନିଜ ହକ ଓ ଜନସାଧାରଣ ଙ୍କ ସାମୁହିକ ବିକାଶ ପାଇଁ ସଂଘର୍ଷ ଜାରିରଖିଥିଲେ । ଆଜି ପରିଶେଷରେ ପ୍ରଶାସନ ତାଙ୍କ ଜିଦ ଆଗରେ ମୁଣ୍ଡ ନୂଆଇଲା ବୋଲି ସମିତି ସଂଘର ସଭାପତି ଗୋବିନ୍ଦ ମେହେର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।
ଅପରପକ୍ଷରେ ଏନ୍ଏସିରେ ଧାରଣାରତ କାଉନସିଲର ମାନଙ୍କ ପାଖକୁ ଡୁଡାପିଡି ତରଣୀ ସୁନା ପହଞ୍ଚି ତାଙ୍କ ସହିତ ଦିର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବାସହ ସେମାନଙ୍କୁ ଧାରଣାରୁ ଓହରି ଯିବାକୁ ଅନୁରୋଧ କରିଥିଲେ । କିନ୍ତୁ କାଉନସିଲର ମାନେ ନିଜ ଜିଦରେ ଅଟଳ ଥିବାବେଲେ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ମାଗିଥିଲେ । ତେବେ ଡୁଡାପିଡି ଶ୍ରୀ ସୁନା ଏବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବିବୋଲି କହିବା ସହ ଧାରଣା ସ୍ଥଳରୁ ଫେରିଯାଇଥିଲେ । ଜିଆଇଏ,କେବିକେ ବିକାଶ ପାଣ୍ଠି, ବିକଶିତ ଗାଁ ବିକଶିତ ଓଡିଶା ପାଇଁ ଆସୁଥିବା ଅନୁଦାନକୁ ନେଇ ଖୁବଶୀଘ୍ର ସମିତି ସଭ୍ୟସଭ୍ୟାଙ୍କୁ ନେଇ ବିଡ଼ିଓ ବ୍ଳକ ସଭା ଗୃହରେ ଏକ ସଭା ଡାକିବେ । ସେହି ସଭାରେ ଉପରୋକ୍ତ ଅନୁଦାନକୁ ନେଇ ଏକ ରେଜୁଲେସନ ପାସ୍ କରାଯିବ । ରେଜୁଲେସନ ଆଧାରରେ ସମିତି ସଭ୍ୟସଭ୍ୟା ମାନେ ନିଜନିଜ ଅଞ୍ଚଳର ବିକାଶ କରିପାରିବେବୋଲି ଡିଆରଡିଏପିଡି ଶ୍ରୀ ମହାପାତ୍ର ଆମରଣ ଅନସନ ସ୍ଥଳରେ ପ୍ରତିଶୃତି ଦେଇଥିଲେ । ଯଦି ଏଥିରେ ଖିଲାପ ହେଲେ ପୁନର୍ବାର ସମିତି ସଭ୍ୟସଭ୍ୟା ମାନେ ଆମରଣ ଅନସନରେ ବସିବେବୋଲି ସମିତି ସଂଘର ସମ୍ପାଦକ ଜୟନ୍ତ କୁମ୍ଭାର ଗଣମାଧ୍ୟମ ଙ୍କୁ ତାଙ୍କ ବକ୍ତବ୍ୟରେ କହିଛନ୍ତି ।
ଆଜି ଆମରଣ ଅନସନର ଦ୍ଵିତୀୟ ଦିନରେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମଧୁମିତା ମେହେର ଓ ଏଏନଏମ ପ୍ରଭାତି ମେହେର ପହଞ୍ଚି ଆମରଣ ଅନସନରେ ବସିଥିବା ୪ ଜଣ ସଭ୍ୟାଙ୍କ ସ୍ଵାସ୍ଥ୍ୟାବସ୍ତା ଯାଞ୍ଚ କରିଥିଲେ । କିଛି ସମୟର ବ୍ୟବଧାନ ପରେ କେନ୍ଦୁମୁଣ୍ଡି ସମିତି ସଭ୍ୟା ଭୁମିସୁତା ଧରୁଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଲେ ଖବର ଲେଖାହେବା ପଯ୍ୟନ୍ତ ତାଙ୍କ ସ୍ଵାସ୍ଥ୍ୟ ବସ୍ତାରେ ସୁଧାର ଆସୁଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ପ୍ରକାଶ ଯେ, ଗତ ୯ ମାସହେଲା ବ୍ଳକ ଓ ଏନ୍ଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନମୁଳକ କାମ ଠପ୍ ପ୍ରତିବାଦରେ ସମିତି ସଭ୍ୟସଭ୍ୟା ଓ କାଉନସିଲର ମାନେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଲିଖିତ ଭାବରେ ଅବଗତ କରାଇଥିଲେ। ଏଥିରେ କୌଣସି ସୁଫଳ ନମିଲିବାରୁ ସେମାନ ପ୍ରଥମେ ୧୪ ଦିନଧରି ଆନ୍ଦୋଳନ କରିବାସହ ପରେ ୪ ଜଣ ସମିତି ସଭ୍ୟା ଆମରଣ ଅନସନରେ ବସିରହିଥିଲେ।