ଚନ୍ଦ୍ରଶେଖରପୁର,୨୩/୦୧: ଭାରତୀୟ  ସ୍ୱାଧୀନତା ସଂଗ୍ରାମର ଅନ୍ୟତମ  କର୍ଣ୍ଣଧାର ବୀର ସୁରେନ୍ଦ୍ର ସାଏଙ୍କ  ଜୟନ୍ତୀ । ତାଙ୍କ ନାମ ଅନୁସାରେ ୪୭  ବର୍ଷ ପୂର୍ବେ ରାଜଧାନୀର ଭିଏସ୍‌ଏସ୍‌  ନଗର କଲୋନୀର ନାମକରଣ  କରାଯାଇଥିଲା । ହେଲେ ଦୀର୍ଘ ବର୍ଷ  ପରେ ମଧ୍ୟ କଲୋନୀରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ  ହୋଇପାରିଲାନି । ତେଣୁ ଭିଏସ୍‌ଏସ୍‌  ନଗରରେ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ଦାବି କରିଛି ଭିଏସ୍‌ଏସ୍‌ ନଗର  ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ ।  

୧୯୭୮ ମସିହାରୁ ଆରମ୍ଭ  ହୋଇଥିଲା ବୀର ସୁରେନ୍ଦ୍ର ସାଏ  ନଗର । କଲୋନୀରେ ୧୯୮୦ ମସିହାରେ  ସୁରେନ୍ଦ୍ର ସାଏଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି  ପ୍ରତିଷ୍ଠା କରି କଲୋନୀର ନାମକରଣ  କରାଯାଇଥିଲା । ତେବେ ତାଙ୍କର ଏକ  ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ଭିଏସ୍‌ଏସ୍‌ ନଗରବାସୀ ବାରମ୍ବାର ଦାବି ପରେ ୨୦୦୮ ମସିହା ଅକ୍ଟୋବର ୨୩  ତାରିଖରେ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀଙ୍କ  ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ  ବସିଥିଲା । ଭୁବନେଶ୍ୱରର ଜୟଦେବ  ବିହାର ଛକରେ ସୁରେନ୍ଦ୍ର ସାଏଙ୍କର  ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଂସ୍କୃତି ବିଭାଗର  ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ଏହା ପରେ ଅର୍ଥାଭାବର ଆଳ ଦେଖାଇ  ଏହି ପ୍ରତିମୂର୍ତ୍ତି ଆଜି ପର୍ଯ୍ୟନ୍ତ ପ୍ରତିଷ୍ଠା  ହୋଇ ପାରିନାହିଁ । ଭିଏସ୍‌ଏସ୍‌ ନଗର  ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ  ପକ୍ଷରୁ ବହୁ ବାର ସଂସ୍କୃତି ବିଭାଗକୁ  ଅନୁରୋଧ କରିବା ପରେ ୨୦୨୩ ମସିହା  ଅଗଷ୍ଟ ମାସରେ ନଗରରେ ସାଏଙ୍କ  ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛନ୍ତି ।  ମାତ୍ର ସାଏଙ୍କର ଘୋଡ଼ା ଉପରେ ବୀର  ବେଶରେ ଥିବା ପ୍ରତିମୂର୍ତ୍ତି ନିର୍ମାଣ  କରିବା ବଦଳରେ ଦଣ୍ଡାୟମାନ ପ୍ରତିମୂର୍ତ୍ତି  ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି ଯାହାକୁ  ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ଓ  ଉତ୍କଳ ସମ୍ମିଳନୀ ବିରୋଧ କରୁଛନ୍ତି ।  

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ  ଶାଖା ସଭାପତି ତଥା ଉନ୍ନୟନ ପରିଷଦ  ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା  କହିଛନ୍ତି, ବୀର ଉପାଧି ଥିବା ରାଜ୍ୟର  ଏକମାତ୍ର ବରପୁତ୍ର ହେଉଛନ୍ତି ବୀର  ସୁରେନ୍ଦ୍ର ସାଏ । ତେଣୁ ବୀର ବେଶରେ  ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ  ଭିଏସ୍‌ଏସ୍‌ ନଗରରେ ପ୍ରତିଷ୍ଠା କରାଯାଉ  ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗକୁ ସେ ଅନୁରୋଧ କରିଛନ୍ତି ।