ଭୁବନେଶ୍ୱର,୦୭/୧୦: ରବିବାର  ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ୧୦୦ ଟଙ୍କା ଛୁଇଁଛି । ଏପରିକି ଖୁଚୁରା ଦୋକାନରେ ଟମାଟୋ କେଜି ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଟମାଟୋ ଦର ଶୁଣି ଖାଉଟିଙ୍କ  ମୁଣ୍ଡରେ ଚଡ଼କ ପଡ଼ିଛି । କେବଳ ଭୁବନେଶ୍ୱର  ନୁହେଁ କଟକ ଛତ୍ରବଜାରରେ ମଧ୍ୟ ସମାନ  ସ୍ଥିତି । ଶନିବାର ରାତିରୁ ଦର ବଢ଼ିଥିବା  ବ୍ୟବସାୟୀମାନେ କହିଛନ୍ତି । ଟ୍ୱିନସିଟିକୁ  ବାଦ୍‌ ଦେଇ ଗ୍ରାମାଞ୍ଚଳରେ ବି ଟମାଟୋ ଦର  ୯୦ ଟଙ୍କାରେ ବିକ୍ରି ଚାଲିଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । ସ୍ଥାନୀୟ  ଅଞ୍ଚଳରେ ପରିବା ନ ଥିବାରୁ ବାହାର ପରିବା  ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି  ସ୍ଥିତି ହୋଇଥିବା ବ୍ୟବସାୟୀ ସଂଘ କହିଛନ୍ତି ।  

ଦୀର୍ଘ ୧୫ ଦିନ ହେବ ପରିବା ଦର ଆକାଶ  ଛୁଆଁ ରହିଛି । ଦ୍ୱିତୀୟା ଓଷା ସମୟରେ  ଭୁବନେଶ୍ୱରରେ ପରିବା ଦର ଯାହା ଥିଲା ଏବେ ନବରାତ୍ରି ବେଳେ ଏହା ୫ରୁ ୧୦ ଟଙ୍କା ବଢିଛି ।  ଟମାଟୋକୁ ବାଦ୍‌ ଦେଲେ କୁନ୍ଦୁରୀ କିଲୋ ୬୦,  କଲରା ୮୦, ବାଇଗଣ ୬୦ରୁ ୮୦, ପୋଟଳ  ୮୦, ଭେଣ୍ଡି ୮୦, ବିନ୍‌ ୮୦ରୁ ୧୦୦, ଝୁଡ଼ଙ୍ଗ  ୬୦, କଖାରୁ ୪୦, ଜହ୍ନି ୭୦, କାଙ୍କଡ଼ ୧୨୦  ଟଙ୍କା ରହିଛି । ତେବେ ଚିନ୍ତା ବଢ଼ାଇଛି ଟମାଟୋ ।  ୪ଦିନ ତଳେ ୧ ନମ୍ବର ହାଟରେ ଟମାଟୋ  କିଲୋ ୫୦ରୁ ୬୦ଟଙ୍କାରେ ବିକ୍ରି ହେଉଥିଲା ।  ହେଲେ ହଠାତ୍‌ ଦର ଶହେ ଛୁଇଁବାକୁ ସାଧାରଣ  ଗ୍ରାହକ ସହଜରେ ହଜମ କରିପାରୁନହାନ୍ତି ।  ଭୁବନେଶ୍ୱରକୁ ରାଜ୍ୟର କୌଣସି ସ୍ଥାନରୁ  ପରିବା ଆସୁନି । ବେଙ୍ଗାଲୁରୁରୁ ବନ୍ଧାକୋବି,  ଫୁଲକୋବି, ବିନ୍‌, ଟମାଟୋ ଆସୁଛି ।  ତାମିଲନାଡ଼ୁରୁ ସଜନା ଛୁଇଁ, କଖାରୁ, ଲଙ୍କା,  ଗୁଆଁର ଆସୁଥିବା ବେଳେ ଆନ୍ଧ୍ରରୁ ଅମୃତଭଣ୍ଡା,  ମାଟି ଆଳୁ, ଇନ୍ଦୋରରୁ ଗାଜର, ପଶ୍ଚିମବଙ୍ଗରୁ  ବାଇଗଣ,  ପୋଟଳ, ଭଣ୍ଡା, କୁନ୍ଦୁରି,  ଜହ୍ନି, ସାରୁ ଆସୁଛି । 

ଭୁବନେଶ୍ୱର କଞ୍ଚା ପରିବା  ସଂଘର ସଦସ୍ୟ କବିରାଜ ସ୍ୱାଇଁ କହିଛନ୍ତି,  ଓଡ଼ିଶାରେ ଯେଉଁଠି ଯାହା ଫସଲ ହେଉଛି,  ତାହା ସ୍ଥାନୀୟ ବଜାରକୁ ଯାଉଛି, ଭୁବନେଶ୍ୱରକୁ  ଆସୁନି । ସେଥିପାଇଁ ଦର ଉଚ୍ଚା ରହୁଛି । ଦୈନିକ  ଭୁବନେଶ୍ୱରକୁ ୮ରୁ ୧୦ ଗାଡି ଟମାଟୋ ଆସୁଛି ।  ବେଙ୍ଗାଲୁରୁ ସହରରେ ବି ଟମାଟୋ କେଜି ୧୦୦  ଟଙ୍କା ଅଛି । ତଥାପି ଆମେ କିଲୋ ୬୦ ଟଙ୍କାରେ  ଟମାଟୋ କିଣୁଛୁ । ହେଲେ ଓଡ଼ିଶାକୁ ଆସିବା ବେଳେ ପରିବହନ ଖର୍ଚ୍ଚ ମିଶାଇଲେ ତାହା ୮୦  ହେଉଛି । ବିଭିନ୍ନ ବଜାରକୁ ଗଲା ବେଳକୁ ଦର  ବଢୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଛତ୍ରବଜାରର  ବରିଷ୍ଠ ବ୍ୟବସାୟୀ ଦେବ ସାହୁ କୁହନ୍ତି,  ଚଳିତବର୍ଷ ରାଜ୍ୟରେ ଫସଲ ହେଲାନି ।  ଆମେ ବାହାରୁ ପରିବା ଆଣି ଯୋଗାଉଛୁ । ସାଧାରଣତଃ ପାର୍ବଣ ଋତୁରେ ପରିବାର  ଚାହିଦା ଥିବାରୁ ଦର ସାମାନ୍ୟ ଉଚ୍ଚା ରହୁଛି ।