ନୂଆଦିଲ୍ଲୀ, ୫।୧: ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ସ ରବିବାର ଏକ କମିଶନ ଗଠନ କରିଛନ୍ତି । ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କୁ ମୁକ୍ତ କରିବା ଏହି କମିଶନର ମୁଖ୍ୟ ଉଦ୍ଦେଶ୍ୟ । ରୋଡ୍ରିଗ୍ସ ତାଙ୍କ ଭାଇ ଜର୍ଜ, ଜାତୀୟ ସଭା ଅଧ୍ୟକ୍ଷ ଏବଂ ବୈଦେଶିକ ମନ୍ତ୍ରୀ ୟଭାନ୍ ଗିଲ୍‌ଙ୍କୁ କମିଶନର ସହ-ଅଧ୍ୟକ୍ଷତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମନ୍ତ୍ରୀ ଫ୍ରେଡି ନାନେଜ୍ ମଧ୍ୟ କମିଶନରେ ରହିବେ ବୋଲି ସେ ଘୋଷଣାରେ କହିଛନ୍ତି ।

କହିରଖୁଛୁ ଯେ, ଶୁକ୍ରବାର ଅଶୋଧିତ ତୈଳ ଭରପୂର ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲା ଉପରେ ଆମେରିକା ବଡ଼ ଆକ୍ରମଣ କରିଥିଲା । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା (ଭାରତୀୟ ସମୟ ଶନିବାର ପୂର୍ବାହ୍ନ ୧୧ଟା ୩୦)ରେ ରାଜଧାନୀ କାରାକାସ୍ ସମେତ ୪ଟି ସହର ଉପରେ ଏୟାରଷ୍ଟ୍ରାଇକ୍ ହୋଇଥିଲା । ଆପାଚି, ଚିନୁକ୍ ହେଲିକପ୍ଟର ଏବଂ ଏଫ୍୩୫ ବିମାନରୁ ଭୟଙ୍କର ମିସାଇଲ୍ ମାଡ଼ କରାଯାଇଥିଲା । କେବଳ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା । ଏୟାରଷ୍ଟ୍ରାଇକ୍ ମଧ୍ୟରେ ଆମେରିକାର ଡେଲ୍ଟା ଫୋର୍ସ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ପତ୍ନୀ ସିଲିୟା ଫ୍ଲୋରେସ୍‌ଙ୍କୁ ରାଜଧାନୀ କାରାକାସ୍‌ରୁ ଉଠାଇ ନିଆଯାଇଥିଲା । ବେଡ୍‌ରୁମ୍‌ରେ ପଶି ସେମାନଙ୍କୁ ଘୋଷାଡ଼ି ନିଆଯାଇଥିଲା । ଏହାପରେ ସେମାନଙ୍କୁ ଜାହାଜ ଯୋଗେ ନ୍ୟୁୟର୍କ ସ୍ଥାନାନ୍ତର କରାଯାଇଛି । ​​​​​​​ଆମେରିକା ସେନା କାରାକାସ୍ ଉପରେ ଆକ୍ରମଣ କରି ମାଦୁରୋଙ୍କୁ ସତ୍ତାରୁ ହଟାଇଥିଲେ । ମାଦୁରୋଙ୍କ ବିରୋଧରେ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ଆତଙ୍କବାଦ ଅଭିଯୋଗ ରହିଛି । ସେ ଶନିବାର ନ୍ୟୁୟର୍କରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ସୋମବାର ତାଙ୍କୁ କୋର୍ଟରେ ହାଜର କରାଯିବ ।