ମୁମ୍ୱାଇ, ୨୧।୧୨: କାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି । ଶୁକ୍ରବାର ଅପରାହ୍ନରେ ମୁମ୍ବାଇର ପଶ୍ଚିମ ଉପନଗରରେ ଜଣେ ମଦ୍ୟପ ଗାଡ଼ି ଚାଳକ ତାଙ୍କ କାର୍କୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ନୋରା ଫତେହି ସାମାନ୍ୟ ଆହତ ହୋଇଛନ୍ତି । ନୋରା ଏକ ସୋ ପାଇଁ ସନବର୍ଣ୍ଣ ସଙ୍ଗୀତ ମହୋତ୍ସବକୁ ଯୋଗ ଦେବାକୁ ଯାଉଥିବା ବେଳେ ଆମ୍ବୋଲିର ଲିଙ୍କ୍ ରୋ ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଘଟଣା ଘଟିଥିଲା ।
ଅଭିଯୁକ୍ତ ଜଣକ ୨୭ ବର୍ଷୀୟ ବିନୟ ସକପାଲ ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଦୁର୍ଘଟଣା ସମୟରେ ସେ ମଦ୍ୟପାନ କରିଥିବା ସନ୍ଦେହ କରାଯାଉଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି । ନୋରାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ନିଶ୍ଚିତ କରାଯାଇଥିଲା । ମଦ୍ୟପ ଡ୍ରାଇଭରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ହେପାଜତକୁ ନିଆଯାଇଥିବା ମୁମ୍ବାଇ ପୁଲିସ କହିଛି । ଡ୍ରାଇଭରଙ୍କ ବିରୋଧରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଏବଂ ମଦ୍ୟପାନ କରି ଗାଡ଼ି ଚାଳନା କରିବା ସମ୍ପର୍କିତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
କାର୍ ୱିଣ୍ଡୋରେ ମୁଣ୍ଡ ପିଟି ହୋଇଥିଲା: ନୋରା
ଘଟଣାର କିଛି ଘଣ୍ଟା ପରେ, ନୋରା ଇନଷ୍ଟାଗ୍ରାମରେ ଦୁର୍ଘଟଣା ସମୟର ଅନୁଭବ ସେୟାର କରିଥିଲେ । ଜନସାଧାରଣଙ୍କୁ ମଦ୍ୟପାନ କରି ଗାଡ଼ି ଚାଳନା ବିରୁଦ୍ଧରେ ସଚେତନ କରିଥିଲେ । ଦୁର୍ଘଟଣା ସମୟରେ ସେ କାର ସିଟ୍ ଉପରେ ପଡ଼ିଯାଇଥିଲେ ଏବଂ କାର୍ ୱିଣ୍ଡୋରେ ତାଙ୍କ ମୁଣ୍ଡ ପିଟି ହୋଇଥିବା ସେ କହିଥିଲେ । ସେ ଦୁର୍ଘଟଣାକୁ "ଅତ୍ୟନ୍ତ ଭୟଙ୍କର" ବୋଲି କହିଥିଲେ । ଦୁର୍ଘଟଣାରେ ପରେ ସେ ସମ୍ପୂର୍ଣ୍ଣ ଠିକ୍ ଥିବା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିସହ ସେ ଲେଖିଛନ୍ତି “ଶୁକ୍ରବାର ଅପରାହ୍ନରେ ମୁଁ ଏକ ଗୁରୁତର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲି । ଜଣେ ମଦ୍ୟପ ବ୍ୟକ୍ତି ମୋ କାର୍କୁ ଧକ୍କା ଦେଇଥିଲେ । ଫଳରେ ମୋ କାର୍ଟି କ୍ଷତିଗ୍ରସ୍ତ ହେବା ସହ ୱିଣ୍ଡୋରେ ମୋ ମୁଣ୍ଡ ବାଜିଥିଲା” । ନୋରା ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ସାମାନ୍ୟ ଆଘାତ ଲାଗିଛି, କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି । ସେ କହିଛନ୍ତ, ଏହି ଘଟଣା ମଦ୍ୟପାନ କରି ଗାଡ଼ି ଚଲାଇବାର ପରିଣତିକୁ ସବୁବେଳେ ମନେପକାଇବ । "ମୁଁ ଏପରି ଜଣେ ମହିଳା ନୁହେଁ ଯିଏ ମଦ୍ୟପାନ କିମ୍ବା ଡ୍ରଗ୍ସ, ଭଳି ସାମଗ୍ରୀ ଯାହା ତୁମକୁ ଏକ ଭିନ୍ନ ମାନସିକ ସ୍ଥିତିରେ ପକାଏ, ତାକୁ ପ୍ରୋତ୍ସାହନ ଦିଏ । କୌଣସି ବ୍ୟକ୍ତି କେବେ ବି ମଦ୍ୟପାନ କରି ଗାଡ଼ି ଚଲାଇବା ଉଚିତ୍ ନୁହେଁ । ଏ ଦୁର୍ଘଟଣାରେ ନିଶ୍ଚିତ ଭାବେ ମୁଁ ମରୁ ମରୁ ବଞ୍ଚିଛି, ମୋ ସହ ଯାହା ଘଟିଛି ଆଉ କାହା ନ ଘଟୁ ବୋଲି ସେ କହିଛନ୍ତି । କହିରଖୁଛୁ ଯେ, ଚଳିତ ବର୍ଷ ମୁମ୍ବାଇରେ ଗୋଆରେ ପାରମ୍ପରିକ ଭାବରେ ଅନୁଷ୍ଠିତ ହେଉଥିବା ସନବର୍ଣ୍ଣ ମହୋତ୍ସବ ଆୟୋଜିତ ହୋଇଥିଲା । ଏହି ତିନି ଦିନିଆ ସଙ୍ଗୀତ ସମାରୋହ ଡିସେମ୍ବର ୧୯, ୨୦ ଏବଂ ୨୧ ତାରିଖ ତିନି ଦିନ ଯାଏଁ ଜାରି ରହିଥିଲା ।