ମୁମ୍ବାଇ, ୨୭।୪: ଦିଗ୍ଗଜ ଅଭିନେତା କନ୍ୱରଜିତ ପେଣ୍ଟଲ । ଯିଏ ଦିନେ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ ଆଜି ସେ କାମ ପାଇଁ ସଂଘର୍ଷ କରୁଛନ୍ତି । ବିଆର ଚୋପ୍ରାଙ୍କ କାଳଜୟୀ ଧାରାବାହିକ 'ମହାଭାରତ'ରେ 'ଶିଖଣ୍ଡୀ' ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିବା ଏହି ଅଭିନେତାଙ୍କୁ ଏବେ ବୟସର ଅପରାହ୍ନରେ ଅଭିନୟ ଅପେକ୍ଷା 'ସୋସିଆଲ ମିଡିଆ ଫଲୋଅର୍ସ'ର ଅଭାବ ଅଧିକ କଷ୍ଟ ଦେଉଛି । ଆଜିକାଲି ବଲିଉଡରେ ଏକ ନୂଆ ଧାରା ଚାଲିଛି ଯାହାର ଇନଷ୍ଟାଗ୍ରାମରେ ଯେତେ ଅଧିକ ଫଲୋଅର୍ସ, ତାକୁ ସେତେ ଅଧିକ କାମ । ଏହି କଥାକୁ ନେଇ ପେଣ୍ଟଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତା ମନମିତ ସିଂହଙ୍କ ଦ୍ୱାରା ନିର୍ମିତ ଏକ ବ୍ୟଙ୍ଗାତ୍ମକ ରିଲ୍ ମାଧ୍ୟମରେ ପେଣ୍ଟଲ ନିଜର କୋହ ପ୍ରକାଶ କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Manmeet Singh (@manmeet4you)

ଭିଡିଓରେ ମନମିତ ସିଂହ ପଚାରୁଛନ୍ତି, "ସାର୍, ଆପଣ ଜଣେ ଅଭିନେତା କି ?" ଏହାର ଉତ୍ତରରେ ପେଣ୍ଟଲ ଭାବୁକ ହୋଇ କହୁଛନ୍ତି, "ନା, ମୋର ଇନଷ୍ଟାଗ୍ରାମରେ ଫଲୋଅର୍ସ ନାହାନ୍ତି, ତେଣୁ ମୁଁ ଅଭିନେତା ନୁହେଁ ।" ପୁଣି ମନମିତ କହୁଛନ୍ତି, "ତା’ହେଲେ ଆମକୁ ଏବେ ଅଭିନୟ ଛାଡ଼ି କେବଳ ଫଲୋଅର୍ସ ବଢ଼ାଇବାକୁ ପଡ଼ିବ, କାରଣ ଅଭିନୟର ଏବେ କୌଣସି ମୂଲ୍ୟ ନାହିଁ ।" ମନମିତ ସିଂହ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଆଜିକାଲି କାଷ୍ଟିଂ ବେଳେ ଅଭିନେତାଙ୍କ ଅଭିଜ୍ଞତା ବା ତାଙ୍କର କଳାକୁ ଦେଖାଯାଉ ନାହିଁ । କେବଳ ସଂଖ୍ୟା ଦେଖି ସୁଯୋଗ ଦିଆଯାଉଛି । ଏହି ପୋଷ୍ଟରେ ଅଭିନେତ୍ରୀ ବୈଷ୍ଣବୀ ମ୍ୟାକଡୋନାଲ୍ଡ, ଡେଲନାଜ ଇରାନୀ ଏବଂ ତନାଜ ଇରାନୀଙ୍କ ଭଳି ଅନେକ ସେଲେବ୍ରିଟି ସହମତି ପ୍ରକାଶ କରିଛନ୍ତି ।

​​​​​​​​​​​​​​

'ଶକୁନି ମାମା' ଗୁଫି ପେଣ୍ଟଲଙ୍କ ଭାଇ ହେଉଛନ୍ତି କନ୍ୱରଜିତ୍:

ସୂଚନାଯୋଗ୍ୟ ଯେ, କନ୍ୱରଜିତ ପେଣ୍ଟଲ ହେଉଛନ୍ତି ସ୍ୱର୍ଗତ ଅଭିନେତା ଗୁଫି ପେଣ୍ଟଲଙ୍କ ଭାଇ । ମହାଭାରତରେ ଗୁଫି 'ଶକୁନି ମାମା' ସାଜିଥିବା ବେଳେ କନ୍ୱରଜିତ 'ଶିଖଣ୍ଡୀ' ସାଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଗୁଫି ପେଣ୍ଟଲ ହିଁ ସେତେବେଳେ ମହାଭାରତର କାଷ୍ଟିଂ ନିର୍ଦ୍ଦେଶକ ଥିଲେ । ପେଣ୍ଟଲ କେବଳ ଟିଭି ନୁହେଁ, ବରଂ ବଲିଉଡର ଅନେକ ସୁପରହିଟ୍ ଫିଲ୍ମରେ ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ କାମ କରିଛନ୍ତି । ତାଙ୍କର କିଛି ମୁଖ୍ୟ ଫିଲ୍ମଗୁଡ଼ିକ ହେଉଛି ବାବର୍ଚ୍ଚି, ଜୱାନୀ ଦିୱାନୀ, ରଫୁ ଚକ୍କର, ସତ୍ତେ ପେ ସତ୍ତା, ପିୟା କା ଘର, ରୋଟି, ହୀରା ପନ୍ନା । ଜଣେ ପ୍ରତିଭାବାନ କଳାକାରଙ୍କୁ ତାଙ୍କର ଦକ୍ଷତା ପାଇଁ ନୁହେଁ, ବରଂ ସୋସିଆଲ ମିଡିଆର ସଂଖ୍ୟା ପାଇଁ କାମ ନମିଳିବା ନିଶ୍ଚିତ ଭାବେ ଚଳଚ୍ଚିତ୍ର ଜଗତ ପାଇଁ ଏକ ଦୁଃଖଦାୟକ ସ୍ଥିତି ।​​​​​​​

ଆହୁରି ପଢ଼ନ୍ତୁ... ​​​​​​​ସଲ୍ଲୁଙ୍କ ପ୍ରଶଂସାରେ ଶତମୁଖ ହେଲେ ଚିତ୍ରାଙ୍ଗଦା, କହିଲେ-'ସେ ଜଣେ ଚମତ୍କାର ମଣିଷ'