ସୁନ୍ଦରଗଡ,୧୪।୧୧(ଆ.ପ୍ର.) ସୁନ୍ଦରଗଡ ଜିଲ୍ଲାର ବୟୋବୃଦ୍ଧ ସାମ୍ବାଦିକ ମାୟାଧର ନାଗ ଆଉ ନାହାନ୍ତି । ୮୫ ବର୍ଷ ବୟସରେ ଗୁରୁବାର ରାତିରେ ତାଙ୍କ ପୈତୃକ ଗ୍ରାମ ହେମଗିରି ବ୍ଲକର କନିକା ବାସ ଭବନରେ ଆଖି ବୁଜୁଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ହୋଇ ପ୍ରାୟ ୨ ମାସ ତଳୁ ଶଯ୍ୟାଶାୟୀ ଥିଲେ । ଶୁକ୍ରବାର ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ପ୍ରିୟ ପରିପରିଜନ ଅନ୍ତିମ ଦର୍ଶନ କରିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରା ଯାଇଛି । ପୁତ୍ର ସାମ୍ବାଦିକ ଡିଲେଶ୍ୱର ନାଗ ମୁଖାଗ୍ନି ଦେଇଥିଲେ ।
ମାୟାଧର ବାବୁ ୧୯୭୦-୭୧ରୁ ସାମ୍ବାଦିକତା ଆରମ୍ଭ କରି ତାଙ୍କ ସାମ୍ବାଦିକ ଜୀବନରେ ବେଶ ପ୍ରଶଂସା ସାଉଁଟି ଥିଲେ । ଜନ ସମସ୍ୟା ଓ ଗଠନ ମୂଳକ ସମ୍ବାଦ ପରିବେଷଣରେ ଅନ୍ୟ ସାମ୍ବାଦିକଙ୍କ ଠାରୁ ଆଗରେ ରହିଥିଲେ । ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଠିତ ପଶ୍ଚିମ ଓଡିଶା ସାମ୍ବାଦିକ ସଂଘର ଏକଦା ସେ ସଭାପତି ରହିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ସେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଥର ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ସାମ୍ବାଦିକ ସଙ୍ଗଠନ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି ।