ରାୟଗଡ଼ା, ୧୧।୩: ଉପାଧ୍ୟକ୍ଷା ପଦ ହରାଇଲେ ଶୁଭ୍ରାପଣ୍ଡା । ପୌର ପରିଷଦରେ ନୂଆ ସମୀକରଣ । ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ସ୍ଥଗିତ ରହିଥିବା ଫଳାଫଳ ଆଜି ଘୋଷଣା ହୋଇଛି । ଏହାପରେ ପଦ ହରାଇଛନ୍ତି ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା । ଶୁଭ୍ରାଙ୍କ ବିପକ୍ଷରେ ୧୯ ଓ ସପକ୍ଷରେ ଦୁଇଟି ଭୋଟ୍ ମିଳିଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଘୋଷଣା କରାଯାଇଛି । ଏଥିପାଇଁ ରାୟଗଡ଼ା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ଏହା ବି ପଢ଼ନ୍ତୁ... ଜିଲ୍ଲାପାଳଙ୍କ ବଡ଼ ଆକ୍ସନ: ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ, ଧାନ କ୍ରୟରେ ଅବହେଳା ପାଇଁ କଡ଼ା ଦଣ୍ଡ

ଗତ ନଭେମ୍ବର ୨୪ରେ ଗଣତି ସରିଥିଲା । ତେବେ ଗଣତି ପରେ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ । ଏହାପରେ ଗତ ଫେବୃୟାରୀ ୨୩ ତାରିଖରେ ରୋକ୍ ହଟାଇବା ସହିତ ଫଳାଫଳ ଘୋଷଣା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ରାୟ ପ୍ରକାରେ ଆଜି ପୌର ପରିଷଦ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯାଇଛି । ହାଇକୋର୍ଟ ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ଘୋଷଣା ହେବନାହିଁ ବୋଲି ନିର୍ବାଚନ ଅଧିକାରୀ ତଥା ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଜେନା ନଭେମ୍ବର ୨୪ରେ ସୂଚନା ଦେଇଥିଲେ । ବୁଧବାର ଟ୍ରେଜେରୀରେ ରଖାଯାଇଥିବା ଗଣତି ଫାଇଲ୍ ନେଇ ଉପଜିଲ୍ଲାପାଳ ଶ୍ରୀ ଜେନା ପୌର ପରିଷଦ କାର୍ଯ୍ୟାଳୟ ପହଞ୍ଚିଥିଲେ । ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ଆଣିଥିବା ସମସ୍ତ କାଉନସିଲର ଉପସ୍ଥିତିରେ ଉକ୍ତ ଫାଇଲ୍ ଓ ପ୍ୟାକେଟ ଖୋଲିବା ସହ ଘୋଷଣା କରିଥିଲେ । ଗଣତି ପାଇଁ କାଉନସିଲରମାନେ ଉପସ୍ଥିତ ରହିଛନ୍ତି । ଗଣତି ପ୍ରକୋଷ୍ଠରେ ଉପଜିଲ୍ଲାପାଳ ଶ୍ରୀ ଜେନାଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହାକୁ ନେଇ ଆଜି ଉତ୍କଣ୍ଠା ଲାଗିଥିଲା । ପୌର ପରିଷଦ କାର୍ଯ୍ୟାଳୟରେ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ପ୍ରକାଶ ଥାଉକି, ପୂର୍ବତନ ସାଂସଦ ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଅନେକ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ରାୟଗଡ଼ା ପୌର ପରିଷଦର ୧୯ ଜଣ କାଉନସିଲର ଏକକାଳୀନ ବିଜେଡି ଛାଡ଼ିଥିଲେ । ଏହାପରେ ରାୟଗଡ଼ା ପୌର ପରିଷଦର ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ବିଜେଡିର ୧୯ ଜଣ କାଉନସିଲର କାର୍ଯ୍ୟରେ ଅସହଯୋଗ ଓ ମନମୁଖୀ କାର୍ଯ୍ୟକଳାପ ନେଇ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏନେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ଏହାପରେ ବିଧିବଦ୍ଧ ଭାବେ ପ୍ରକ୍ରିୟା କରାଯାଇ ଅକ୍ଟୋବର ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଏଥିରେ ବିଜେଡିର ୨୦ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟିଂ କରିଥିଲେ । ତେବେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ଦ୍ୱାରା ହାଇକୋର୍ଟରେ ଅନାସ୍ଥା ବିରୋଧରେ ହୋଇଥିବା ଆବେଦନ ପ୍ରକାରେ ହାଇକୋର୍ଟ ଗଣତି ଉପରେ ରହିତାଦେଶ ଜାରି କରିଥିଲେ । ହାଇକୋର୍ଟ ବିଚାରପତି ଏହାର ଶୁଣାଣି କରି ଗଣତି ହୋଇପାରିବ ଏବଂ ଫଳାଫଳ ନୋଟିଫିକେସନ ଜାରି କରାଯାଇପାରିବ ନାହିଁ ବୋଲି ରାୟ ଦେଇଥିଲେ । ଫଳାଫଳ ଘୋଷଣା ପରେ କାଉନସିଲର ଓ ସେମାନଙ୍କ ସମର୍ଥକ ବିଜୟ ଉତ୍ସବ ପାଳନ କରିଥିଲେ । ବାଣ ଫୁଟାଇ ଚାଲି ଚାଲି ଯାଇଥିଲେ ।