ଜଗତସିଂହପୁର, ୧୧।୩: ଧାନ କ୍ରୟ ପ୍ରକ୍ରିୟାରେ ଅବହେଳା ଏବଂ ମଣ୍ଡିରେ ଅନୁପସ୍ଥିତ ରହିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୬୯ ଜଣ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସର ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO), ରାଜସ୍ୱ ନିରୀକ୍ଷକ (RI) ଏବଂ VLWମାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଏହି ଅଧିକାରୀମାନେ ନିଜ ନିଜର ଧାନ କ୍ରୟ କେନ୍ଦ୍ର ବା ମଣ୍ଡିରେ ଉପସ୍ଥିତ ନ ରହି ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ... ଅତିଷ୍ଠ ହେଲାଣି ଫେରିଘାଟ ଯନ୍ତ୍ରଣା: ଜମ୍ବୁ-ଖଲିନାସୀ ନଦୀ ସେତୁ ନିର୍ମାଣ ପଥଭ୍ରଷ୍ଟ, ମିଳୁନି ଆଇଏଡବ୍ଲୁର ଅନୁମତି

ଜିଲ୍ଲାର ସମସ୍ତ ପ୍ରମୁଖ ବ୍ଲକରେ କାର୍ଯ୍ୟରତ ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନର ପରିସରଭୁକ୍ତ ହୋଇଛନ୍ତି । ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂହପୁର, ଏରସମା ଏବଂ ବାଲିକୁଦା ସମସ୍ତ ବ୍ଲକ୍ ରେ ଥିବା ବିଭିନ୍ନ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ୩ ଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଆଦେଶନାମା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ୬୯ ଜଣ ଅଧିକାରୀଙ୍କ ଦରମା ବନ୍ଦ ରହିବ । ଏଥିସହିତ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କେଉଁ ପରିସ୍ଥିତିରେ ସେମାନେ କାର୍ଯ୍ୟରେ ଅବହେଳା କରିଛନ୍ତି, ସେନେଇ ଆସନ୍ତା ୩ ଦିନ ଭିତରେ ଲିଖିତ ଉତ୍ତର ରଖିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କ ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ । କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଆଗକୁ ମଧ୍ୟ ଏଭଳି କଠୋର ପଦକ୍ଷେପ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି ।