ନୂଆଦିଲ୍ଲୀ,୦୮/୦୯: ଆସନ୍ତା ୯  ତାରିଖ (ମଙ୍ଗଳବାର)ରେ ଦେଶର ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସଂସଦ ଭବନର ରୁମ ନମ୍ବର ଏଫ-୧୦୧  (ବସୁଧା)ରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ମତଦାନ ଶେଷ ହେବା ପରେ ଅପରାହ୍ନ ୬ଟାରେ ଭୋଟ ଗଣତି କରାଯିବ ଏବଂ ଫଳାଫଳ ଘୋଷଣା ହେବ ବୋଲି ରାଜ୍ୟସଭାର ମହାସଚିବ ତଥା ରିଟର୍ଣ୍ଣିଂ  ଅଫିସର ପି.ସି ମୋଦି କହିଛନ୍ତି ।  

ଏଥର ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ  ବରିଷ୍ଠ ବିଜେପି ନେତା ସିପି ରାଧାକ୍ରିଷ୍ଣନ  ଏବଂ ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା  ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.  ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ମୁକାବିଲା ହେଉଛି । ଉଭୟ ପ୍ରାର୍ଥୀ ଉତ୍ତର ଭାରତର ।  ରାଧାକ୍ରିଷ୍ଣନ ତାମିଲନାଡ଼ୁ ଏବଂ ଜଷ୍ଟିସ୍‌ ରେଡ୍ଡୀ  ତେଲଙ୍ଗାନାର ବାସିନ୍ଦା ।

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରବିବାର ଏନ୍‌ଡିଏ ସାଂସଦମାନଙ୍କର ଦୁଇ ଦିନିଆ  କର୍ମଶାଳା ଆରମ୍ଭ ହୋଇଛି । ଦିଲ୍ଲୀ ସଂସଦ  ପରିସରରେ ଥିବା ଜିଏମ୍‌ସି ବାଳଯୋଗୀ ଅଡିଟୋରିୟମରେ ଚାଲିଥିବା କର୍ମଶାଳାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ତେବେ ସେ ହଲ୍‌ରେ  ସମସ୍ତଙ୍କ ପଛରେ ବସିଥିବା ଦେଖିବାକୁ ମିଳିଥିଲା । ଗୋରଖପୁର ସାଂସଦ ରବି କିଶନ, ରାଜ୍ୟସଭା ସଦସ୍ୟ ସଙ୍ଗୀତା ବଳବନ୍ତ ଏହାର ଫଟୋ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । କର୍ମଶାଳାର ଉଦ୍ଦେଶ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶତ ପ୍ରତିଶତ ଭୋଟିଂ ପାଇଁ ସାଂସଦମାନଙ୍କୁ ଟ୍ରେନିଂ ଦେବା । ଏହା  ପୂର୍ବରୁ ସେପ୍ଟେମ୍ବର ୮ରେ ଏନ୍‌ଡିଏ ସାଂସଦଙ୍କ ପାଇଁ ପ୍ରଧାନମନ୍ତ୍ରୀ  ମୋଦି ଡିନର ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାକୁ ବାତିଲ  କରାଯାଇଛି । ଏହି କର୍ମଶାଳାରେ ଦୁଇ ଦିନରେ ୪ଟି ଅଧିବେଶନ  ଅନୁଷ୍ଠିତ ହେବ । ଏଥିରେ ଦଳର ଇତିହାସ ଏବଂ ବିକାଶ  ଉପରେ ଚର୍ଚ୍ଚା ହେବ । ଏଥିସହ ସାଂସଦଙ୍କ କାର୍ଯ୍ୟକୁଶଳତା ବଢ଼ାଇବା ଉପରେ ମଧ୍ୟ ଆଲୋଚନା ହେବ ।  ପ୍ରଥମ  ଦିନ ବୈଠକରେ ବିଜେପି ସାଂସଦମାନେ ଜିଏସ୍‌ଟି ସ୍ଲାବ୍‌ରେ  ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ।

ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ସୋମବାର ଇଣ୍ଡି ମେଣ୍ଟର ସାଂସଦମାନଙ୍କ ଏକ ବୈଠକ ଡକାଯାଇଛି ।  ଅପରାହ୍ନ ୨ଟା ୩୦ରେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲ୍‌ରେ  ଏହି ବୈଠକ ବସିବ । ବୈଠକରେ ମେଣ୍ଟ ସହଯୋଗୀ ଦଳର ସବୁ ସାଂସଦମାନେ ଉପସ୍ଥିତ ରହିବେ । ସେଥିରେ ଉପରାଷ୍ଟ୍ରପତି  ନିର୍ବାଚନ ଉପରେ ବ୍ୟାପକ ଆଲୋଚନା କରାଯିବ । ବୈଠକ ଅବସରରେ ଏକ ମକ୍‌ ପୋଲ୍‌ ମଧ୍ୟ ଆୟୋଜିତ ହେବ । ନିର୍ବାଚନ ସମୟରେ ସାଂସଦମାନେ କିଭଳି ନିର୍ଭୁଲ ଭାବରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିପାରିବେ ସେ ସମ୍ପର୍କରେ ସେମାନଙ୍କୁ ତାଲିମ୍‌ ଦିଆଯିବ । ଏହା ପରେ ସନ୍ଧ୍ୟା ୭ଟା ୩୦ ମିନିଟରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ ମେଣ୍ଟର ସାଂସଦମାନଙ୍କ ପାଇଁ ଡିନର ପାର୍ଟିର ଆୟୋଜନ କରିଛନ୍ତି । ପାର୍ଲାମେଣ୍ଟ ଆନେକ୍ସରେ ଏହି ଡିନର ପାର୍ଟି ଅନୁଷ୍ଠିତ ହେବ । ବିରୋଧୀ  ଦଳ ଉପରାଷ୍ଟ୍ରପତି ନିର୍ବାଚନକୁ ବୈଚାରିକ ଲଢ଼େଇ ବୋଲି  ଯୁକ୍ତି ବାଢ଼ିଛନ୍ତି ।୧୯୯୭ ଠାରୁ ବିରୋଧୀ ଦଳମାନେ କ୍ରମାଗତ  ଭାବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେଇଆସୁଛନ୍ତି ।  ହେଲେ ଶାସକ ଦଳର ପ୍ରାର୍ଥୀ ସବୁଥର ନିର୍ବାଚନରେ ବିଜୟୀ  ହୋଇଛନ୍ତି । କିନ୍ତୁ ଭୋଟ ହାରରେ କମ୍‌ ଓ ବେଶି ଦେଖାଯାଇଛି ।

ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର  ସାଂସଦମାନେ ଭୋଟ ଦେଇଥାନ୍ତି । ସେମାନଙ୍କୁ ନେଇ  ଇଲେକ୍ଟୋରାଲ କଲେଜ ଗଠନ କରାଯାଇଥାଏ । ଏହି ଇଲେକ୍ଟୋରାଲ କଲେଜରେ ଉଭୟ ଗୃହର ମୋଟ ୭୮୮ ସାଂସଦ  ସ୍ଥାନ ପାଇଥାନ୍ତି । ଅର୍ଥାତ ସେମାନେ ଭୋଟ ଦେବାକୁ ଯୋଗ୍ୟ  ବିବେଚିତ ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ରାଜ୍ୟସଭାର  ୨୩୩ ନିର୍ବାଚିତ ସଦସ୍ୟ, ୧୨ ଜଣ ମନୋନୀତ ସଦସ୍ୟ ଏବଂ  ଲୋକସଭାର ୫୪୩ ଜଣ ସଦସ୍ୟ ସାମିଲ ଅଛନ୍ତି । ହେଲେ  ବର୍ତ୍ତମାନ ଇଲେକ୍ଟୋରାଲ କଲେଜର ସଦସ୍ୟ ସଂଖ୍ୟା ରହିଛି  ୭୮୨ । ବର୍ତ୍ତମାନ ଲୋକସଭାର ୫ ଓ ରାଜ୍ୟସଭାର ଗୋଟିଏ  ଆସନ ଖାଲି ରହିଛି । ନିର୍ବାଚନ ଲାଗି ଜଣେ ପ୍ରାର୍ଥୀଙ୍କୁ ଅତିକମ୍‌ରେ  ୩୯୨ ଭୋଟ ଆବଶ୍ୟକ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏନ୍‌ଡିଏ  ପ୍ରାର୍ଥୀଙ୍କ ପଲା ଭାରି ଅଛି । କାରଣ ତାଙ୍କ ସପକ୍ଷରେ ୪୨୩  ସଦସ୍ୟଙ୍କ ସମର୍ଥନ ରହିଛି । ସେଥିରେ ଲୋକସଭାର ୨୯୩  ଏବଂ ରାଜ୍ୟସଭାର ୧୩୦ ସଦସ୍ୟ ଅଛନ୍ତି । ଯଦି ଏନ୍‌ଡିଏର  ସବୁ ସଦସ୍ୟ ରାଧାକ୍ରିଷ୍ଣଙ୍କ ସପକ୍ଷରେ ମତଦାନ କରନ୍ତି ତେବେ  ତାଙ୍କ ବିଜୟ ସୁନିଶ୍ଚିତ । ଏହାବ୍ୟତୀତ ୱାଇଏସ୍‌ଆରସିପି ମଧ୍ୟ  ତାଙ୍କୁ ସମର୍ଥନ ଘୋଷଣା କରିଛି ।  

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୨୧ ତାରିଖରେ ସ୍ୱାସ୍ଥ୍ୟଗତ  କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ ହଠାତ୍‌  ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡିଛି । ସମ୍ବିଧାନର ଧାରା  ୬୩ରୁ ୭୧ ଓ ଉପରାଷ୍ଟ୍ରପତି (ନିର୍ବାଚନ) ଆଇନ ଅନୁସାରେ  ଧନଖଡଙ୍କ ଇସ୍ତଫାର ୬୦ ଦିନ ଅର୍ଥାତ ସେପ୍ଟେମ୍ବର ୧୯ ତାରିଖ  ପୂର୍ବରୁ ନିର୍ବାଚନ କରାଯିବା ଆବଶ୍ୟକ