ନୂଆଦିଲ୍ଲୀ, ୯।୯: ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭୋଟ୍ ଦେଇଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ସଂସଦ ଭବନ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଉପରାଷ୍ଟ୍ରପତି ରେସ୍ରେ ଏନ୍ଡିଏ ପକ୍ଷରୁ ସିପି ରାଧାକ୍ରିଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ 'ଇଣ୍ଡି' ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି । ଆଜି ସଂସଦ ଭବନରେ ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି । ଭୋଟିଂ ପ୍ରକ୍ରିୟା ପରେ ଆଜି ସନ୍ଧ୍ୟାରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।
ମଙ୍ଗଳବାର ସକାଳ ୧୦ଟାରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ସରିବ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ହେବ । ବିଜୟୀ ପ୍ରାର୍ଥୀ ଦେଶର ୧୫ତମ ଉପରାଷ୍ଟ୍ରପତି ହେବେ । ନିର୍ବାଚିତ ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ । ସେପଟେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସାଂସଦମାନେ ଗୋପନ ବାଲଟ୍ ଜରିଆରେ ଭୋଟ୍ ଦାନ କରୁଛନ୍ତି । ଇଚ୍ଛା ଅନୁଯାୟୀ ଭୋଟ୍ ଦେବାର ସ୍ୱାଧୀନତା ସାଂସଦମାନଙ୍କର ରହିଥିଲେ ମଧ୍ୟ ସେମାନେ ସାଧାରଣତଃ ଦଳୀୟ ଆଧାରରେ ମତଦାନ କରିଥାନ୍ତି । ଗୋପନ ବାଲଟ୍ ଜରିଆ ଭୋଟ୍ ହେଉଥିବାରୁ କ୍ରସ୍ ଭୋଟିଂର ମଧ୍ୟ ଆଶଙ୍କା ରହୁଛି ।
ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ୍ ୭୮୧ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ରାଜ୍ୟସଭାର ୨୩୮ ହୋଇଥିବାବେଳେ ଲୋକସଭାର ୫୪୨ ସଦସ୍ୟ ରହିଛନ୍ତି । ଲୋକସଭାର ଗୋଟିଏ ଏବଂ ରାଜ୍ୟସଭାର ୬ଟି ଆସନ ଏବେ ଖାଲି ପଡ଼ିଛି । ତେଣୁ ଜିତିବା ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି ୩୯୧ । କିନ୍ତୁ ବିଜେଡି(୭) ଓ ବିଆର୍ଏସ୍(୪)ଭୋଟଦାନରୁ ବିରତ ରହିବେ ବୋଲି ପୂର୍ବରୁ ଘୋଷଣା କରିସାରିଥିବାରୁ ମ୍ୟାଜିକ୍ ସଂଖ୍ୟା ଆହୁରି ତଳକୁ ଖସିଯିବ । ଦେଖିବାକୁ ଗଲେ ଏନ୍ଡିଏର ୪୨୫ ସଦସ୍ୟ ରହିଛନ୍ତି । ଏଥିସହିତ ୱାଇଏସ୍ଆର୍ କଂଗ୍ରେସର ୧୧ ସାଂସଦଙ୍କ ସମର୍ଥନ ଏନ୍ଡିଏକୁ ମିଳିବ । ତେଣୁ ଏହାର ମୋଟ୍ ସଂଖ୍ୟା ୪୩୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ବିରୋଧୀ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ୩୨୪ ସାଂସଦଙ୍କ ସମର୍ଥନ ରହିଛି । ନିଜ ପ୍ରାର୍ଥୀଙ୍କ ସପକ୍ଷରେ କିଭଳି ଅଧିକରୁ ଅଧିକ ଭୋଟ୍ ପଡ଼ିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଲାଗି ପଡ଼ିଛନ୍ତି ।
#ଉପରାଷ୍ଟ୍ରପତି_ନିର୍ବାଚନ_ମତଦାନ_ଆରମ୍ଭ
— Prameya Odia (@prameyaodia) September 9, 2025
ସି.ପି. ରାଧାକ୍ରିଷ୍ଣନ୍- ବି. ସୁଦର୍ଶନ ରେଡ୍ଡୀ ମଧ୍ୟରେ ଟକ୍କର
ସଂସଦ ଭବନରେ ଉପରାଷ୍ଟ୍ରପତି ନିର୍ବାଚନ ଭୋଟିଂ
ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ
ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଗୋପନ ବାଲଟ୍ରେ ଭୋଟ୍ ଦେଉଛନ୍ତି ସାଂସଦ
ସନ୍ଧ୍ୟା ୬ଟାରେ ଭୋଟ ଗଣତି ପରେ ରେଜଲ୍ଟ pic.twitter.com/5N5vP9lya7