ନୂଆଦିଲ୍ଲୀ,୧୨/୭; ଭିଏତ୍‌ନାମର ଫୁ କ୍ୱୋକ ଦ୍ୱୀପ ନିକଟରେ ଗତକାଲି (ଶନିବାର) ଏକ ବୋଟ୍‌ ଓଲଟି ପଡ଼ିବାରୁ ୨ ମହିଳାଙ୍କ ସମେତ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ତାମିଲନାଡୁର ୧୦ ଜଣ ରହିଥିଲା ବେଳେ ଆନ୍ଧ୍ରପ୍ରଦେଶର ୩ ଓ କେରଳର ୨ ଜଣ ପର୍ଯ୍ୟଟକ ସାମିଲ ଅଛନ୍ତି । ୨୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବୋଟରେ ୩୨ ଜଣ ଭାରତୀୟ ଓ ୪ଜଣ କର୍ମଚାରୀ ଥିଲେ । ଘଟିଥିବା ବୋଟ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଭାରତୀୟ ଲାଭା ମୋବାଇଲ୍ସ ସହିତ ଜଡିତ ଥିଲେ । ଲାଭା ମୋବାଇଲ୍ସ ନିଜେ ଏହାର ଏକ୍ସ ଆକାଉଣ୍ଟରେ ଏହି ସୂଚନା ଦେଇଛି । କମ୍ପାନୀ କହିଛି ଯେ, ଦୁର୍ଘଟଣା ପରଠାରୁ ଏହା ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ।  କମ୍ପାନୀ ମୃତଦେହକୁ ଯଥାଶୀଘ୍ର ଫେରାଇ ଆଣିବା ପାଇଁ କାମ କରୁଛି ।  ଖୁସି ମନାଇବାକୁ ଯାଇଥିଲେ ଶବ ହୋଇ ଫେରିଲେ । ଲାଭା କର୍ମଚାରୀଙ୍କ ଭିଏତନାମ ଟ୍ରିପର ଦୁଃଖଦ ଅନ୍ତ ହୋଇଛି । ଉଚ୍ଚ ଲହଡ଼ି ଓ ଅଧିକ ଯାତ୍ରୀଙ୍କ ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସମସ୍ତ ୧୫ ଜଣ ଭାରତୀୟ ଲାଭା ମୋବାଇଲ୍ସ ସହିତ ଜଡିତ ଥିଲେ । କମ୍ପାନୀ ଅନୁଯାୟୀ, ସେମାନଙ୍କ ମଧ୍ୟରେ ୧୪ ଜଣ ଡିଲର ଏବଂ ବିତରକ ଏବଂ ଜଣେ କର୍ମଚାରୀ ଥିଲେ । ମୃତକଙ୍କ ପରିବାର ଅନୁଯାୟୀ, ଲାଭା ଦ୍ୱାରା ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର କିମ୍ବା ପ୍ରୋତ୍ସାହନ ସ୍ୱରୂପ ଏହି ଯାତ୍ରା ପ୍ରଦାନ କରାଯାଇଥିଲା। ମୃତକଙ୍କ ମଧ୍ୟରୁ ତାମିଲନାଡୁର ୧୦ ଜଣ, ଆନ୍ଧ୍ରପ୍ରଦେଶର ୩ ଏବଂ କେରଳ ୨ ଜଣ ଅଛନ୍ତି । ଲାଭା ମୋବାଇଲ୍ସ ଏକ ବିବୃତ୍ତିରେ କହିଛି ଯେ, ଦୁର୍ଘଟଣା ପରଠାରୁ ଏହା ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି । ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଲୋକସଭା ବିରୋଧୀ ଦଳ ନେତା ତଥା ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...Vietnam boat accident : ଭିଏତନାମରେ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଏହା ବି ପଢନ୍ତୁ...​​​​​​ଫୁ କ୍ୱୋକ୍ ଦୁର୍ଘଟଣା ପରେ ଚର୍ଚ୍ଚାରେ ଭିଏତନାମ, ଜାଣନ୍ତୁ ପ୍ରତି ବର୍ଷ କେତେ ଭାରତୀୟ ଯାଆନ୍ତି ? 

ଓସେନ ପର୍ଲ ଆଇଲାଣ୍ଡ କମ୍ପାନି ଦ୍ୱାରା ପରିଚାଳିତ ଏହି ସ୍ପିଡ୍‌ ବୋଟ ଏଜି-୨୬୭୫୧ ଫୁ କ୍ୱୋକ୍‌ ଅନ୍ତର୍ଗତ ହୋନ୍‌ ମେ ରୁଟ୍‌ରୁ ୩୨ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ଧରି ଆନ୍‌ ଥୋଇ ବନ୍ଦର ନିକଟ ଏନ୍‌ଗୋଆଇ ଦ୍ୱୀପକୁ ବୁଲାଇବା ଲାଗି ନେଉଥିଲା । ସ୍ୱଚ୍ଛ ଜଳ, ଛୋଟ ବେଳାଭୂମି ଓ ସାମୁଦ୍ରିକ ଶୈବାଳ ଲାଗି ଏହି ଦ୍ୱୀପ ବେଶ୍‌ ପରିଚିତ । ସାଧାରଣତଃ ପର୍ଯ୍ୟଟକମାନେ ଆନ୍‌ଥୋଇ ବନ୍ଦରରୁ ସ୍ପିଡ୍‌ ବୋଟ୍‌ ଯୋଗେ ଉକ୍ତ ଦ୍ୱୀପକୁ ବୁଲିବାକୁ ଯାଇଥାନ୍ତି । କିନ୍ତୁ ବୋଟ୍‌ଟି ଦ୍ୱୀପରେ ପହଞ୍ଚିବାର ୪୦୦ ମିଟର ପୂର୍ବରୁ ପୂର୍ବାହ୍ନ ୧୧ଟା ୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଚ୍ଚ ଲହଡ଼ି ଓ ଅଧିକ ସଂଖ୍ୟକ ପର୍ଯ୍ୟଟକ ଯୋଗୁ ବୋଟ୍‌ଟି ଓଲଟି ପଡ଼ିଥିବା ଆଶଙ୍କା କରାଯାଉଛି । କୌଣସି ପର୍ଯ୍ୟଟକ ଲାଇଫ୍‌ ଜ୍ୟାକେଟ ପିନ୍ଧି ନଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଆଦୌ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ବୋଟ୍‌ ଓଲଟି ପଡ଼ିବାରୁ ୧୫ ଜଣ ପର୍ଯ୍ୟଟକ ଏହା ତଳେ ରହି ଯାଇଥିଲେ । ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଛି ।

ସୂଚନା ମିଳିବା ପରେ ଅନ୍ୟ ବୋଟ୍‌ କର୍ମଚାରୀ, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାକାରୀ ଦଳ ତୁରନ୍ତ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ସେମାନେ ୧୭ ଜଣ ପର୍ଯ୍ୟଟକ ଓ ୪ ବୋଟ୍‌ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କିନ୍ତୁ ବୋଟ ତଳେ ରହିଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା । ସେମାନଙ୍କୁ ଉଦ୍ଧାର କଲା ବେଳକୁ ସମସ୍ତଙ୍କର ମୃତ୍ୟୁ ଘଟିସାରିଥିଲା । ଭିଏତ୍‌ନାମରେ ଥିବା ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ପକ୍ଷରୁ ସେଠାକାର କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି । ପ୍ରଭାବିତ ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି ।