ନୂଆଦିଲ୍ଲୀ,୧୧/୭ : ଭିଏତନାମରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଥିବା ଖବର ଆସିଛି । ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇଯାଉଥିବା ଏକ ବୋଟ୍ ଶନିବାର ଓଲଟି ପଡିଛି । ଏକ ସ୍ପିଡ୍ ବୋଟ୍ ଓଲଟି ପଡିବା ଫଳରେ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୨୧ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହାପରେ ଏବେ ଚର୍ଚ୍ଚାରେ ଭିଏତନାମ । ଏହି ଦୁଃଖଦ ଦୁର୍ଘଟଣା ଭିଏତନାମ ପରିଦର୍ଶନ କରୁଥିବା ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି ।
ଦକ୍ଷିଣ ପୂର୍ବ ଏସିଆର ସୁନ୍ଦର ଦେଶ ଭିଏତନାମ । ପୂର୍ବ କେତେକ ବର୍ଷରେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଶ୍ରେଷ୍ଠ ପସନ୍ଦ ଭାବରେ ଉଭା ହୋଇଛି । ୟୁରୋପର ମହଙ୍ଗା ଯାତ୍ରା କାରଣରୁ ଏବେ ବଡ଼ ସଂଖ୍ୟାରେ ଭାରତୀୟ ଭିଏତନାମ ଯାତ୍ରା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୪ରେ ୫ଲକ୍ଷରୁ ଅଧିକ ଏବଂ ୨୦୨୫ରେ ପ୍ରାୟ ୭.୫ଲକ୍ଷ ଭାରତୀୟ ପର୍ଯ୍ୟଟକ ଭିଏତନାମ ପରିଦର୍ଶନ କରିଥିଲେ। ସେହିଭଳି ୨୦୨୬ର ପ୍ରଥମ ଚାରି ମାସରେ (ଜାନୁଆରୀ-ଏପ୍ରିଲ), ୩.୨୪ ଲକ୍ଷରୁ ଅଧିକ ଭାରତୀୟ ଭିଏତନାମ ପରିଦର୍ଶନ କରିଛନ୍ତି ।
ଭିଏତନାମ ଏବେ ଭାରତୀୟମାନଙ୍କ ପାଇଁ ଦ୍ରୁତଗତିରେ ବଢ଼ୁଥିବା ବିଦେଶୀ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ ହୋଇଗଲାଣି। ୨୦୨୬ର ପ୍ରଥମ ଚାରି ମାସରେ (ଜାନୁଆରୀ-ଏପ୍ରିଲ), ୩.୨୪ଲକ୍ଷରୁ ଅଧିକ ଭାରତୀୟ ଭିଏତନାମ ପରିଦର୍ଶନ କରିଥିଲେ । ଯାହା ପୂର୍ବ ବର୍ଷ ତୁଳନାରେ ୫୯ ପ୍ରତିଶତ ବୃଦ୍ଧି ଅଟେ । କେବଳ ଏପ୍ରିଲ ମାସରେ ୮୧,୭୦୦ରୁ ଅଧିକ ଭାରତୀୟ ଭିଏତନାମ ଯାତ୍ରା କରିଥିଲେ। ପର୍ଯ୍ୟଟନ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବର୍ତ୍ତମାନର ଗତି ଜାରି ରହିଲେ ଏହି ବର୍ଷ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧୦ଲକ୍ଷରେ ପହଞ୍ଚିପାରେ।
ଟ୍ରାଭେଲ ଶିଳ୍ପ ଅନୁଯାୟୀ, ୟୁରୋପକୁ ଯାଉଥିବା ବିମାନ ଭଡା ବୃଦ୍ଧି, ପଶ୍ଚିମ ଏସୀୟ ଆକାଶମାର୍ଗରେ ବାଧା, ଅଧିକ ଯାତ୍ରା ସମୟ ଏବଂ ଇ-ଭିସା ପାଇଁ ସହଜ ସଂଯୋଗ ଭାରତୀୟମାନଙ୍କୁ ଭିଏତନାମ ଆଡକୁ ଟାଣି ଆଣିଛି । ବେଳାଭୂମି, ପର୍ବତ, ସାଂସ୍କୃତିକ ଐତିହ୍ୟ ଏବଂ ବିଳାସପୂର୍ଣ୍ଣ ରିସର୍ଟର ଏକ ବଜେଟ-ଅନୁକୂଳ ଅଭିଜ୍ଞତା ପ୍ରଦାନ କରୁଛି । ଭିଏତନାମ ଦ୍ରୁତ ଗତିରେ ଭାରତୀୟଙ୍କ ପାଇଁ ଏକ ଲୋକପ୍ରିୟ ପସନ୍ଦ ହେବାକୁ ଯାଉଛି। ଭାରତୀୟ ପର୍ଯ୍ୟଟକଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀଗୁଡ଼ିକ ସେମାନଙ୍କର ସେବା ବିସ୍ତାର କରିଛନ୍ତି । ଏୟାର ଇଣ୍ଡିଆ ହନୋଇ ଏବଂ ହୋ ଚି ମିହ୍ନ ସିଟିକୁ ବିମାନ ସେବା ଆରମ୍ଭ କରାଯାଇଛି । ସେହିଭଳି ଇଣ୍ଡିଗୋ ଦିଲ୍ଲୀ ଏବଂ କୋଲକାତାରୁ ସିଧାସଳଖ ବିମାନ ସେବା ପରିଚାଳନା କରୁଛି। ଭିଏତନାମର ବିମାନ କମ୍ପାନୀ ବିୟଟଜେଟ୍ ଭାରତର ଅନେକ ସହରରୁ ୧୦ଟି ରୁଟ୍ ଏବଂ ୭୮ଟି ସାପ୍ତାହିକ ଉଡ଼ାଣ ପରିଚାଳନା କରେ, ଯାହା ପୂର୍ବ ଅପେକ୍ଷା ଯାତ୍ରା ସହଜ ହୋଇଯାଇଛି ।