ଭୁବନେଶ୍ଵର, ୨୬/୧୨ : ଦଶନ୍ଧିର କ୍ୟାରିଅର... ୨୦୧୫ ମସିହାରେ ପାଇଥିଲେ ସରକାରୀ ଚାକିରି। ଅଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହି ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଠୁଳ କରୁଥିଲେ କଳା ଧନ। ତିଆରି କରିଥିଲେ କଳା ସାମ୍ରାଜ୍ୟ। ହେଲେ ଆଖି ପକାଇଦେଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁଙ୍କ ଘରେ ରେଡ୍। ଆଜି ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ନିହାରଙ୍କ ଅଫିସ୍ ଓ ପୈତୃକ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ମାରିଛି। ଚଢାଉ ବେଳେ ନିହାରଙ୍କର ୮ଟି ଦାମୀ ପ୍ଲଟ୍ ଠାବ ହୋଇଛି। ଏହା ସହ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।
ଶୁକ୍ରବାର ସକାଳେ ନିହାର ସରକାରଙ୍କ ମାଲକାନଗିରି ସହର ସ୍ଥିତ ତିନି ମହଲା କୋଠା, କାଲିମେଳା ସ୍ଥିତ ପୈତୃକ ଘର, ନବରଙ୍ଗପୁର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ମାଲକାନଗିରି ବିଡିଓ ଅଫିସ୍ ସ୍ଥିତ ଚାମ୍ବରରେ ଭିଜିଲାନ୍ସ ରେଡ୍ କରିଥିଲା। ଏହି ଚଢାଉରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ମାଲକାନଗିରି ଟାଉନ୍ ସ୍ଥିତ ଜୟନଗରରେ ନିହାରଙ୍କର ଏକ ତିନି ମହଲା କୋଠା ରହିଛି। ମାଲକାନଗିରି ସହରରେ ୬ଟି ଦାମୀ ପ୍ଲଟ୍, ମାଥିଲିରେ ୨ଟି ପ୍ଲଟ୍ ରହିଛି। ଚଢାଉ ବେଳେ ନିହାରଙ୍କ ଘରୁ ୨ ଲକ୍ଷ ୧୧ ହଜାର ୮୦୦ ଟଙ୍କା ଜବତ ହୋଇଛି। ଏହା ସହ ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଛି। ଭିଜିଲାନ୍ସ ଏବେ ଠାବ ହୋଇଥିବା ସମ୍ପତ୍ତିର ଆକଳନ କରୁଛି।
ଏହି ଖବରଟିକୁ ପଢନ୍ତୁ- ପ୍ଲଟ୍ ପ୍ରେମୀ ଫରେଷ୍ଟର... ଭିଜିଲାନ୍ସ ରେଡ୍ ବେଳେ ଘରୁ ମିଳିଲା ୧ କିଲୋ ସୁନା ଓ ବିଦେଶୀ ନୋଟ୍