ମୁମ୍ୱାଇ, ୨୭।୨: ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଦୟପୁରରେ ଆୟୋଜିତ ଏହି ରୟାଲ୍ ୱେଡିଂରେ ଉଭୟ ଆନ୍ଧ୍ର ଏବଂ କୋଡଭା ପରମ୍ପରାରେ ବିବାହ କରିଛନ୍ତି । ଏହି ଖୁସିର ମୁହୂର୍ତ୍ତରେ ସବୁଠାରୁ ଅଧିକ ଉତ୍ସାହିତ ଅଛନ୍ତି ବିଜୟଙ୍କ ସାନ ଭାଇ ଆନନ୍ଦ ଦେବରକୋଣ୍ଡା । ଉଭୟଙ୍କ ବିବାହକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି । ବିଜୟଙ୍କ ସାନ ଭାଇ ତଥା ଅଭିନେତା ଆନନ୍ଦ ଦେବରକୋଣ୍ଡା ନିଜର "ଭାଉଜ" ରଶ୍ମିକାଙ୍କୁ ପରିବାରକୁ ସ୍ୱାଗତ କରି ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି । ବିଜୟ-ରଶ୍ମିକାଙ୍କ ବିବାହ ପରେ ଭାବୁକ ହୋଇ ଭାଉଜଙ୍କୁ ସ୍ୱାଗତ କରି ଆନନ୍ଦ ଲେଖିଛନ୍ତି, "ଏବେ ତାଙ୍କ ଖୁସି କହିଲେ ନସରେ ଏବଂ ସେ ଆଉ କାହାଠାରୁ ରଶ୍ମିକାଙ୍କ ସମ୍ପର୍କରେ କିଛି ଲୁଚାଇବାକୁ ଚାହାଁନ୍ତି ନାହିଁ ।" ଆନନ୍ଦଙ୍କ ପୋଷ୍ଟରେ ଏକ ସୁନ୍ଦର ଫଟୋ ରହିଛି ଯେଉଁଥିରେ ବିଜୟ, ରଶ୍ମିକା ଏବଂ ଆନନ୍ଦ ତିନି ଜଣ ବହୁତ ଖୁସି ଦେଖାଯାଉଛନ୍ତି ।

"ବଦିନା, ଏଲା ଉନ୍ନାରୁ ?" - ପ୍ରଶଂସକଙ୍କ ପ୍ରଶ୍ନର ମିଳିଲା ଉତ୍ତର

ଆନନ୍ଦ ନିଜ ପୋଷ୍ଟରେ ଏକ ମଜାଦାର କଥା ଶେୟାର କରିଛନ୍ତି । ସେ ଲେଖିଛନ୍ତି "ଅନେକ ସମୟରେ ପ୍ରଶଂସକମାନେ ଜୋରରେ ପାଟି କରି ପଚାରୁଥିଲେ - 'ବଦିନା, ଏଲା ଉନ୍ନାରୁ ?' (ଅର୍ଥାତ୍ ଭାଉଜ ଆପଣ କେମିତି ଅଛନ୍ତି ?) । ସେତେବେଳେ ମୁଁ ବୁଝିପାରୁନଥିଲି କି କ’ଣ ଉତ୍ତର ଦେବି । କିନ୍ତୁ, ଆଜି ମୋ ଭାଇ ବିବାହିତ ଏବଂ ମୋତେ ରଶ୍ମିକାଙ୍କ ଭଳି ଜଣେ ଅତ୍ୟନ୍ତ ସକାରାତ୍ମକ ଏବଂ ଦୟାଳୁ ଭାଉଜ ମିଳିଛନ୍ତି ।" ଆନନ୍ଦ ଦୁଇଜଣଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଲେଖିଛନ୍ତି ଯେ, ସେମାନେ ସାରା ଜୀବନ ଏମିତି ହସୁଥାନ୍ତୁ ଏବଂ ପରସ୍ପରର ସାଥୀ ହୋଇ ରୁହନ୍ତୁ । ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । କହିରଖୁଛୁ ଯେ, ଆନନ୍ଦ ଦେବରକୋଣ୍ଡା ନିଜେ ମଧ୍ୟ ଜଣେ ଜଣାଶୁଣା ତେଲୁଗୁ ଅଭିନେତା । 'ଦୋରାସାନୀ' ଚଳଚ୍ଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଆନନ୍ଦ 'ମିଡିଲ୍ କ୍ଲାସ୍ ମେଲୋଡିଜ୍' ଏବଂ 'ବେବି' ଭଳି ଫିଲ୍ମ ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।