ନୂଆଦିଲ୍ଲୀ ୦୯/୦୬: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ୧୭ଟି ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ନେଇ ଲଣ୍ଡନ ଫେରାର ହୋଇଯାଇଥିବା ମାଲ୍ୟା ୯ ବର୍ଷ ପରେ ନିଜର ନୀରବତା ଭାଙ୍ଗିଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲ ସହିତ ୪ ଘଣ୍ଟାର ସାକ୍ଷାତକାରରେ ସେ ସବୁକିଛି ଖୁଲାସା କରିଛନ୍ତି। ବ୍ୟାଙ୍କ ଋଣ ଠାରୁ ଆରମ୍ଭ କରି ପଳାତକ ଏବଂ ଚୋର ଟ୍ୟାଗ୍ ପର୍ଯ୍ୟନ୍ତ ସବୁକିଛି ବିଷୟରେ କହିଛନ୍ତି।
ବିଜୟ ମାଲ୍ୟା ହୁଏତ ଏକ ବ୍ୟବସାୟିକ ପରିବାରରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ନିଜକୁ ପ୍ରମାଣିତ କରିବା ପାଇଁ ତାଙ୍କୁ ୪୦୦ ଟଙ୍କା ଦରମାରେ ଚାକିରି କରିବାକୁ ପଡିଥିଲା। ବାପା ବିଟ୍ଠଲ ମାଲ୍ୟାଙ୍କ ମୃତ୍ୟୁ ପରେ, ସେ ୟୁନାଇଟେଡ୍ ବ୍ରୁଏରାଇଜ୍ ଗ୍ରୁପ୍ କୁ ନିଜ ହାତକୁ ନେଇଥିଲେ, ଯାହା କିଙ୍ଗଫିସର୍ ବିୟର ପାଇଁ ଜଣାଶୁଣା।
୨୦୦୫ ମସିହାରେ, ବିଜୟ ମାଲ୍ୟା ଓ ତାଙ୍କ ପୁଅ ସିଦ୍ଧାର୍ଥଙ୍କ ୧୮ତମ ଜନ୍ମଦିନରେ ଏକ ପ୍ରିମିୟମ୍ ଉଡ଼ାଣ ଅଭିଜ୍ଞତା ପ୍ରଦାନ କରିବା ଲକ୍ଷ୍ୟରେ କିଙ୍ଗଫିସର୍ ଏୟାରଲାଇନ୍ସ ଆରମ୍ଭ କରିଥିଲେ । ୨୦୦୮ ସୁଦ୍ଧା ଏହା ଭାରତର ସର୍ବବୃହତ ଏୟାରଲାଇନ୍ସ ହୋଇଗଲା। ହେଲେ, ଖୁବ୍ ଶୀଘ୍ର ଆର୍ଥିକ ସମସ୍ୟା ଦେଖାଦେଲା। ମାଲ୍ୟା ବିମାନ କମ୍ପାନୀର ପତନ ପାଇଁ ସରକାରୀ ନୀତିକୁ ଦାୟୀ କରିଛନ୍ତି, ବିମାନ ଇନ୍ଧନ ମୂଲ୍ୟ ବଢିବା ଏବଂ ଅତ୍ୟଧିକ ବିକ୍ରୟ ଟିକସକୁ ପ୍ରମୁଖ ସମସ୍ୟା ବୋଲି ଉଲ୍ଲେଖ କରିଛନ୍ତି । ଏହି ସମୟରେ ବିଜୟ ମାଲ୍ୟା କଂଗ୍ରେସର ତତ୍କାଳୀନ ଅର୍ଥମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଥିଲେ, କିନ୍ତୁ ତାଙ୍କୁ ସରକାରଙ୍କଠାରୁ କୌଣସି ସାହାଯ୍ୟ ମିଳିନଥିଲା। ବିଦେଶୀ ନିବେଶ ପାଇଁ ଅନୁମତି ନମିଳିବା ଯୋଗୁଁ ବିମାନ କମ୍ପାନୀ ଦେବାଳିଆ ହେବା ସହ ବନ୍ଦ ହୋଇଯାଇଥିଲା ।
ମାଲ୍ୟା କହିଛନ୍ତି, ଯେ ଋଣ ଆଦାୟ ଟ୍ରିବ୍ୟୁନାଲ (DRT) ଅନୁଯାୟୀ, ତାଙ୍କର ୬,୨୦୩ କୋଟି ଟଙ୍କାର ଋଣ ରହିଛି, ଯେଉଁଥିରେ କେବଳ ସୁଧ ଅନ୍ତର୍ଭୁକ୍ତ, କିନ୍ତୁ ସରକାର ଦାବି କରୁଛନ୍ତି ଯେ ଏହା ୯,୦୦୦ କୋଟି ଟଙ୍କା । ଏପର୍ଯ୍ୟନ୍ତ, ତାଙ୍କ ସମ୍ପତ୍ତି ନିଲାମ କରି ୧୪,୦୦୦ କୋଟି ଟଙ୍କାରୁ ଅଧିକ ଆଦାୟ କରାଯାଇଛି। ମାଲ୍ୟା ଦାବି କରିଛନ୍ତି ଯେ ସରକାର କେଉଁ ସମ୍ପତ୍ତି ବିକ୍ରି କରିଛନ୍ତି ତାଙ୍କୁ କିଛି ଜଣାନାହିଁ। ଏହି ବିକ୍ରୟ ସତ୍ତ୍ୱେ, ସେ ଏବେ ବି ଯଥେଷ୍ଟ ସମ୍ପତ୍ତିର ମାଲିକ ଏବଂ ଲଣ୍ଡନରେ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଛନ୍ତି।
ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ଗତ ବର୍ଷ ବିବାହ କରିଥିଲେ। ସେ ତାଙ୍କ ସ୍ତ୍ରୀଙ୍କ ସହ ଲଣ୍ଡନରେ ରୁହନ୍ତି। ବାପା ଜଣେ ବ୍ୟବସାୟୀ କିନ୍ତୁ ପୁଅ ମଡେଲ ତଥା ଅଭିନେତା ଭାବରେ କାମ ଆରମ୍ଭ କରିଥିଲେ। ଅନେକ ଫିଲ୍ମ ଏବଂ ଟେଲିଭିଜନ ଶୋ’ରେ କାମ କରିଥିବା ସିଦ୍ଧାର୍ଥ ତାଙ୍କର ଅଧିକାଂଶ ସମୟ ସାମାଜିକ କାର୍ଯ୍ୟରେ ବିତାଇଥାନ୍ତି। ଏକ ଅନଲାଇନ୍ ଭିଡିଓ ଶୋ’ ହୋଷ୍ଟ କରୁଥିବା ସିଦ୍ଧାର୍ଥ ଗିନିଜ୍ ପାଇଁ ମାର୍କେଟିଂ ମ୍ୟାନେଜର ଭାବରେ ମଧ୍ୟ କାମ କରିଛନ୍ତି।
୨୦୧୯ ମସିହାରେ ଇଂରାଜୀ ଖବରକାଗଜ ଡେକାନ କ୍ରୋନିକଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ ଧ୍ୟାନ ଦେବା ପୂର୍ବରୁ ଅନେକ ବର୍ଷ ଧରି ଡିପ୍ରେସନ ସହିତ ସଂଘର୍ଷ କରୁଥିଲେ। ସେ ମାନସିକ ସ୍ୱାସ୍ଥ୍ୟ ଉପରେ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି, "ଇଫ୍ ଆଇ ଆମ୍ ଅନେଷ୍ଟ: ଏ ମେମୋଇର୍ ଅଫ୍ ମାଇ ମେଣ୍ଟାଲ୍ ହେଲ୍ଥ ଜର୍ଣ୍ଣି" ଏବଂ "ସ୍ୟାଡ୍-ଗ୍ଲାଡ୍"। ସେ ମାନସିକ ସ୍ୱାସ୍ଥ୍ୟ ଉପରେ ଅନେକ ଶୋ' ମଧ୍ୟ କରନ୍ତି। ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ, ସିଦ୍ଧାର୍ଥ ମାଲ୍ୟାଙ୍କର ୩୮୦ ନିୟୁତ ଡଲାରର ସମ୍ପତ୍ତି ଅଛି, ତାଙ୍କ ପିତାଙ୍କ ବ୍ୟବସାୟ ବ୍ୟତୀତ, ସେ ମନୋରଞ୍ଜନ ଏବଂ ମଡେଲିଂରୁ ମଧ୍ୟ ରୋଜଗାର କରୁଛନ୍ତି।