କୋକସରା,୨୮/୦୬: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତରୁ କରଲାଗୁଡାକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ସରସର। ବର୍ଷ ପରେ ବର୍ଷ ବିତୁଛି, ନିର୍ବାଚନ ହେଉଛି, ନେତା ମନ୍ତ୍ରୀ ଆସି ଗାଁର ବିକାଶ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ନିର୍ବାଚନ ପରେ ସବୁ ପ୍ରତିଶୃତି ସତେ ଯେମିତି ପାଣିର ଗାର ପାଳଟି ଯାଉଛି । ଦୀର୍ଘ ଦଶନ୍ଧି ପରେ ମଧ୍ୟ ବଦଳି ପାରିଲା ନାହିଁ ଏହି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଆବସ୍ଥା।
ଟେମରା ପଞ୍ଚାୟତ ଅଧୀନରେ ରହିଛି କରଲାଗୁଡା ଗାଁ । ଗ୍ରାମର ଜନସଂଖ୍ୟା ୧୦୦୦ ରୁ ଉର୍ଦ୍ଧ୍ୱ ହେବ । ପ୍ରତିବର୍ଷ ପଞ୍ଚାୟତ ଅନୁଦାନରୁ ଠିକାଦାର ପୋଷା ନୀତିରେ ଏହି ରାସ୍ତାରେ ମାଟି ମହରମ ପଡେ । ହେଲେ ବର୍ଷା ଦିନ ଆସିଲେ ଯେଉଁ ଅବସ୍ଥାକୁ ସେହି ଅବସ୍ଥା ହୋଇଯାଏ । ଗ୍ରାମର ଛାତ୍ରଛାତ୍ରୀ ସ୍କୁଲ କଲେଜ ଯିବା, ମେଡ଼ିକାଲକୁ ରୋଗୀ ଯିବା, ପିଡିଏସ ସାମଗ୍ରୀ ଆଣିବା ପାଇଁ ପଞ୍ଚାୟତକୁ ଯିବା, ବ୍ଲକ ସଦରକୁ ବିଭିନ୍ନ କାର୍ଯ୍ୟ ନେଇ ଯିବା ପାଇଁ ବର୍ଷା ଦିନେ ଆଣ୍ଠୁଏ କାଦୁଅ ରାସ୍ତା ଦେଇ ଯମ ଯନ୍ତ୍ରଣା ଭୋଗି ଗ୍ରାମବାସୀଙ୍କୁ ଯିବାକୁ ପଡୁଛି । କରଲାଗୁଡା ଗ୍ରାମବାସୀ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଟେମରା ଠାରୁ ଡେଙ୍ଗାଗୁଡାକୁ ସାମିଲ କରିବାକୁ ଦୀର୍ଘ ବର୍ଷ ହେବ ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ନିକଟରେ ଦାବି କରି ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ।
ତେଣୁ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଗତ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ରାସ୍ତାକୁ ସଡକ ଯୋଜନାରେ ସାମିଲ କରିବାକୁ କୈଳାସ ଚଳାନ, ଦେବରାଜ ପଟେଲ, କୌଶିକ ଛାତ୍ରୀଆ, ମହେଶ୍ବର ଦଳପତି, ଅଶୋକ ଦିଶାରୀ, ଶକ୍ତି ପୂଜାରୀ, ଈଶ୍ୱର ପୋଢ଼, ଗୌରାଙ୍ଗ ନାଏକ, ଧର୍ମୁ ପଟେଲ ପ୍ରମୁଖ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଗ୍ରାମବାସୀଙ୍କ ରାସ୍ତା ସମସ୍ୟା ଦିଗରେ ଯତ୍ନବାନ ହୋଇ ରାସ୍ତା କଡରେ ପାଇଁ ବାଟ ଫିଟାଇବେ ବୋଲି ଆଶା କରାଯାଉଛି ।