ନୂଆଦିଲ୍ଲୀ, ୧୮।୩: ଯଦି ଆପଣ ଏକ ଇଲେକ୍ଟ୍ରିକ୍ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବିଶ୍ୱର ପ୍ରସିଦ୍ଧ ଇଲେକ୍ଟ୍ରିକ୍ ଭେଇକିଲ୍ ବା EV ନିର୍ମାତା କମ୍ପାନୀ 'ଭିନଫାଷ୍ଟ' (VinFast) ନିଜ ଗ୍ରାହକଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛି । ଏଣିକି କମ୍ପାନୀର ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକ ବିନା କୌଣସି ଶୁଳ୍କରେ ମାଗଣାରେ ଚାର୍ଜ ହୋଇପାରିବ । ଭିଏତନାମର ଏହି ପ୍ରତିଷ୍ଠିତ କମ୍ପାନୀ ଭାରତ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସରେ ନିଜର ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ମାଗଣା ଚାର୍ଜିଂ ସୁବିଧାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧି କରିଛି । ପୂର୍ବରୁ ଏହି ସୁବିଧା ଏକ ସୀମିତ ସମୟ ପାଇଁ ଥିବାବେଳେ, ଏବେ ଏହାକୁ ୩୧ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କମ୍ପାନୀର 'V-Green' ଚାର୍ଜିଂ ଷ୍ଟେସନରେ ଗ୍ରାହକମାନେ କୌଣସି ଟଙ୍କା ନ ଦେଇ ନିଜ ଗାଡ଼ି ଚାର୍ଜ କରିପାରିବେ । ଖାସ୍ କଥା ହେଉଛି, ଏହି ସୁବିଧା କେବଳ ନୂଆ ଗ୍ରାହକ ନୁହେଁ ବରଂ ପୁରୁଣା ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ।
ଏହା ବି ପଢ଼ନ୍ତୁ... ଭାରତୀୟ ଅର୍ଥନୀତିକୁ ଗ୍ରାସିବ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଅଶୋଧିତ ତୈଳ ଡେଇଁଲା ୧୦୦ ଡଲାର, ବଢ଼ିଲା ଅର୍ଥନୀତି ଚିନ୍ତା
ପେଟ୍ରୋଲ ଏବଂ ଡିଜେଲ ଗାଡ଼ି ଛାଡ଼ି ଲୋକଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଆକୃଷ୍ଟ କରିବା ପାଇଁ କମ୍ପାନୀ “ଟ୍ରେଡ୍ ଗ୍ୟାସ୍ ଫର୍ ଇଲେକ୍ଟ୍ରିକ୍” ନାମକ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି । ଯେଉଁ ଗ୍ରାହକ ନିଜର ପୁରୁଣା ପେଟ୍ରୋଲ ଗାଡ଼ି ବଦଳରେ ଭିନ୍ ଫାଷ୍ଟର ଇଲେକ୍ଟ୍ରିକ୍ କାର୍ କିଣିବେ, ସେମାନଙ୍କୁ ୩% ଏବଂ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ୫% ପର୍ଯ୍ୟନ୍ତ ଅତିରିକ୍ତ ରିହାତି ମିଳିବ । ଏହି ଅଫର୍ ୧୧ ମାର୍ଚ୍ଚରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ ।
କମ୍ପାନୀର କହିବା ଅନୁଯାୟୀ, ଯଦି ଗାଡ଼ି ଚଳାଇବା ଖର୍ଚ୍ଚ କମିଯିବ ତେବେ ଲୋକେ ଶୀଘ୍ର ପ୍ରଦୂଷଣମୁକ୍ତ ଗାଡ଼ି ଆପଣେଇବେ । ଏହି ଚିନ୍ତାଧାରାକୁ ନେଇ କମ୍ପାନୀ “ଗ୍ରୀନ୍ ଫର୍ ଅଲ୍” ପ୍ରୋଗ୍ରାମ ମଧ୍ୟ ଚଲାଉଛି । ମାଗଣା ଚାର୍ଜିଂ ସୁବିଧା ଦ୍ୱାରା ଗ୍ରାହକଙ୍କର ଚାର୍ଜିଂ ବାବଦରେ ହେଉଥିବା ମୋଟା ଅଙ୍କର ଟଙ୍କା ବଞ୍ଚିପାରିବ, ଯାହାଫଳରେ ଇଲେକ୍ଟ୍ରିକ୍ କାର୍ ଚଲାଇବା ପ୍ରାୟତଃ ମାଗଣା ପରି ହୋଇଯିବ । ଏହି ପଦକ୍ଷେପ ଦ୍ୱାରା କେବଳ ଗ୍ରାହକଙ୍କର ଆର୍ଥିକ ଉନ୍ନତି ହେବ ନାହିଁ, ବରଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ଏହା ବଡ଼ ସହାୟକ ହେବ ବୋଲି ଆଶା କରାଯାଉଛି ।