ନୂଆଦିଲ୍ଲୀ,୧୮/୦୩: ଭାରତର ଅର୍ଥନୀତିକୁ ଗ୍ରାସିଲାଣି ବସିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇରାନ-ଇସ୍ରାଏଲ ଓ ଆମେରିକା ସଂଘର୍ଷ ଯୋଗୁ ଅଶୋଧିତ ତୈଳ ଦର ୧୦୦ ଡଲାର ଡେଇଁଗଲାଣି । ଗ୍ୟାସ ସଂକଟ ଯୋଗୁ ହାଣ୍ଡିଶାଳଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ପ୍ରଭାବିତ । ଏଥିମଧ୍ୟରେ ଅଭିବୃଦ୍ଧି ପ୍ରଭାବିତ ହେବା ଆଶଙ୍କା ରହିଛି । ସେହିଭଳି ଦରଦାମ ସମସ୍ୟା ଆହୁରି ତେଜିବ ବୋଲି ଅନୁମାନ କରାଯାଉଛି ।

ପଶ୍ଚିମ ଏସିଆରେ ଚାଲିଥିବା ସମସ୍ୟା ଯୋଗୁ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ରହିଛି । ଭରତ ଏହାର ଆବଶ୍ୟକତାର ପାଖାପାଖି ୯୦% ଅଶୋଧିତ ତୈଳ ଏବଂ ଅଧା ଏଲ୍‌ପିଜି ଆମଦାନି କରିଥାଏ । ଇରାନ ଦ୍ୱାରା ହୋର୍ମୁଜ ଜଳପଥ ବନ୍ଦ ହେବା ଫଳରେ ଭାରତର ପ୍ରାୟ ଅଧା ଅଶୋଧିତ ତୈଳ ଏବଂ ତିନି ଚତୁର୍ଥାଂଶ ଏଲ୍‌ପିଜି ଆମଦାନି ପ୍ରଭାବିତ ହୋଇଛି । ଯୋଗାଣ ପ୍ରଭାବିତ ହେବା ଫଳରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍‌ କରିଯାଇଛି । ଯୁଦ୍ଧର ପ୍ରଭାବ ଘରୋଇ ବଜାରରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଗ୍ୟାସ ସଂକଟ ଦ୍ୱାରା ପରିବାର, ରେସ୍ତୋରାଁ, କ୍ଷୁଦ୍ର ବ୍ୟବସାୟଗୁଡ଼ିକ ପ୍ରଭାବିତ ହୋଇଥିବାବେଳେ ଏଲ୍‌ପିଜି ଉପରେ ନିର୍ଭରଶୀଳ ଶିଳ୍ପଗୁଡ଼ିକରେ କାରବାର ବ୍ୟାହତ ହୋଇଛି । ଦୂରରେ ଚାଲିଥିବା ଭୁରାଜନୈତିକ ସମସ୍ୟା ଏବେ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି ।

ଗୋଲ୍‌ଡମ୍ୟାନ୍‌ ସାଚ୍‌ସ, ଅଷ୍ଟ୍ରେଲିଆ ଆଣ୍ଡ୍‌ ନ୍ୟୁଜିଲାଣ୍ଡ ବ୍ୟାଙ୍କିଙ୍ଗ୍‌ ଗ୍ରୁପ ଏବଂ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ବିଶ୍ଲେଷକମାନେ କୁହନ୍ତି ଯେ, ଆମଦାନି ଶକ୍ତି ଉପରେ ଭାରତର ଅଧିକ ନିର୍ଭରତା ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିବ । ଗୋଲ୍‌ଡମ୍ୟାନ୍‌ ୨୦୨୬ ପାଇଁ ଭାରତର ଅଭିବୃଦ୍ଧିକୁ ୦.୫% କମାଇ ୬.୫% କରିଛି । ଅଷ୍ଟ୍ରେଲିଆ ଆଣ୍ଡ୍‌ ନ୍ୟୁଜିଲାଣ୍ଡ ବ୍ୟାଙ୍କିଙ୍ଗ୍‌ ଗ୍ରୁପ ମଧ୍ୟ ଏହାର ଅନୁମାନକୁ ହ୍ରାସ କରିଛି । ଆଲୋଚ୍ୟ ବର୍ଷରେ ଭାରତର ଅଭିବୃଦ୍ଧି ୬.୫%ରୁ ୬.୮% ରହିବ ବୋଲି ଏହା ଅନୁମାନ କରିଛି । ଏହାର ପୂର୍ବ ଅନୁମାନ ଥିଲା ୭%  । ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ୍‌ର ଅର୍ଥନୀତିଜ୍ଞ ଗୌରବ କପୁର କହିଛନ୍ତି ଯେ, ସାମ୍ପ୍ରତିକ ସମସ୍ୟା ମଧ୍ୟରେ ଭାରତର ଅଭିବୃଦ୍ଧି ୩୦ ବେସିସ୍‌ ପଏଣ୍ଟ ହ୍ରାସ ପାଇବ । ଆଲୋଚ୍ୟ ବର୍ଷରେ ଭାରତର ବିକାଶ ହାର ପାଖାପାଖି ୬.୫% ରହିପାରେ । ଦୁର୍ବଳ ଚାହିଦା ଯୋଗୁ ସୁଧାର ପ୍ରକ୍ରିୟା ଧିମା ହୋଇପାରେ ବୋଲି କପୁର କହିଛନ୍ତି । ତେବେ ଅଭିବୃଦ୍ଧି ଉପରେ ପ୍ରଭାବ ମୁଦ୍ରାସ୍ଫୀତିଠାରୁ ଅଧିକ ରହିବ ବୋଲି ସେ କହିଛନ୍ତି ।