ନୂଆଦିଲ୍ଲୀ – ପାକିସ୍ତାନର ଅଶାନ୍ତ ଖୈବର ପଖତୁନଖ୍ୱା ପ୍ରାନ୍ତରେ ସୋମବାର ଭିନ୍ନ ଭିନ୍ନ ଘଟଣାରେ ଜଣେ ପୋଲିଓ କର୍ମୀ ଓ ଜଣେ ପୁଲିସ କନେଷ୍ଟବଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦେଶରେ ସୋମବାର କଡ଼ା ସୁରକ୍ଷା ମଧ୍ୟରେ ସପ୍ତାହ ଧରି ଅନୁଷ୍ଠିତ ପୋଲିଓ ଟିକା ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ପ୍ରଥମ ଦିନ ଅଜଣା ଆକ୍ରମଣକାରୀ ବନ୍ନୁ ଜିଲ୍ଲାରେ ଜଣେ ପୋଲିଓ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାଲା ଖେଳ ମସ୍ତି ଖାନ୍‌ରେ ଏହି ଘଟଣା ଘଟାଇ ଆକ୍ରମଣକାରୀ ଫେରାର ହୋଇଛନ୍ତି। ପୁଲିସର କହିବାନୁସାରେ , ପୋଲିଓ କର୍ମୀ ନିଜର ଡ୍ୟୁଟିକୁ ଯାଉଥିଲେ, ସେତେବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। 

କରକ ଜିଲ୍ଲାରେ ଆଉ ଏକ ଭିନ୍ନ ଘଟଣାରେ ପୋଲିଓ କର୍ମୀଙ୍କ ଟିମ୍‌ର ସୁରକ୍ଷାରେ ମୁତୟନ କନଷ୍ଟେବଲ ଇସ୍ତିୟାକ ଅହମ୍ମଦଙ୍କୁ ହତ୍ୟା କରାଯାଇଛି। ଅଜଣା ମୋଟରସାଇକେଲ୍‌ ଚାଳକ ଦ୍ୱାରା ଫାୟାରିଂ ପରେ ତାଙ୍କର ମୃତ୍ୟୁ ହୋଇଛି। ଖୈବର ପଖତୁନଖ୍ୱାର ଗଭର୍ଣ୍ଣର ଫୈସଲ କରିମ କୁଣ୍ଡି ଓ ମୁଖ୍ୟମନ୍ତ୍ରୀ ଅଲୀ ଅମିନ ଗଣ୍ଡାପୁର ପ୍ରାନ୍ତରେ ପୋଲିଓ ଟିମ୍ ଉପରେ ହମଲାକୁ ନିନ୍ଦା କରିଛନ୍ତି। 

କହି ରଖୁଛୁ କି, ପାକିସ୍ତାନରେ ସୋମବାର କଡ଼ା ସୁରକ୍ଷା ଭିତରେ ସପ୍ତାହେ ଧରି ଚାଲିବାକୁ ଥିବା ପୋଲିଓ ଟିକା ଅଭିଯାନ ଆରମ୍ଭ କରାଯାଇଛି। ମଣିଷକୁ ଅକ୍ଷମ କରି ଦେଉ ଥିବା ଏହି ରୋଗ ବିରୋଧରେ ଲଢେଇ ସୁନିଶ୍ଚିତ କରିବା ପାଇଁ ଏହି ଅଭିଯାନ ଚାଲୁ ରହିଛି। ଉଲ୍ଲେଖନୀୟ ଯେ, ପାକିସ୍ତାନରେ ଚଳିତ ବର୍ଷ ପୋଲିଓ ମାମଲା ବୃଦ୍ଧି ନଜର ଆସିଛି। ଏବେସୁଦ୍ଧା ୬୩ ଟି ମାମଲା ସାମ୍ନାକୁ ଆସିଛି।