ନୂଆଦିଲ୍ଲୀ, ୧୭/୦୭ : ବାଂଲାଦେଶ ପୁଣି ଅଶାନ୍ତ। ଗୃହଯୁଦ୍ଧରେ ଜଳୁଛି ପଡୋଶୀ ଦେଶ। ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ସହର ଗୋପାଳଗଞ୍ଜରେ ବୁଧବାର ନ୍ୟାସନାଲ ସିଟିଜେନ ପାର୍ଟି ଦ୍ଵାରା ଆୟୋଜିତ ରାଲିରେ ଭୀଷଣ ହିଂସାକାଣ୍ଡ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ବୁଧବାର ରାତି ୮ଟାରୁ ୨୨ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି। ଉପଦ୍ରବକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହମ୍ମଦ ୟୁନୁସ କହିଛନ୍ତି।
ବାଂଲାଦେଶ ଖବରକାଗର ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ନ୍ୟାସନାଲ ସିଟିଜେନ୍ ପାର୍ଟି ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା। ଏହାକୁ ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ପକ୍ଷରୁ ବିରୋଧ କରାଯାଇଥିଲା। ଉପଦ୍ରବକାରୀମାନେ ଏନସିପିର ରାଲିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ବହୁ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରିଥିଲେ। ଏପରିକି ଅସ୍ତ୍ରଶସ୍ତ୍ର ଧରି ଡରାଇବା ଧମକାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଆବାମୀ ଲିଗ୍ର କାର୍ଯ୍ୟକର୍ତ୍ତା ଏବଂ ନ୍ୟାସନାଲ ସିଟିଜେନ୍ ପାର୍ଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ସୁରକ୍ଷା ବାହିନୀ ଫାଇରିଂ କରିଥିଲା। ଏହି ହିଂସାକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି।
ଏଭଳି ଅଭାବନୀୟ ଘଟଣା ପାଇଁ ଏନସିପି ଏବଂ ଆବାମୀ ଲିଗ୍ ପାର୍ଟି ପରସ୍ପରକୁ ଦାୟୀ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସେନା ଗୁଳିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ହିଂସାକାଣ୍ଡ ପରେ ନିର୍ବାସିତ ହୋଇ ଭାରତରେ ରହୁଥିବା ଶେଖ ହସିନାଙ୍କ ଅଡ଼ୁଆ ବଢିପାରେ। ତାଙ୍କ ପାର୍ଟି ଉପରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ପୂର୍ବରୁ ଆଗାମୀ ଲିଗର ସମସ୍ତ ରାଜନୈତିକି ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ହିଂସାକାଣ୍ଡ ପରେ ଏବେ ସରକାର ଆହୁରି କଠୋର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।