ଭୁବନେଶ୍ବର ୮/୧ : ସୋସିଆଲ ମିଡିଆର ଟ୍ରେଣ୍ଡ ଏବେ ସମସ୍ତଙ୍କୁ ଘାରିଛି । କିଏ ବିପଦପୂର୍ଣ୍ଣ ଷ୍ଟଣ୍ଡ କରୁଛି ତ ଆଉ କିଏ ଅର୍ଦ୍ଧଲଙ୍ଗଳା ହୋଇ ରିଲ୍ସ ବନାଉଛି । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆମେ କେମିତି ଭାଇରାଲ ହେବୁ । ଏମିତିକି ଲାଇକ୍, କମେଣ୍ଟ ପାଇଁ ଅନେକ ଜୀବନକୁ ବାଜି ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାସହ ଏହି ଭାଇରାଲ ହେବାର ନିଶା ପାଇଁ ଅନେକଙ୍କ ଜୀବନ ମଧ୍ୟ ଯାଇଛି । ଯାହାକି ପୂର୍ବରୁ ଆପଣମାନେ ଗଣମାଧ୍ୟମରେ ଦେଖିଥିବେ । ନିକଟରେ ଓଡ଼ିଶାରେ ଜଣେ ନାବାଳକ ଟ୍ରେନ ଟ୍ରାକରେ ଶୋଇଥିବା ଖବର ମଧ୍ୟ ଜାଣିଥିବେ ନିଶ୍ଚୟ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଭାଇରାଲ ହେବାକୁ ଚାହାନ୍ତି । ଏହାସହ ଆପଣମାନେ ସୋସିଆଲ ମିଡିଆ ଖୋଲିଲେ ତାହା ଦେଖିବାକୁ ପାଉଥିବେ ନିଶ୍ଚୟ ।

ସୋସିଆଲ ମିଡିଆରେ ଭାଇରାଲ ହେବାର ନିଶା ଅନେକଙ୍କ ଜୀବନ ମଧ୍ୟ ନେଇଛି । ତେବେ ଭାରତରେ ଇନଫ୍ଲୁଏନ୍ସର ଏବଂ ସୋସିଆଲ ମିଡିଆ କଣ୍ଟେନକ୍ରିଏଟରଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି । ଯାହାକି ଏବେ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ମଧ୍ୟ ପାଲଟିଛି । ୨୦୨୫ରେ ଆସିଥିବା ଏକ ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଭାରତରେ ଇନଫ୍ଲୁଏନ୍ସରଙ୍କ ସଂଖ୍ୟା ୩୨୨ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ମସିହାରେ ୯.୬ ଲକ୍ଷ ଇନଫ୍ଲୁଏନ୍ସର ଥିଲେ । ଯାହାକି ୨୦୨୪ ମସିହାରେ ୪୦.୬ ଲକ୍ଷରେ ପହଞ୍ଚିଛି । ଏମାନେ ୟୁଟ୍ୟୁବ ଭଳି ବିଭିନ୍ନ ସୋସିଆଲ ମିଡିଆରୁ ରୋଜଗାର ମଧ୍ୟ କରିଥାନ୍ତି । ଯାହାକି ଏବେ ଇନକମର ଏକ ଭଲ ମାଧ୍ୟମ ମଧ୍ୟ ପାଲଟିଛି ।

ଯେତେ​‌ ଭିୟ୍ୟୁ ଏବଂ ଏନଗେଜ ବଢ଼ିବ ସେତେ ଟଙ୍କା ମିଳିବ । ଏଣୁ ଅନେକ ଲୋକ ବିପଦପୂର୍ଣ୍ଣ ଷ୍ଟଣ୍ଡକୁ ମଧ୍ୟ ବାଛିଥାନ୍ତି । ଯେର୍ଉଥିପାଇଁ ଜୀବନ ମଧ୍ୟ ଚାଲିଯାଇଥାଏ । ଗତବର୍ଷ ରିଲ୍ସ ପାଇଁ ଅନେକଙ୍କ ଜୀବନ ଯାଇଛି । ୨୦୨୬ ବର୍ଷ ଆରମ୍ଭରୁ ହରିୟାଣାରେ ଭାଇ-ଭଉଣୀ ରେଳଟ୍ରାକରେ ରିଲ୍ସ କରୁଥିବାବେଳେ ସେମାନେ ଜୀବନ ହରାଇଥିଲେ । ଏମିତି ଅନେକ ଖବର ମଧ୍ୟ ଶିରୋନାମା ପାଲଟିଛି । ଆମ ରାଜ୍ୟରେ ମଧ୍ୟ ରେଳ ଟ୍ରାକରେ ରିଲ୍ସ କରି ଜୀବନ ଯିବାର ଉଦାହରଣ ରହିଛି । ଏହାସହ ଭରା ନଇରେ ମଦ୍ୟ ରିଲ୍ସ କରି ଜୀବନ ଯାଇଛି । ଏଭଳି ଅନେକ ଉଦାହରଣ ରହିଛି, ବିପଦପୂର୍ଣ୍ଣ ରିଲ୍ସ ପାଇଁ ଅକାଳରେ ଜୀବନ ଯାଇଛି ।

ଶେଷରେ ଆମର ଏହି ଲେଖା ମାଧ୍ୟମରେ ଆମେ ଏତିକି କହିବାକୁ ଚାହୁଁଛୁ, ଭାଇରାଲ ହେବାର ନିଶା ଛାଡ଼ନ୍ତୁ । ଆପଣଙ୍କ ଜୀବନ ତ ପଳାଇବ ହେଲେ ତୁମ ପରିବାର କେତେ ଯେ ଦୁଃଖ ପାଇବ ତାହା ବିଷୟରେ ଥରେ ଚିନ୍ତା କରନ୍ତୁ ।