ନୂଆଦିଲ୍ଲୀ,୨୮/୧୧; ଟେଷ୍ଟ ପରେ ପୁରୁଷ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ଏହି ମ୍ୟାଚ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲି ରାଞ୍ଚିରେ ପହଞ୍ଚି ସାରିଛନ୍ତି । ସମସ୍ତେ ଜାଣିଛେ ରାଞ୍ଚି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ହୋମ୍ ଟାଉନ୍ । ଧୋନୀ ବିରାଟ କୋହଲି, ରିଷବ ପନ୍ତଙ୍କ ପରି ଖେଳାଳିଙ୍କ ପାଇଁ ତାଙ୍କ ଘରେ ଡିନର୍ ପାର୍ଟି ରଖିଥିଲେ । ମୈଦାନ ବାହାରେ ହେଉ ପଛେ ଫ୍ୟାନ୍ସ ପୁଣି ଥରେ ବିରାଟ ଏବଂ ଧୋନୀଙ୍କ ରୂପରେ ଜୟ-ବୀରୁଙ୍କ ଦେଖିବାକୁ ପାଇଛନ୍ତି ।

ଧୋନୀ ତାଙ୍କ ଘରେ ଡିନର ପାର୍ଟି ହୋଷ୍ଟ କରିବା ପରେ ବିରାଟ କୋହିଲଙ୍କୁ ନିଜେ ଗାଡ ଚଲାଇ ହୋଟେଲ ଛାଡିବାକୁ ଯାଇଥିଲେ । ଏହି ସମୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫ୍ୟାନ୍ସ ଏହି ଭିଡିଓ ଖୁବ୍ ପସନ୍ଦ କରୁଛନ୍ତି । ବିରାଟ କୋହଲି ତାଙ୍କ କ୍ୟାରିୟରର ଆରମ୍ଭ ଏମଏସ୍ ଧୋନୀଙ୍କ କ୍ୟାପ୍ଟେନ୍ସିରେ କରିଥିଲେ । କୋହଲିଙ୍କୁ କ୍ୟାପ୍ଟେନ୍ କରିବାରେ ମଧ୍ୟ ଧୋନୀଙ୍କର ଭୂମିକା ରହିଛି । ଧୋନୀ ଅଧିନାୟକତ୍ୱ ଛାଡିବା ପରେ ସବୁ ଫର୍ମାଟରେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳିଥିଲେ ବିରାଟ କୋହଲି । ଭାରତୀୟ କ୍ରିକେଟରୁ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇଥିଲେ ବିରାଟ । ୨୦୨୦ ଅଗଷ୍ଟ ୧୫ରେ ଧୋନୀ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲଗିଦା କହିଥିଲେ । ଏବେ ସେ କେବଳ ଆଇପିଏଲ ଖେଳୁଛନ୍ତି । ସେହିପରି ବିରାଟ କୋହଲି ଟେଷ୍ଟ ଏବଂ ଟି-ଟ୍ୱେଣ୍ଟି କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ସେ କେବଳ ଦିନିକିଆ ଖେଳୁଛନ୍ତି । ବୁଧବାର ଲଣ୍ଡନକୁ ରାଞ୍ଚିରେ ପହଞ୍ଚିଥିଲେ କୋହଲି । ଗୁରୁବାର ଧୋନୀଙ୍କ ଘରେ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଦୀର୍ଘ ଦିନ ପରେ ବିରାଟ-ଧୋନୀଙ୍କୁ ଏକାଠୀ ଦେଖି ଫ୍ୟାନ୍ସ ଖୁସିବ୍ୟକ୍ତ କରିଛନ୍ତି ଏବଂ ରିୟୁନିୟନ ଅଫ୍ ଦି ଇୟର ବୋଲି କହିଛନ୍ତି ।

​​​​​​​କହି ରଖୁଛୁ କି, ଭାରତ ରାଞ୍ଚିରେ ୨୦୨୪ରେ ତାର ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲା । ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ରାଞ୍ଚିରେ ଖେଳାଯାଇଥିଲା । ବିରାଟ କୋହଲି ଉକ୍ତ ମ୍ୟାଚରେ ଖେଳିନଥିଲେ । କାରଣ ଦ୍ୱିତୀୟ ସନ୍ତାନଙ୍କ ଜନ୍ମ ପାଇଁ ସେ ପୁରା ସିରିଜରେ ଉପଲବ୍ଧ ନଥିଲେ ।