ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇ ଯାଇଛି । ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଲିଡସ୍‌ରେ ଖେଳାଯାଉଛି। ଏହି ଗସ୍ତରେ ଭାରତର ଅଭିଜ୍ଞ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ଭାରତୀୟ ଦଳରେ ସାମିଲ ନାହାନ୍ତି । ଉଭୟ ଷ୍ଟାର ଖେଳାଳି ଟେଷ୍ଟରୁ ଅବସର ନେଇ ଯାଇଛନ୍ତି । ବିରାଟ ଏବଂ ରୋହିତଙ୍କ ଏହି ନିଷ୍ପତ୍ତି ଟେଷ୍ଟ କ୍ରିକେଟ୍ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଥିଲା। ବିଶ୍ୱାସ କରାଯାଉଥିଲା ଯେ, ସେମାନଙ୍କ ଅବସର ଭାରତ-ଇଂଲଣ୍ଡ ସିରିଜ ଉପରେ ପ୍ରଭାବ ପକାଇପାରେ । କିନ୍ତୁ ଲିଡ୍ସରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । 

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି । ଏହି ହାଇ-ପ୍ରୋଫାଇଲ୍ ମ୍ୟାଚ୍ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ । ରିପୋର୍ଟ ଅନୁସାରେ, ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ତିନି ଦିନର ସମସ୍ତ ଟିକେଟ୍ ସମ୍ପୂର୍ଣ୍ଣ ବିକ୍ରି ହୋଇସାରିଛି । ଷ୍ଟାଡିୟମର ମୋଟ କ୍ଷମତା ୧୮,୦୦୦ । ଚତୁର୍ଥ ଦିନ (ସୋମବାର) ପାଇଁ ଏପର୍ଯ୍ୟନ୍ତ ୧୩,୦୦୦ ଟିକେଟ ବିକ୍ରି ହୋଇସାରିଛି । ଏହି ସଂଖ୍ୟା ଦର୍ଶାଉଛି ଯେ, ଇଂଲଣ୍ଡରେ ଟେଷ୍ଟ କ୍ରିକେଟ୍ ପ୍ରତି ଆଗ୍ରହ ଏବେ ବି ରହିଛି । ଟେଷ୍ଟ କ୍ରିକେଟକୁ ସବୁବେଳେ ଏଠାକାର ପ୍ରଶଂସକଙ୍କଠାରୁ ବିପୁଳ ସମର୍ଥନ ମିଳିଛି, ଏବଂ ଏହି ଧାରା ଏଥର ମଧ୍ୟ ଜାରି ରହିଛି । 

ଲିଡସ୍‌ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ଭାବରେ ଭାରତ କବଜାରେ ଥିଲା । ଦ୍ବିତୀୟ ଦିନରେ ମଧ୍ୟ ଭାରତ ଡ୍ରାଇଭର ସିଟ୍‌ରେ ରହିଛି। ପ୍ରଥମ ଦିନରେ ଯଶସ୍ବୀ ଜୟସ୍ବାଲ ଏବଂ ଶୁଭମନ ଗିଲ୍‌ ଶତକ କରିଥିଲେ । ଦ୍ବିତୀୟ ଦିନରେ ଗିଲ୍‌ କମାଲ କରୁଥିବା ବେଳେ ରିଷଭ ପନ୍ତ ନିଜର ଶତକ ପୂରା କରିଛନ୍ତି । ଇଂଲଣ୍ଡ ମାଟିରେ ଘରୋଇ ଦଳର ବୋଲରଙ୍କୁ ଧୋଇଛନ୍ତି ଭାରତୀୟ ବ୍ୟାଟର ।  ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ଶୁଭମନ ଗିଲ ଶତକ କରିବା ସହ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟିମ୍ର ସ୍କୋର ୪୩୦ ଥିବା ବେଳେ ଅଧିନାୟକ ଗିଲ୍‌ ଆଉଟ୍‌ ହୋଇଥିଲେ । ସେ ୧୪୭ ରନ୍‌ କରି ଶୋଏବ ବଶିରଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ ।