ନୂଆଦିଲ୍ଲୀ; ୩/୧ : ଟିମ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ ଏବଂ ଟି-୨୦ କ୍ରିକେଟକୁ ଅଲବିଦା କରିଛନ୍ତି । କେବଳ ଦିନିକିଆରେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ନୂଆବର୍ଷ ୨୦୨୬ ଆରମ୍ଭ ହୋଇଥିବାବେଳେ ଏକ ଖବର ଶୁଣିବାକୁ ମିଳୁଛି କି, ବିରାଟ ପୁଣିଥରେ ଟେଷ୍ଟ କ୍ରିକେଟକୁ କମବ୍ୟାକ୍ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଯଦି ଟେଷ୍ଟ କ୍ରିକେଟରୁ ନିଜର ପଦ ଛାଡ଼ନ୍ତି ତାହେଲେ କୋହଲି ପୁଣି ଟେଷ୍ଟ କ୍ରିକେଟରେ ଖେଳ ଜାରି ରଖିପାରନ୍ତି ।
ବରିଷ୍ଠ ସାମ୍ବାଦିକ ରୋହିତ ଜୁଗଲାନ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଦାବି କରିଛନ୍ତି କି, ଗୌତମ ଗମ୍ଭୀରଙ୍କୁ ଟେଷ୍ଟ କ୍ରିକେଟରୁ ପ୍ରଶିକ୍ଷଣ ଛାଡ଼ିବାକୁ ପଡ଼ିବ । ଭାରତୀୟ ଦଳ ଏବେ ଟେଷ୍ଟ କ୍ରିକେଟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ଗମ୍ଭୀର ଏବଂ ବିରାଟଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ । ଯେଉଁ କାରଣରୁ ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ଏବେ ଭାରତୀୟ ଟେଷ୍ଟ ଦଳରେ ଗମ୍ଭୀରଙ୍କ ଆବଶ୍ୟକତା ରହିଛି । ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଟେଷ୍ଟ ଦଳରେ ସୁଧାର ଆଣିବ ବୋଲି ସେ ଦାବି କରିଛନ୍ତି । କିନ୍ତୁ ଗମ୍ଭୀରଙ୍କୁ ଟେଷ୍ଟ କ୍ରିକେଟରୁ କୋଚିଂ ଛାଡ଼ିବାକୁ ପଡ଼ିବ ।
କହି ରଖୁଛୁ କି, ୨୦୨୫ ମେ ୧୨ ତାରିଖରେ ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ । ଏତେ ଫିଟ୍ ଥାଇ ଏବଂ ତାଙ୍କ ପ୍ରିୟ ଫର୍ମାଟରୁ ହଠାତ ଅବସର ଘୋଷଣା କରିବା ନିଷ୍ପତ୍ତିକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରିନଥିଲେ । ଯାହାକୁ ନେଇ ଗଣମାଧ୍ୟମରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । କୋହଲି ୧୨୩ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୯,୨୩୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ ସାମିଲ ରହିଛି । ବିରାଟ ୧୪ ବର୍ଷର ଟେଷ୍ଟ କ୍ରିକେଟରେ ଅନେକ ଗୁଡ଼ିଏ ସଫଳତା ହାସଲ କରିଛନ୍ତି । ଏହାସହ ଟେଷ୍ଟ କ୍ରିକେଟରେ ଜଣେ ସଫଳ ଅଧିନାୟକ ରେକର୍ଡ ମଧ୍ୟ ରହିଛି ।
୨୦୨୬ ଟି-୨୦ ବିଶ୍ବକପରେ ଯଦି ଭାରତ ଚାମ୍ପିୟନ ହୁଏ ତାହେଲେ ଗମ୍ଭୀର ଶକ୍ତି ପ୍ରଦର୍ଶନ ଜାରି ରହିବ । ଯଦି ଭାରତ ହାରେ ତାହେଲେ ଗମ୍ଭରଙ୍କୁ ହଟାଇବା ପାଇଁ ଦାବି କରାଯିବ । ସେପଟେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ରହିଥିବା ଅଜିତ ଅଗରକରଙ୍କ ଆସନ ଉପରେ ମଧ୍ୟ ବିପଦ ପଡ଼ିପାରେ । ଚୟନ କମିଟିରେ ପୂର୍ବତନ କ୍ରିକେଟର ପାର୍ଥିବ ପଟେଲଙ୍କୁ ସାମିଲ କରାଯିବ ବୋଲି କୁହାଯାଉଛି । ତେବେ ବିରାଟ କେବେ ନିଜର ନିଷ୍ପତ୍ତି ବଦଳାଇ ଟେଷ୍ଟ କ୍ରିକେଟକୁ ଫେରୁଛନ୍ତି ତାଉପରେ ରହିଛି ଫ୍ୟାନ୍ସଙ୍କ ନଜର ।