ନୂଆଦିଲ୍ଲୀ, ୩୦/୧ : ଟି-୨୦ ବିଶ୍ବକପରେ ୬ ବଲରେ ୬ ଛକା । ଇଂଲଣ୍ଡ ଭଳି ଶକ୍ତିଶାଳି ଦଳ ବିପକ୍ଷରେ କରିଥିଲେ ଏହି ରେକର୍ଡ । ୨୦୦୭ ଟି-୨୦ ବିଶ୍ବକପ ଏବଂ ୨୦୧୧ ବିଶ୍ବକପର ହିରୋ ଯୁବରାଜ ସିଂହଙ୍କ ଟିମ ଇଣ୍ଡିଆରେ କିଏ କରିଥିଲେ ଅପମାନ । ନିକଟରେ ଏକ ଇଣ୍ଟରଭିୟ୍ୟୁରେ ନଜର ଆସିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପା । ସେ କହିଛନ୍ତି କି, ଯୁବରାଜ ଯେତେବେଳେ କ୍ୟାନସରରୁ ସୁସ୍ଥ ହୋଇଥିଲେ ଏହା ପରେ ତାଙ୍କୁ ଦଳରେ ସୁଯୋଗ ମିଳିନଥିଲା । ବିରାଟ ତାଙ୍କୁ ଦଳରେ ମଧ୍ୟ ସୁଯୋଗ ଦେଇନଥିଲେ । କୋହଲି ଯେତେବେଳେ ଟିମ ଇଣ୍ଡିଆର ଦାୟିତ୍ବ ବୁଝୁଥିଲେ ସେ ଯୁବରାଜଙ୍କ ମୂଲ୍ୟକୁ ବୁଝି ନଥିଲେ । କଷ୍ଟକର ସମୟରେ ସେ ଦଳକୁ ଉପରକୁ ନେଇଥିବାବେଳେ ପୁଣିଥରେ ସୁଯୋଗ ମିଳିନଥିଲା ।
ସେପଟେ ସାନିଆ ମିର୍ଜା ଯୁବରାଜଙ୍କ ଏକ ଇଣ୍ଟରଭିୟ୍ୟୁରେ ପଚାରିଥିଲେ କି, ଆପଣଙ୍କୁ ଟିମ ଇଣ୍ଡିଆରୁ ପ୍ରକୃତ ସମ୍ମାନ ଏବଂ ସମର୍ଥନ ମିଳିଲାନି କି ? ଯେଉଁ କାରଣରୁ ୨୦୧୯ ମସିହାରେ ଅବସର ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ? ଏହାର ଉତ୍ତରରେ ଯୁବରାଜ କହିଥିଲେ କି, ମୁଁ ଏହି ଖେଳରେ ଶେଷ ସମୟରେ ମଜା ନେଉନଥିଲି । ଏଣୁ ଏହି ଖେଳରେ କାହିଁକି ରହିବ ? ଏହାସହ ମୋର ସମ୍ମାନ ମଧ୍ୟ କରାଯାଉନାହିଁ ।
ଏହାସହ ଉଥପ୍ପା କହିଥିଲେ କି, ଭାରତ ଜିତିଥିବା ଦୁଇଟି ବିଶ୍ବକପ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯୁବରାଜଙ୍କୁ ପରବର୍ତ୍ତୀ ସମୟରେ ଅଣଦେଖା କରାଯାଇଥିଲା । ସେ କର୍କଟ ରୋଗକୁ ପରାଜୟ କରି ଫେରିଥିଲେ । ଗୋଟିଏ ସିରିଜରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ସୁଯୋଗ ମିଳିନଥିଲା । କୋହଲି ସେତେବେଳେ ଖେଳାଳିଙ୍କ ଫିଟନେସ ଉପରେ ଅଧିକ ଗୁରୁତ୍ବ ଦେଉଥିଲେ । ତେବେ ଖେଳାଳିଙ୍କ ଫିଟନେସ ଏବଂ ମ୍ୟାଚ ସମୟରେ ପ୍ରଦର୍ଶନ ଭିତରେ ମଧ୍ୟ ବହୁ ଫରକ ରହିଥାଏ । ଏହାସହ ରୋହିତଙ୍କ ଅଧିନାୟକତ୍ବକୁ ନେଇ ଉଥପ୍ପା କହିଥିଲେ କି, ସେ ଫର୍ମରେ ଥିବା ଖେଳାଳିଙ୍କୁ ନିଜ ଦଳରେ ନେଉଥିଲେ ।