ନୂଆଦିଲ୍ଲୀ; ୭/୧ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ବରୋଦାରେ ପହଞ୍ଚିଛନ୍ତି କିଙ୍ଗ୍ କୋହଲି । ଏୟାରପୋର୍ଟରେ କୋହଲି ପହଞ୍ଚିବା ପୂର୍ବରୁ ଫ୍ୟାନ୍ସମାନେ ଭିଡ଼ ଜମାଇଥିଲେ । କୋହଲିଙ୍କ ଟିକେ ଝଲକ ପାଇବା ପାଇଁ ଫ୍ୟାନ୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ଯେତେବେଳେ ବିରାଟ ଏୟାରପୋର୍ଟରେ ପହଞ୍ଚିଥିଲେ ଫ୍ୟାନ୍ସମାନେ ତାଙ୍କୁ ଘେରି ଯାଇଥିଲେ । କିଏ ଅଟୋଗ୍ରାଫ ମାଗିଥିଲା ତ ଆଉ କିଏ ସେଲଫି ନେଉଥିଲା । ଏତେ ଭିଡ଼ ହୋଇଥିଲା କି, ସମ୍ଭାଳିବା ମୁସ୍କିଲ୍ ହୋଇ ଯାଇଥିଲା । ବିରାଟଙ୍କୁ ଗାଡ଼ି ପାଖରେ ପହଞ୍ଚିବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥିଲା । ଅଙ୍ଗରକ୍ଷୀମାନେ ତାଙ୍କୁ ଗାଡ଼ି ପାକରେ ଛାଡ଼ିଥିଲେ । ତେବେ ଫ୍ୟାନ୍ସମାନେ ଫଟୋ ଉଠାଇବା ପାଇଁ ତାଙ୍କୁ ଘେରି ଯାଇଥିଲେ ।
କହି ରଖୁଛୁ କି, ବିରାଟ କୋହଲି ଏବେ କେବଳ ଦିନିକିଆ ଫର୍ମାଟରେ ନିଜର ଖେଳ ଜାରି ରଖିଛନ୍ତି । ପୂର୍ବରୁ ଅଷ୍ଟେ୍ରଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ । ନିକଟରେ ଘରୋଇ କ୍ରିକେଟ ବିଜୟ ହଜାରେ ଟ୍ରଫିରେ ଦୁଇଟି ମ୍ୟାଚ ଖେଳି ୨ଶହରୁ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଗୋଟିଏ ଶତକ ମଧ୍ୟ ଏଥିରେ ସାମିଲ ରହିଛି । ଆସନ୍ତା ୧୧ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ କୋହଲି ଦମଦାର ଫର୍ମରେ ନଜର ଆସିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ତିନୋଟି ଦିନିକିଆ ଖେଳାଯିବାକୁ ଥିବାବେଳେ କୋହଲିଙ୍କ ଉପରେ ଦଳ ଭରଷା ରଖିବ ।