ଭୁବନେଶ୍ୱର ୧୬/୦୮: ପାଦରେ ସବୁ ବେଳେ ଯନ୍ତ୍ରଣା ରହୁଛି କି? ଯଦି ରହୁଛି ଏହାକୁ କେବଳ  ଥକ୍କାପଣ ଭାବି ଅଣଦେଖା କରନ୍ତୁନି । ଏହା ହୁଏତ ଭିଟାମିନ୍‌-କେ ଅଭାବର ଲକ୍ଷଣ ହୋଇଥାଇପାରେ । ଏମିତି କେତେକ ଲକ୍ଷଣ ରହିଛି,  ଯାହା ଭିଟାମିନ୍‌-କେ’ର ଅଭାବରୁ ଦେଖା ଦେଇଥାଏ । ଯାହାର ଅଭାବକୁ ଦୂର କରିବା ଦ୍ୱାରା ହିଁ ସମସ୍ୟା ଆପେ ଆପେ କମିଚାଲେ ।  

ସାରାଦିନ କାମ କରିବା ପରେ ଥକ୍କାପଣ ଯୋଗୁ ଯନ୍ତ୍ରଣା ଅନୁଭବ  ହୋଇଥାଏ, ଯାହାକୁ ଆମେ ସାଧାରଣ ଭାବି ଅଣଦେଖା କରି ଦେଇଥାଉ। କିନ୍ତୁ କେବେ ଭାବିଛନ୍ତି କି ଏହା କୌଣସି ଗୁରୁତର ସମସ୍ୟା ହୋଇଥାଇପାରେ । ଚାଲନ୍ତୁ ଦେଖିବା ଏମିତି କେତେକ ଲକ୍ଷଣ  ଯାହା ଜଣାଇଥାଏ ଯେ ଆପଣଙ୍କ ଶରୀରରେ ଭିଟାମିନ୍‌-କେ’ର ଅଭାବ  ରହିଛି । ଯେପରିକି 

ସାମାନ୍ୟ ଆଘାତରେ ଅଧିକ ରକ୍ତ ସ୍ରାବ 

ଯଦି କୌଣସି ବ୍ୟକ୍ତିଠାରେ ସାମାନ୍ୟ ଆଘାତ  ଲାଗିବା ପରେ ମାତ୍ରାଧିକ ରକ୍ତ ବାହାରୁଥାଏ,  ତେବେ ଏହା ଭିଟାମିନ୍‌-କେ’ ଅଭାବର  ସବୁଠାରୁ ବଡ଼ ଲକ୍ଷଣ । କାରଣ  ଏହି ଭିଟାମିନ୍‌ ରକ୍ତକୁ ଗାଢା  କରିବାରେ ସହାୟତା କରିଥାଏ ।  ଏହାର ଅଭାବରୁ ରକ୍ତ ପତଳା ହେବା ସହ ସାମାନ୍ୟ ଆଘାତରେ ମାତ୍ରାଧିକ  ରକ୍ତ ବାହାରିଥାଏ । 

ମାଢି ଓ ନାକରୁ ରକ୍ତ  ବାହାରିବା 

ବିନା କାରଣରେ ମାଢି ଓ ନାକରୁ ରକ୍ତ  ବାହାରିବା ହେଉଛି ଭିଟାମିନ୍‌-କେ’ ଅଭାବର  ଲକ୍ଷଣ । ଏହି ଭିଟାମିନ୍‌ର ଅଭାବ ଯୋଗୁ  ଶରୀରରେ ରକ୍ତ ପତଳା ହୋଇପଡେ ।  

ଶରୀରରେ ନୀଳ ଓ ବାଇଗଣୀ ଚିହ୍ନ ଦେଖାଦେବା 

ଯଦି ବିନା ଆଘାତରେ ଶରୀରରେ ନୀଳ ଓ ବାଇଗଣୀ  ଚିହ୍ନ ଦେଖା ଦେଉଛି, ତେବେ ଏହା ଭିଟାମିନ୍‌-କେ’  ଅଭାବର ଲକ୍ଷଣ । ଏହି ଚିହ୍ନ ସେତେବେଳେ ଆସିଥାଏ,  ଯେତେବେଳେ ରକ୍ତ ଛୋଟ ଛୋଟ ଶିରାପ୍ରଶିରାରେ  ପ୍ରବାହିତ ହୋଇଥାଏ ।  

ହାଡ଼ରେ ଯନ୍ତ୍ରଣା ଓ ଦୁର୍ବଳ ହେବା

ଭିଟାମିନ୍‌-କେ’ହାଡ଼କୁ ମଜଭୁତ କରୁଥିବା ପ୍ରୋଟିନ୍‌କୁ  ସକ୍ରିୟ ଭାବେ ସହଯୋଗ କରିଥାଏ । ଏହାର ଅଭାବରେ ହାଡ଼  ଦୁର୍ବଳ ହେବା ସହ ଗଣ୍ଠି ଓ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ । 

ପରିସ୍ରାରେ ରକ୍ତ ପଡିବା

ଝାଡା କିମ୍ବା ପରିସ୍ରାରେ ରକ୍ତ ପଡିଲେ ତୁରନ୍ତ  ଡାକ୍ତର ପରାମର୍ଶ କରାଇ  ନିଅନ୍ତୁ । ଏହା ଭିଟାମିନ୍‌କେ ଅଭାବରୁ ହୋଇଥାଏ । କାରଣ ବ୍ୟକ୍ତିର ଅଜଣତାରେ ଶରୀର ଭିତରେ  କୌଣସି ଅଙ୍ଗରୁ ଅଚାନକ ରକ୍ତ  ବାହାରିଥାଏ ।  ଉପରୋକ୍ତ କୌଣସି ଲକ୍ଷଣ  ଅନୁଭବ ହେଉଥିଲେ, ଡାକ୍ତରଙ୍କ  ସହ ପରାମର୍ଶ କରି ଭିଟାମିନ-କେ’  ପରୀକ୍ଷା କରାଇ ନିଅନ୍ତୁ । ଡାଏଟ୍‌ରେ  ଏହି ଅଭାବକୁ ଦୂର କରିବା ପାଇଁ ସବୁଜ ପନିପରିବା, ବ୍ରୋକୋଲୀ, ସୋୟାବିନ୍‌ ଓ ଅଣ୍ଡା ପରି  ଖାଦ୍ୟକୁ ସାମିଲ୍‌ କରନ୍ତୁ ।