ନୂଆଦିଲ୍ଲୀ,୦୩/୧୨; ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିବା ପୂର୍ବରୁ ୟୁରୋପକୁ ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି । ମସ୍କୋରେ ଆୟୋଜିତ ଏକ ନିବେଶ କାର୍ଯ୍ୟକ୍ରମରେ ପୁଟିନ୍ କହିଛନ୍ତି, ୟୁରୋପୀୟ ଦେଶଗୁଡ଼ିକ ଜାଣିଶୁଣି ୟୁକ୍ରେନ୍ ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି କରୁଛନ୍ତି । ଯୁଦ୍ଧ ଶେଷ ହେବା ଦିଗରେ ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ କୌଣସି ସକାରାତ୍ମକ ମନୋଭାବ ଦେଖାଯାଉ ନାହିଁ । ଆମେରିକା ନେତୃତ୍ୱରେ ଶାନ୍ତି ଆଲୋଚନା ସାମାନ୍ୟ ଆଗେଇ ଥିଲେ ହେଁ ୟୁରୋପୀୟ ଦେଶଗୁଡ଼ିକ ଜାଣିଶୁଣି ଶାନ୍ତି ପ୍ରସ୍ତାବରେ ଏଭଳି କିଛି ପରିବର୍ତ୍ତନ କରିଛନ୍ତି ଯାହାକୁ ରୁଷ୍ କେବେ ସ୍ୱୀକାର କରିପାରିବ ନାହିଁ ।

ପୁଟିନ୍ ଆହୁରି କହିଛନ୍ତି, ୟୁରୋପୀୟ ଦେଶ ଶାନ୍ତି ଚାହାନ୍ତି ନାହିଁ । ବରଂ ଯୁଦ୍ଧ ଆଡ଼କୁ ବଢ଼ୁଛନ୍ତି । ଯଦି ୟୁରୋପ ଯୁଦ୍ଧ ଚାହେଁ ତେବେ ରୁଷ୍ ବି ପ୍ରସ୍ତୁତ । ୟୁରୋପ ଏପରି ପ୍ରସ୍ତାବ ସହ ଆଗକୁ ବଢ଼ୁଛି ଯାହା ରୁଷ୍ ହିତ ବିରୋଧୀ । ତୁମେ ଯଦି ଯୁଦ୍ଧ ଚାହୁଁଛ ତେବେ ରୁଷ ତୁମକୁ ପରାସ୍ତ କରିବ । ପରାଜୟ ଏପରି ହେବ ଯେ ଶାନ୍ତି ଚୁକ୍ତି ନେଇ ଆଲୋଚନା ପାଇଁ କେହି ରହିବେ ନାହିଁ । ୟୁରୋପର ବାସ୍ତବ ଉଦ୍ଦେଶ୍ୟ ଯୁଦ୍ଧ ବନ୍ଦ କରିବା ନୁହେଁ ବରଂ ରୁଷ୍ର ପତନ କରାଇବା । ୟୁରୋପ ରୁଷ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ରଣନୀତି ବନାଉଛି । କିନ୍ତୁ ବାସ୍ତବରେ ଯୁଦ୍ଧ ଅଧିକ ଲମ୍ବିବାର ମୂଳ କାରଣ ହେଉଛି ୟୁରୋପ । ୟୁରୋପ ଜାଣିଶୁଣି ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି ଏବଂ ଦୁନିଆକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ।

ଚୀନ୍ ଏବଂ ଭାରତ ସହ ସମ୍ପର୍କକୁ ନେଇ ପୁଟିନ୍ କହିଛନ୍ତି, ଏହି ଦୁଇ ଦେଶ ସହ ରୁଷ୍ ସହଭାଗିତାକୁ ବହୁ ଉଚ୍ଚକୁ ନେବାକୁ ଚାହେଁ । ଶକ୍ତି, ଶିଳ୍ପ, ମହାକାଶ, କୃଷି ସମେତ ଅନ୍ୟ ପ୍ରମୁଖ କ୍ଷେତ୍ରରେ ଅନେକ ଯୁଗ୍ମ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଉଦ୍ୟମ ଜାରି ଅଛି । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଏ ବାବଦରେ ଆଲୋଚନା ଚାଲିଛି । ଭାରତ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ପ୍ରସଙ୍ଗରେ ସେ ବିସ୍ତୃତ ଭାବେ ଆଲୋଚନା କରିବେ । ରୁଷ୍ ବଜାରରେ ଭାରତୀୟ ସାମଗ୍ରୀ ଅଧିକ ମାତ୍ରାରେ ଉପଲବ୍ଧ କରାଯିବା ଲାଗି ମଧ୍ୟ ଉଦ୍ୟମ କରାଯାଉଛି ।