ନୂଆଦିଲ୍ଲୀ,୧୭।୧୨: ଗତ କିଛି ଦିନ ହେବ ଆଫଗାନିସ୍ତାନ ଓ ପାକିସ୍ତାନ ଭିତରେ ବିବାଦୀୟ ସ୍ଥିତି ଦେଖିବାକୁ ମିଳିଛି। ଦୁଇ ଦେଶ ଭିତରେ ଯୁଦ୍ଧ ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ପାକିସ୍ତାନ ତାଲିବାନର ଶାସନ ଚାଲିଥିବା ଆଫଗାନିସ୍ତାନରେ ବହୁ ଏୟାରଷ୍ଟ୍ରାଇକ୍ କରିଛି। ଏହାପରେ ଆଫଗାନିସ୍ତାନ ସୀମାରେ ବାଣିଜ୍ୟ ବନ୍ଦ କରିଦେଇଛି ପାକିସ୍ତାନ। ଏଭଳି ପଦକ୍ଷେପ ନେଲେ ତାଲିବାନକୁ ଆର୍ଥିକ ଝଟକା ଲାଗିବ ବୋଲି ଭାବୁଥିଲା ପାକିସ୍ତାନ। ହେଲେ ଫଳ କିନ୍ତୁ ଓଲଟା ହୋଇଗଲା। ବାଣିଜ୍ୟ ବନ୍ଦ କରିବା ଫଳରେ ପାକିସ୍ତାନର ସାଢେ ୪ ବିଲିୟନ ଡଲାର କ୍ଷତି ହୋଇଛି। ଏହାଦ୍ବାରା ଶେହବାଜ ଶରିଫଙ୍କ ଦେଶର ଅଣ୍ଟା ଏକ ପ୍ରକାର ଭାଙ୍ଗି ଯାଇଛି।
ପାକିସ୍ତାନ-ଆଫଗାନିସ୍ତାନ ଜଏଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି କହିଛି, ସୀମା ବାଣିଜ୍ୟ ବନ୍ଦ ହେବା ଦ୍ୱାରା ପାକିସ୍ତାନକୁ ୪.୫ ବିଲିୟନ ଡଲାରର ବାଣିଜ୍ୟ କ୍ଷତି ହୋଇଛି। ପାକିସ୍ତାନୀ ଗଣମାଧ୍ୟମ କହିଛି, ଚାଷ ଓ କନଷ୍ଟ୍ରକସନ୍ ପିକ୍ ଟାଇମ୍ରେ ପ୍ରତିଦିନ ଏକ୍ସପୋର୍ଟ ୫୦ ମିଲିୟନରୁ ୬୦ ମିଲିୟନ ଭିତରେ ପହଁଞ୍ଚି ଯାଇଛି। ସେ ଚେତାବନୀ ଦେଇ କହିଛନ୍ତି, ଯଦି ଏଭଳି ସ୍ଥିତି ରୁହେ, ତେବେ ଡିସେମ୍ବର ଓ ମାର୍ଚ୍ଚ ଭିତରେ ୨୦୦ ମିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ହୋଇପାରେ। ପାକିସ୍ତାନ ଅଭିଯୋଗ କହିଛି, ତହରିକ-ଇ-ତାଲିବାନ (ଟିଟିପି)ର ସଦସ୍ୟ ତା ଦେଶରେ ଆତଙ୍କୀ ଆକ୍ରମଣ କରୁଛନ୍ତି। ଟିଟିପିର ଏହି ଆକ୍ରମଣରେ ପାକିସ୍ତାନ ସେନାର ବହୁ କ୍ଷୟକ୍ଷତି ହୋଇଛି, ଅନେକ ଯବାନ ମଧ୍ୟ ନିହତ ହୋଇଛନ୍ତି। ସେଭଳି ସାଧାରଣ ନାଗରିକଙ୍କ ମଧ୍ୟ ଜୀବନ ଯାଇଛି। ଏହି କାରଣରୁ ପାକିସ୍ତାନ ପ୍ରାୟ ଦୁଇ ମାସ ପୂର୍ବରୁ ଆଫଗାନିସ୍ତାନ ସହ ସବୁ ବାଣିଜ୍ୟ ମାର୍ଗକୁ ବନ୍ଦ କରିଥିଲା।
ଏହା ପାକିସ୍ତାନୀ ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି। କେବଳ ସେତିକି ନୁହେଁ ପାକିସ୍ତାନ ଔଷଧ ମଧ୍ୟ ଆଫଗାନିସ୍ତାନରେ ବନ୍ଦ କରାଯାଇଛି। ଭାରତୀୟ ଔଷଧ ଆଫଗାନିସ୍ତାନରେ ପହଁଞ୍ଚିଛି। ବନ୍ଦ ପୂର୍ବରୁ ଦୁଇ ଦେଶ ଭିତରେ ଦ୍ବିପାକ୍ଷିକ ବାଣିଜ୍ୟ ପ୍ରାୟ ୨-୩ ବିଲିୟନ ଡଲାର ପ୍ରତିବର୍ଷ ଥିଲା। ଏଥିରେ ପାକିସ୍ତାନର ଉଚ୍ଚମୂଲ୍ୟ ଥିବା ଜିନିଷ ରପ୍ତାନୀ କରାଯାଉଥିଲା। ସେଭଳି ଆଫଗାନିସ୍ତାନ ଆବଶ୍ୟକୀୟ ବସ୍ତୁ ପାଇଁ ପାକିସ୍ତାନ ଉପରେ ନିର୍ଭର କରୁଥିଲା। ଏହା ବଦଳରେ କୃଷି ଉତ୍ପାଦନ ରପ୍ତାନୀ କରୁଥିଲା। ପାକିସ୍ତାନକୁ ଏବେ ନିଜର ହିଁ ଚାଲ୍ ନିଜ ଉପରେ ଭାରି ପଡିଛି। ଗୋଟିଏ ପଟେ ଭାରତରୁ ଆର୍ଥିକ ଝଟକା ମିଳିଥିବା ବେଳେ ଅନ୍ୟପକ୍ଷେ ଆଫଗାନିସ୍ତାନରୁ ମଧ୍ୟ ତାକୁ ଲାଗିଛି ବଡ଼ ଝଟକା।
ଆହୁରି ପଢନ୍ତୁ :ଇଥିଓପିଆରୁ ଓମାନ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନବନ୍ଦର ପର୍ଯ୍ୟନ୍ତ ଛାଡିବାକୁ ଆସିଲେ ପିଏମ୍ ଅବି ଅହମ୍ମଦ