ନ୍ୟୁୟର୍କ,୧୩/୧୨: ବୈଜ୍ଞାନିକମାନେ ଏକ ହମ୍ପବ୍ୟାକ୍ ହ୍ୱେଲ୍ ବା ତିମିର ଦୀର୍ଘତମ ଓ ସବୁଠୁ ଅସ୍ୱାଭାବିକ ପ୍ରବାସର ଆଶ୍ୱର୍ଯ୍ୟଜନକ ତଥ୍ୟ ରେକର୍ଡ କରିଛନ୍ତି । ତିମିକୁ ୨୦୧୭ରେ କଲମ୍ବିଆ ନିକଟରେ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିଥିଲା । କିଛି ବର୍ଷ ପରେ ତାହା ଭାରତ ମହାସାଗରରେ ଜାଞ୍ଜିବର ନିକଟରେ ଅତିକମ୍ରେ ୧୩ ହଜାର କିମି ଦୂରରେ ଦେଖାଯାଇଥିଲା । ତିମିର ଏହି ଐତିହାସିକ ଯାତ୍ରା ଜଳବାୟୁ ପରିବର୍ତ୍ତନ ଯୋଗୁ କମୁଥିବା ଖାଦ୍ୟ ଭଣ୍ଡାର କିମ୍ବା ଏକ ସାଥୀ ସନ୍ଧାନର ଯାତ୍ରା ହୋଇପାରେ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି । ରୟାଲ ସୋସାଇଟି ଓପନ୍ ସାଇନ୍ସ ଜର୍ଣ୍ଣାଲରେ ଏହି ଆଲେଖ୍ୟ ପ୍ରକାଶ ପାଇଛି ।
ଗବେଷକଙ୍କ ମଧ୍ୟରେ ଅନ୍ୟତମ ତାଞ୍ଜାନିଆ ସିଟାସିଏନ୍ସ ପ୍ରୋଗ୍ରାମର ଏକାଟେରିନା କାଲାଶନିକୋଭା କହିଛନ୍ତି, ଅଣ୍ଡିରା ତିମିଟିର ଏଭଳି ଉପଲବ୍ଧି ଅତି ମାତ୍ରାରେ ସ୍ଥାନାନ୍ତର ହେଉଥିବା ଏହି ପ୍ରଜାତି ପାଇଁ ମଧ୍ୟ ବାସ୍ତବରେ ପ୍ରଭାବଶାଳୀ ଓ ଅସ୍ୱାଭାବିକ ଥିଲା । ଏହା ସମ୍ଭବତଃ ଏକ ହମ୍ପବ୍ୟାକ୍ ତିମି ଦ୍ୱାରା ଅତିକ୍ରମ କରାଯାଇଥିବା ଦୀର୍ଘତମ ଦୂରତା । ହମ୍ପବ୍ୟାକ୍ ତିମି ସାରା ବିଶ୍ୱର ସବୁ ମହାସାଗରରେ ରହନ୍ତି । ପ୍ରତିବର୍ଷ ଏମାନେ ଦୀର୍ଘପଥ ଅତିକ୍ରମ କରିଥାନ୍ତି । ଉଷ୍ମମଣ୍ଡଳୀୟ ପ୍ରଜନନ କ୍ଷେତ୍ରରୁ ଶୀତଳ ଜଳରେ ଥିବା ଭୋଜନକ୍ଷେତ୍ରକୁ ଯାତ୍ରା କରିଥାନ୍ତି । କିନ୍ତୁ ଏହି ଅଣ୍ଡିରା ତିମିର ଯାତ୍ରା ଆହୁରି ଉଲ୍ଲେଖନୀୟ । କାରଣ ଏଥିରେ ଦୁଇଟି ଦୂର ପ୍ରଜନନ କ୍ଷେତ୍ର ସଂପୃକ୍ତ ।
ତିମିର ଏହି ଐତିହାସିକ ଯାତ୍ରାର ବାସ୍ତବ କାରଣ ଜଣାପଡିନଥିବାବେଳେ ଗବେଷକମାନେ ଏଥିନେଇ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଛନ୍ତି । ଏକ ସିଦ୍ଧାନ୍ତ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରର ତାପମାତ୍ରା, ସ୍ରୋତ ବୃଦ୍ଧି ହେଉଛି । ସେଥିଯୋଗୁ ତିମିଟି ଏଭଳି ସ୍ଥାନ ପରିବର୍ତ୍ତନ କରିଥାଇପାରେ । ଅନ୍ୟ କିଛି ଗବେଷକ ଜଳବାୟୁ ପରିବର୍ତ୍ତନ ଯୋଗୁ ଖାଦ୍ୟ ସମସ୍ୟା ହେବାରୁ ତିମିଟି ଖାଦ୍ୟ ଅନ୍ୱେଷଣରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଦର୍ଶାଇଛନ୍ତି । ଅନ୍ୟ ଏକ ସିଦ୍ଧାନ୍ତ ଅନୁସାରେ, ବୈଶ୍ୱିକ ସଂରକ୍ଷଣ ପ୍ରୟାସ ମାଧ୍ୟମରେ ସଂଖ୍ୟାରେ ପୁଣିଥରେ ବୃଦ୍ଧି ହେବା ପରେ ତିମିମାନେ ନୂଆ ପ୍ରଜନନ ଆଧାର ଖୋଜୁଥାଇପାରନ୍ତି । କାଲାଶନିକୋଭା କହିଛନ୍ତି, ବାସ୍ତବ କାରଣ ଅଜ୍ଞାତ ଥିବାବେଳେ ତିମିର ଏହି ଯାତ୍ରା ପଛରେ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ, ଚରମ ପରିବେଶଜନିତ ଘଟଣା(ଯାହାକି ଆଜିକାଲି ଘଟୁଛି) ଓ ପ୍ରଜାତିମାନଙ୍କର ବିକାଶବାଦୀ ମେକାନିଜମ୍ ଥାଇପାରେ ବୋଲି ଡାଇଭରମାନଙ୍କର ମତ ।
ଏହି ଅଣ୍ଡିରା ତିମି ୨୦୧୩, ଜୁଲାଇ ୧୦ ତାରିଖରେ ପ୍ରଶାନ୍ତ ମହାସାଗରରେ କଲମ୍ବିଆ ନିକଟରେ ଗବେଷକଙ୍କ ଏକ ନୌକାରୁ ଉଠାଯାଇଥିବା କିଛି ହମ୍ପବ୍ୟାକ୍ ତିମିଙ୍କ ଫଟୋରେ ସାମିଲ ଥିଲା । ପରେ ତାକୁ ସମାନ ଅଞ୍ଚଳରେ ୨୦୧୭, ଅଗଷ୍ଟ ୧୩ରେ ଦେଖିବାକୁ ମିଳିଥିଲା । ୨୦୨୨, ଅଗଷ୍ଟ ୨୨ରେ ତିମିଟି ଜାଞ୍ଜିବର ଉପକୂଳରେ ଦେଖିବାକୁ ମିଳିଥିଲା । ଏହି ସ୍ଥାନ ୧୩,୦୪୬ କିମି ‘ଗ୍ରେଟ୍ ସର୍କଲ ଦୂରତା’ ରେ ଅବସ୍ଥିତ । ପୃଥିବୀ ଗୋଲାକାର ହୋଇଥିବାରୁ ଦୁଇଟି ବିନ୍ଦୁ ବା ସ୍ଥାନ ମଧ୍ୟରେ ସବୁଠୁ ଅଧିକ ରାସ୍ତାକୁ ‘ଗ୍ରେଟ୍ ସର୍କଲ ଦୂରତା’ ଦ୍ୱାରା ବ୍ୟକ୍ତ କରାଯାଇଥାଏ ।
ଏହି ଗବେଷଣାର ଉତ୍କର୍ଷ ଗବେଷକ, ତିମି ଉପରେ ନଜର ରଖୁଥିବା ବ୍ୟକ୍ତି ଓ ସାଧାରଣ ନାଗରିକଙ୍କ ଦ୍ୱାରା ଦାଖଲ କରାଯାଇଥିବା ତିମିଗୁଡି଼କର ହଜାର ହଜାର ଫଟୋ ଉପରେ ଆଧାରିତ । ହମ୍ପବ୍ୟାକ୍ ତିମିଙ୍କ ପୁଚ୍ଛର ଆକାର ଓ ପାର୍ଟନ ସହ ମେଳାଇବା ଲାଗି ଡାଟାବେସ୍ରେ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାକୁ ମଧ୍ୟ ବ୍ୟବହାର କରାଯାଇଥିଲା । ଏହା ପୂର୍ବରୁ ସବୁଠୁ ଅଧିକ ପଥ ଅତିକ୍ରମ କରିବାର ରେକର୍ଡ ଏକ ମାଈ ତିମି ଦ୍ୱାରା ସ୍ଥାପନ କରାଯାଇଥିଲା । ତାହା ସାଥୀ ସନ୍ଧାନରେ ୧୯୯୯-୨୦୦୧ ମଧ୍ୟରେ ୯,୮୦୦ କିମି ଯାତ୍ରା କରିଥିଲା ।