ମଧ୍ୟପ୍ରାଚ୍ୟର ଯୁଦ୍ଧକୁ ଦେଢ଼ମାସ ହେଇଗଲାଣି । ଯଦିଓ ସାମୟିକ ଶାନ୍ତି ଚୁକ୍ତି ସାମାନ୍ୟ ଆଶ୍ୱସ୍ତି ଆଣିଛି, କିନ୍ତୁ ଯୁଦ୍ଧ ସରିନାହିଁ । ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ଅଛି । ଗୋଟିଏପଟରେ ଇରାନ ଜାହାଜଗୁଡ଼ିକ ଉପରେ ନିୟନ୍ତ୍ରଣ ଜାରି ରଖିଛି, ଅନ୍ୟପଟେ ଆମେରିକୀୟ ଯୁଦ୍ଧଜାହାଜ ଷ୍ଟ୍ରେଟ୍କୁ ଅବରୋଧ କରିଛି । ଟ୍ରମ୍ପଙ୍କ ଗର୍ଜନ ବେଳେବେଳେ ଏହି ଚୁକ୍ତିକୁ ଭାଙ୍ଗିଦେଇ ପୁନର୍ବାର ଯୁଦ୍ଧ କରିବାର ଆଭାସ ଦେଉଛି । ଟ୍ରମ୍ପଙ୍କ ଗର୍ଜନ ହାରି ହାରି ଯାଉଥିବା ଏକ ରାଷ୍ଟ୍ରର ଅସହାୟତାକୁ ପ୍ରମାଣ ଯାହା କରୁଛି । ଶାନ୍ତି କଥାବାର୍ତ୍ତା ବିଫଳତାର ଆଭାସ ଦେଇଚାଲିଛି । ଅନେକ ଗୁଡ଼ାଏ ଟ୍ରମ୍ପ କହୁଥିବା କଥା ମିଥ୍ୟା ବୋଲି ପ୍ରମାଣିତ ହୋଇଯାଉଛି । ଏବେ ସେ କହିଲେ- ଚୀନ ସହିତ କଥାବାର୍ତ୍ତା ହୋଇଛି ସେ ଇରାନକୁ ଯୁଦ୍ଧାସ୍ତ୍ର ଦେବନାହିଁ । ମାତ୍ର ଚୀନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଏହାକୁ ଅସ୍ୱୀକାର କରି ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଇରାନକୁ ପରାସ୍ତ କରି ଶାସନ ପରିବର୍ତ୍ତନର ସ୍ୱର ଉଠାଉଥିବା ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରି ଇରାନ କହିଛି- ଆମେରିକାର ନଭେମ୍ବରରେ ହେବାକୁ ଥିବା ମିଡ୍ ଟର୍ମ ପୋଲ୍ରେ ଆମେରିକାରେ ଟ୍ରମ୍ପଙ୍କୁ ନିରସ୍ତ୍ର କରିଦବାକୁ ଆମେ ସକ୍ଷମ ହେବୁ ।
ଅତୀତକୁ ନଜର ଦେଲେ ଜଣାପଡ଼େ, ଆମେରିକାର ଜନତା ଦୂର ଦେଶରେ ଚାଲିଥିବା ଦୀର୍ଘ ମିଆଦର ଯୁଦ୍ଧକୁ ଆଦୌ ପସନ୍ଦ କରନ୍ତି ନାହିଁ । ଆମେରିକା ଏକ ସାମ୍ରାଜ୍ୟବାଦୀ ଶକ୍ତି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ତଥା ଅର୍ଥବ୍ୟବସ୍ଥାର ଦେଶ । ମିଥ୍ୟା ଆରୋପ ଲଗାଇ ଅନେକ ଦେଶକୁ ଆକ୍ରମଣ କରି ସେ ଦେଶକୁ ବିପର୍ଯ୍ୟସ୍ତ କରିଦବା ଏକ ବଦଅଭ୍ୟାସ ଆମେରିକାର । କୋରିଆରେ ୩ବର୍ଷ ଯୁଦ୍ଧ କରିବା ପରେ ନିଜ ତରଫରୁ ଆମେରିକା ଘୋଷଣା କଲା- ବହୁତ ହୋଇଗଲା । କୋରିଆ ଠାରୁ ଆମେରିକାର ଦୂରତା ପାଖାପାଖି ୧୦ହଜାର ୫ଶହ କି.ମି. । ସେହିପରି ଭିଏତନାମ ଯୁଦ୍ଧର ୯ବର୍ଷ ପରେ ଆମେରିକା ଯୁଦ୍ଧ ବନ୍ଦ ଘୋଷଣା କରି ଫେରିଆସିଲା । ଏହାର ଦୂରତା ଆମେରିକା ଠାରୁ ୧୨ହଜାର ୫ଶହରୁ ୧୪ହଜାର ୫ଶହ କିମି. । ସେହିପରି ଆଫଗାନିସ୍ତାନର ତାଲିବାନମାନଙ୍କ ସହିତ ଯୁଦ୍ଧ କଲା ୧୯ବର୍ଷ ୧୦ମାସ । ଶେଷରେ ସେଇ ତାଲିବାନ ହାତରେ ଆଫଗାନିସ୍ତାନକୁ ଅର୍ପଣ କରି ରାତାରାତି ପଳାୟନ କଲା ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସେଠାରେ କୁଢ଼ାଇ ଦେଇ । ସେଠାରୁ ଆମେରିକାର ଦୂରତା ୧୨ହଜାରରୁ ଊଦ୍ଧ୍ୱର୍ କିମି.। ଏବେ ପ୍ରସ୍ତୁତ ହେଉଛି ଇରାନ ଠାରୁ ଦେଢ଼/ଦୁଇ ମାସ ଯୁଦ୍ଧ କରି ପଳାଇବା ପାଇଁ । ଇରାନ ଠାରୁ ଦୂରତା ପାଖାପାଖି ୧୨ହଜାର କି.ମି. । ଏତେ ଦୂରରେ ସୈନ୍ୟବାହିନୀକୁ ପରିଚାଳନା କରିବା ଏତେ ସହଜସାଧ୍ୟ ନୁହେଁ ।
ଯେଉଁ ବିଶାଳ ସ୍ୱାର୍ଥ ତ୍ୟାଗ ଓ ବଳିଦାନ ଏଥିପାଇଁ ଆବଶ୍ୟକ ତାକୁ ହଜମ କରିବାର ଶକ୍ତି ଆମେରିକୀୟଙ୍କର ନାହିଁ । କେବଳ ଏତିକି ନୁହେଁ, ସେଥିପାଇଁ ରାଜନୈତିକ କ୍ଷେତ୍ରରେ ଶାସନ ପରିବର୍ତ୍ତନର ଏହା ସମ୍ଭାବନା ସୃଷ୍ଟି କରେ, ମୁଦ୍ରାସ୍ଫୀତି ବୃଦ୍ଧିପାଏ, ଅର୍ଥବ୍ୟବସ୍ଥା ଅସଜଡ଼ା ହୋଇଯାଏ । ସମଗ୍ର ବିଶ୍ୱରେ ଏହାର ପ୍ରଭାବ ଅନୁଭୂତ ହୁଏ । ଭିଏତନାମ ଯୁଦ୍ଧ ଯୋଗୁଁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିଣ୍ଡନ ବି. ଜନସନ୍ ଏତେ ପରିମାଣରେ ଲୋକପ୍ରିୟତା ହରାଇଲେ ଯେ ସେ ଦ୍ୱିତୀୟ ଥର ପାଇଁ ଯେତେ ଚାହିଁଲେ ରାଷ୍ଟ୍ରପତି ହେବାକୁ ନାମାଙ୍କନ ପତ୍ର ଦାଖଲ କରିବାକୁ ବି ସେ ସମର୍ଥନ ପାଇଲେନାହିଁ । ଅବଶ୍ୟ ଏ ଆଶା ଏବେ ଟ୍ରମ୍ପଙ୍କର ନାହିଁ । କାରଣ ତାଙ୍କ ବୟସ ୭୯ ହବାକୁ ଯାଉଛି । ତେଣେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବୟସ ୭୬ । ଏଇ ଦୁଇଜଣ ଷଡ଼ଯନ୍ତ୍ର କରି ଇରାନର ସର୍ବୋଚ୍ଚ ନେତା ୮୬ବର୍ଷୀୟ ଅଲି ଖାମେନେଇଙ୍କୁ ଜଘନ୍ୟ ଭାବରେ ବୋମା ପକାଇ ହତ୍ୟା କରିବା କେଉଁ ଗୋଟାଏ ବଡ଼ କଥା । ସେ ବା ଆଉ କେତେ ବର୍ଷ ବଞ୍ଚିଥାନ୍ତେ! କିନ୍ତୁ ଜେ.ଡି. ଭାନ୍ସ ଯେ କି ଆମେରିକାର ଉପରାଷ୍ଟ୍ରପତି ତାଙ୍କର ତ ଉଜ୍ଜ୍ୱଳ ଭବିଷ୍ୟତ ଅଛି । ନେତାନ୍ୟାହୁ ଓ ମୋସାଦ ଏଜେଣ୍ଟଙ୍କର ଷଡ଼ଯନ୍ତ୍ରର ବ୍ୟୂହ ଭିତରୁ ସେ ବି ବାହାରି ପାରୁନାହାଁନ୍ତି ।
ପ୍ରଥମ ଶାନ୍ତି କଥାବାର୍ତ୍ତାରେ ଅସଫଳ ହୋଇ ସେ ଫେରି ଯାଇଛନ୍ତି । ଯେଉଁ ଘଟଣାଗୁଡ଼ିକ ଘଟିଗଲା ଯୁଦ୍ଧର ଭୟଙ୍କର ପରିଣତିକୁ ନେଇ ତାହା ଟ୍ରମ୍ପଙ୍କର ଓ ଆମେରିକାର ଯୁଦ୍ଧ ପରିଚାଳନା କରୁଥିବା ସେନାବାହିନୀ ମୁଖ୍ୟଙ୍କର କଳ୍ପନା ଠାରୁ ଅନେକ ଦୂରରେ ଥିଲା । ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ଗଲ୍ଫ ରାଷ୍ଟ୍ରଗୁଡ଼ିକରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ଏକସଙ୍ଗରେ ଆକ୍ରମଣ କରି ସେଗୁଡ଼ିକୁ ଇରାନ ଧ୍ୱଂସ ସ୍ତୂପରେ ପରିଣତ କରିଦେଲା । ୟୁଏଇ ହେଉ ବା ସାଉଦି ଆରବ, ଇରାକ ହେଉ ବା କୁଏତ, କାତାର ହେଉ ବା ବାହାରିନ, ସବୁ ଜାଗାରେ ମୁତୟନ ଥିବା ଆମେରିକୀୟ ସୈନ୍ୟବାହିନୀ ଏବେ ଭୟରେ ହୋଟେଲମାନଙ୍କରେ ଲୁଚିଛନ୍ତି । ସେହିଗୁଡ଼ିକରେ ପାଖାପାଖି ୪୦ହଜାର ସୈନ୍ୟ ରହିଥିଲେ । ଆମେରିକା ସେଇ ଦେଶଗୁଡ଼ିକୁ ସୁରକ୍ଷା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲା ପେଟ୍ରୋ ଡଲାର ବିନିମୟରେ । ଏବେ ସେଇ ସୁରକ୍ଷାର ସ୍ୱପ୍ନକୁ ଇରାନ କେବଳ ଧୂଳିସାତ କରି ଦେଇନାହିଁ, ବରଂ ସେଗୁଡ଼ିକୁ ବ୍ୟବହାରଯୋଗ୍ୟ କରିବାପାଇଁ ଅନେକ ବର୍ଷ ଲାଗିଯିବାର ଆଶଙ୍କା ସୃଷ୍ଟି କରିଛି । ଏଠାରେ ଉଲ୍ଲେଖନୀୟ, ଫେବ୍ରୁଆରୀ ୨୮ ଇରାନକୁ ଆକ୍ରମଣ କରିବା ପୂର୍ବରୁ ସାଉଦି ଆରବ, ୟୁଏଇ ଆଦିରେ ଥିବା ଅତ୍ୟାଧୁନିକ ଆଣ୍ଟି ମିଜାଇଲ ସିଷ୍ଟମ- ଥାଡ୍ ଟର୍ମିନାଲ ହାଇ ଆଲଟିଚ୍ୟୁଡ ଏରିଆ ଡିଫେନ୍ସକୁ ଆମେରିକା ଉଠାଇନେଇ ଖଞ୍ଜିଥିଲା ଇସ୍ରାଏଲରେ, କାରଣ ଇରାନ ଯଦି ଆକ୍ରମଣ କରେ ଇସ୍ରାଏଲକୁ ସୁରକ୍ଷା ପ୍ରଦାନ କରାଯାଇ ପାରିବ । ସେତେବେଳେ ସେଇ ଗଲ୍ଫ ଦେଶଗୁଡ଼ିକ ଚିତ୍କାର କରି ଚାଲିଥିଲେ ଆମେରିକା ଆମକୁ ତ୍ୟାଗ କରି ଚାଲିଯାଉଛି । ମାତ୍ର ଆମେରିକା କର୍ଣ୍ଣପାତ କରିନଥିଲା । ସେଗୁଡ଼ିକର କ୍ଷମତା ଥିଲା ସର୍ଟ, ମିଡିୟମ, ଇଣ୍ଟରମିଡିଏଟ୍ ରେଞ୍ଜର ବାଲିଷ୍ଟିକ ମିଜାଇଲଗୁଡ଼ିକୁ ଇଣ୍ଟରସେପ୍ଟ କରି ଧ୍ୱଂସ କରିଦେବାର । ସେମାନେ ଏବେ ଆମେରିକାର ବିକଳ୍ପ ଖୋଜି ଚାଲିଛନ୍ତି ସୁରକ୍ଷା ପାଇଁ ।
ତେଣେ ଆମେରିକାରେ ପେଟ୍ରୋଲ ଦାମ୍ ୩୫%, ଡିଜେଲ ୨୫%, ଫସଲରେ ବ୍ୟବହୃତ ସାରର ଦାମ୍ ବୃଦ୍ଧିପାଇ କୃଷକଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି । ପେଟ୍ରୋ କେମିକାଲ୍ସ, ପ୍ଲାଷ୍ଟିକ୍ସ, ଫାଇବରସ୍ର ସେହିପରି ମୂଲ୍ୟ ବୃଦ୍ଧି ଘଟିଛି । ଫଳରେ ରିପବ୍ଲିକାନ ପାର୍ଟି ତଥା ଟ୍ରମ୍ପଙ୍କର ଲୋକପ୍ରିୟତା ହ୍ରାସ ଘଟିଛି । ଯୁଦ୍ଧଖୋର ଆମେରିକୀୟ ରାଷ୍ଟ୍ରପତିଙ୍କର ୪ବର୍ଷ ଶାସନ କାଳରେ ଶେଷ ଦୁଇ ବର୍ଷ ଅର୍ଥାତ୍ ମିଡ୍ ଟର୍ମ ପୋଲ ପରେ ପରେ ଶାସନ ଜାରି ରଖିବାରେ ବାଧା ଉପୁଜିଛି, ଏହା ଇତିହାସର ତଥ୍ୟ । ଏବେ ମାସାଧିକ କାଳ ଯୁଦ୍ଧ କରିବା ପରେ ଅନେକ ତୁଙ୍ଗ ନେତୃତ୍ୱଙ୍କୁ ହରାଇବା ପରେ ଇରାନର ମନୋବଳ ତଥା ତିଷ୍ଠିରହି ଆମେରିକାକୁ ଚାଲେଞ୍ଜ କରିବାର ଏପରି ଶକ୍ତି ଟ୍ରମ୍ପଙ୍କ ବାହାସ୍ଫୋଟକୁ ତାଚ୍ଛଲ୍ୟ ଯାହା କରିଛି । ଟ୍ରମ୍ପ ଭାବିଥିଲେ ଇରାନର ନେତାମାନଙ୍କୁ ମାରିଦେବା ପରେ ନ୍ୟୁକ୍ଲିଅର ଫେସିଲିଟି ଉପରେ ବୋମା ମାଡ଼ ପରେ, ମିଜାଇଲ ଓ ଏୟାର ଡିଫେନ୍ସକୁ ଧ୍ୱଂସ କରିଦବା ପରେ, ଇରାନର ଜନସାଧାରଣଙ୍କୁ ଶାସନ ପରିବର୍ତ୍ତନର ଆହ୍ୱାନ ଦବା ପରେ ଇରାନ କୋଲାପ୍ସ କରିଯିବ । ମାତ୍ର ଏହା ଯେ ଇରାନୀଙ୍କ ଇଚ୍ଛାଶକ୍ତିର କ୍ରୁର ବୃଦ୍ଧି ଘଟାଇବ, ତାର ଆଇଆରଜିସି ଓ ଏକ୍ସିମ୍ ଅଫ୍ ରେଜିଷ୍ଟାନ୍ସ ଆହୁରି ଶକ୍ତିଶାଳୀ ହୋଇ ଟ୍ରମ୍ପଙ୍କ ନୌବାହିନୀକୁ ଧ୍ୱଂସ କରିଦବାକୁ ଚାଲେଞ୍ଜ କରିବ ସେ କଳ୍ପନା ବି କରିନଥିଲେ । ଇରାନର ଶସ୍ତା ଡ୍ରୋନକୁ ଧ୍ୱଂସ କରିବା ପାଇଁ ନିୟୁତ ନିୟୁତ ଡଲାରର ଇଣ୍ଟରସେପ୍ଟର ଓ ଏୟାର ଡିଫେନ୍ସ ସିଷ୍ଟମ ବ୍ୟବହୃତ ହୋଇ ଏଯାବତ୍ ୩୦ ବିଲିଅନ ଡଲାରରୁ ଊଦ୍ଧ୍ୱର୍ କ୍ଷତି ପହଞ୍ଚାଇଲାଣି ଆମେରିକାକୁ ।
ପୁଣି ହୋର୍ମୁଜ ଷ୍ଟ୍ରେଟ୍ ଯେଉଁ ଜଳପଥ ଦେଇ ବିଶ୍ୱର ଏକ-ପଞ୍ଚମାଂଶ ତୈଳ କାରବାର ହୁଏ, ତାକୁ ଇରାନ ନିଜ ନିୟନ୍ତ୍ରଣକୁ ନେଇ ବ୍ୟାରଲ ପିଛା ଏକ ଡଲାର ଲେଭି ଆଦାୟର ଧମକ ଦେବ ଏହା ସେ ଭାବିନଥିଲେ । ଯେଉଁ ଶାନ୍ତି ଆଲୋଚନା ଚାଲିଛି ତାର ସର୍ତ୍ତ ଇରାନ ଜାହିର କରିଛି ଆମେରିକା ଉପରେ- ଯୁଦ୍ଧର କ୍ଷତିପୂରଣ ଦାବି, ନିଜର ଏନରିଚ୍ଡ ୟୁରାନିୟମ ଉପରେ ନିଜର ନିୟନ୍ତ୍ରଣ, ଭବିଷ୍ୟତରେ ଆଉ ଯୁଦ୍ଧ କରିବାର ନିର୍ଭର ସ୍ଥାୟୀ ପ୍ରତିଶ୍ରୁତି, ତଥା ହୋର୍ମୁଜ ଷ୍ଟ୍ରେଟ୍ ଉପରେ ନିଜର ସାର୍ବଭୌମତ୍ୱକୁ ସ୍ୱୀକାର କରିବା ହେଉଛି ଇରାନର ପ୍ରମୁଖ ସର୍ତ୍ତ । ଏଥିରେ ଆମେରିକା ଯେ ରାଜି ହେବ ତାହା କହିବା ଅସମ୍ଭବ । କିନ୍ତୁ ଟ୍ରମ୍ପ କୌଣସି ମତେ ଯୁଦ୍ଧ ବନ୍ଦ କରିବେ କିପରି? ଏହି ଆଲୋଚନା କେଉଁ ଦିଗକୁ ଯିବ କହିବା ମୁସ୍କିଲ । ପୁଣି ଇରାନ ଦାବି କରିଛି ଏହି ଶାନ୍ତି ଆଲୋଚନାରେ ଯେପରି ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ନକରେ ଦାବି ପ୍ରାଥମିକତା ପାଇବ । ଟ୍ରମ୍ପ ମଧ୍ୟସ୍ଥତା କରି ଲେବାନନ ଉପରେ ଇସ୍ରାଏଲର ୧୦ ଦିନିଆ ଯୁଦ୍ଧବିରତି ଘୋଷଣା କରାଇଛନ୍ତି ।
କିନ୍ତୁ ନିଜର? ଏ ଭିତରେ ଗୋଟିଏ ଗୋପନ ଷଡ଼ଯନ୍ତ୍ର ବାହାରକୁ ଆସିଛି । ପ୍ରଥମ ଶାନ୍ତି ଆଲୋଚନା ପାଇଁ ଇରାନର ନେତାମାନେ ଯାଇ ପାକିସ୍ତାନରେ ପହଞ୍ଚିଥିଲେ, ତାହା ବିଫଳ ହେବା ଯୋଗୁଁ ଇରାନର ନେତାମାନେ ଆସୁଥିବା ଫ୍ଲାଇଟକୁ ଟାର୍ଗେଟ କରି ଉଡ଼ାଇ ଦବାର ଷଡ଼ଯନ୍ତ୍ର ରଚନା କରାଯାଇଥିଲା । ତେଣୁ ସେମାନେ ରୁଟ୍ ବଦଳାଇ ଅନ୍ୟ ଏକ ନିଜ ଦେଶର ଏୟାରପୋର୍ଟରେ ଓହ୍ଲାଇ ରୋଡ୍ରେ ଆସିଥିଲେ ରାଜଧାନୀ ତେହେରାନକୁ । ଏହା ଯଦି ସତ୍ୟ ହୋଇଥାଏ ତାହେଲେ ସହଜରେ ଅନୁମେୟ, ଶାନ୍ତି ଆଲୋଚନାର ପଥ କେତେ ଅଗମ୍ୟ ଓ ଭୀତିପ୍ରଦ ।