ନୂଆଦିଲ୍ଲୀ, ୦୫/୦୨ : ୱାଶିଂଟନ ପୋଷ୍ଟରେ ବଡ଼ ଛଟେଇ। କର୍ମଚାରୀଙ୍କୁ ଝଟକା। ଏଥିରୁ ବର୍ତ୍ତିଲେନି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୁଅ। ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ନିୟନ୍ତ୍ରଣରେ ଥିବା ପ୍ରତିଷ୍ଠିତ ଖବରକାଗଜ ଓ୍ୱାଶିଂଟନ୍ ପୋଷ୍ଟ୍ ଏକ ତୃତୀୟାଂଶ କର୍ମଚାରୀଙ୍କୁ ଛଟେଇ କରିଛି। ସେମାନଙ୍କ ମଧ୍ୟରେ ଶଶି ଥରୁରଙ୍କ ପୁଅ ଇଶାନ ଥରୁର ରହିଛନ୍ତି। ଚାକିରିରୁ ବରଖାସ୍ତ ଏବଂ ଅଚାନକ କାର୍ଯ୍ୟକାଳ ସମାପ୍ତକୁ ନେଇ ଇଶାନ ଭାବୁକ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକତା ପାଇଁ ଏହା ବଡ଼ ଦୁଃଖର ଦିନ ବୋଲି ଇଶାନ କହିଛନ୍ତି।
ଇଶାନ ଲେଖିଛନ୍ତି ଯେ, "ଏହା ତାଙ୍କ ହୃଦୟକୁ ଭାଙ୍ଗି ଦେଇଛି । ତାଙ୍କୁ ଚାକିରିରୁ କାଢି ଦିଆଯାଇଛି । ଆହୁରି ବହୁତ ଭଲ କର୍ମଚାରୀଙ୍କୁ ବିଦା ହେବାକୁ ପଡିଛି । ଅନେକ ଅନ୍ତର୍ଜାତୀୟ ସ୍ତମ୍ବ ଲେଖୁଥିବା ସାମ୍ବାଦିକ ଆଉ କାର୍ଯ୍ୟାଳୟରେ ନାହାଁନ୍ତି । ୧୨ ବର୍ଷ ହେଲା ଅନେକ ସମ୍ପାଦକଙ୍କ ସହ ସେ କାମ କରିଛନ୍ତି । ସେମାନେ ମଧ୍ୟ ଆଉ ଚାକିରିରେ ନାହାଁନ୍ତି । ୨୦୧୭ ମସିହା ଜାନୁଆରୀ ମାସରୁ ସେ ଅନ୍ତର୍ଜାତୀୟ ପୃଷ୍ଠାରେ କାର୍ଯ୍ୟ କରୁଥିଲେ । ଯାହା ତାଙ୍କୁ ଆମେରିକାକୁ ଭଲଭାବେ ବୁଝିବାରେ ସାହାଯ୍ୟ କରିଥିଲା । ଏଥିପାଇଁ ସେ ଲକ୍ଷ ଲକ୍ଷ ପାଠକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।" ତେବେ ଇଶାନ ନ୍ୟୁଜରୁମ୍ ର ଆଉ ଏକ ଫଟୋ ପୋଷ୍ଟ କରି 'ଏକ ଖରାପ ଦିନ' ବୋଲି ଲେଖିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଘାତକ ହେଉଛି ଅନ୍ଲାଇନ୍ ଗେମ୍ ନିଶା, ମାନସିକ ସ୍ୱାସ୍ଥ୍ୟକୁ କରୁଛି ବିକାର
ୱାଶିଂଟନ୍ ପୋଷ୍ଟ ବିଶ୍ୱର ଅନେକ ସ୍ଥାନରେ ଥିବା ଏହାର ବ୍ୟୁରୋକୁ ବନ୍ଦ କରିବା ସହ ଅନେକ ପ୍ରକାଶନକୁ ବନ୍ଦ କରିଦେଇଛି। ୮୦୦ରୁ ଅଧିକ ସାମ୍ବାଦିକଙ୍କୁ ଚାକିରିରୁ ବିଦା ହେବାକୁ ପଡିଛି। ଖବରକାଗଜ ତାର ଖେଳ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛି। ଏହା ସହ ବହୁ ବିଦେଶୀ ବ୍ୟୁରୋ ଏବଂ ବୁକ୍ କଭରେଜ୍ ସେକ୍ସନ ମଧ୍ୟ ବନ୍ଦ କରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ମଧ୍ୟପ୍ରାଚ୍ୟରେ ନିୟୋଜିତ ଥିବା ସମ୍ପୂର୍ଣ୍ଣ ରିପୋଟିଂ ଟିମ୍ ଏବଂ ସମ୍ପାଦକଙ୍କୁ ଚାକିରିରୁ ବିଦା କରାଯାଇଛି। ଏନେଇ ସମ୍ପାଦକ ମ୍ୟାଟ୍ ମୁରେ କହିଛନ୍ତି ଯେ, ନିଷ୍ପତ୍ତି କଷ୍ଟଦାୟକ କିନ୍ତୁ ଦରକାରୀ । ନୂଆ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି ।