ଭୁବନେଶ୍ୱର,୧୮/୦୩:  ସାମାନ୍ୟ କମିଲା ସୋମବାର ।  ବୁଧବାରଠାରୁ ଆହୁରି କମିବ । ବଢ଼ିବ  କାଳବୈଶାଖୀ । ଆଣିବ ତାତିରୁ ଆଶ୍ୱସ୍ତି । ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ  ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ । 

ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ  ପ୍ରକୋପ ହାଲୁକା କମିଛି ବିଭିନ୍ନ  ସ୍ଥାନରେ । ମାତ୍ର ବୌଦ୍ଧ ବି  ସବୁଠୁ ଉତ୍ତପ୍ତ ଥିଲା, ୪୩.୫  ଡିଗ୍ରୀ ସେଲସିୟସ୍‌ ତାଉରେ ।  ବରଗଡ଼ ୪୨, ଅନୁଗୁଳ ୪୦.୭,  ମାଲକାନଗିରି ୪୦.୨ ଡିଗ୍ରୀ ତାତିରେ  ଛଟପଟ ହୋଇଥିଲା । ଏହି ୪ ସହର ସମେତ ରାଜ୍ୟର ୧୩ଟି ସହରରେ  ପାରଦ ୩୯ ଡିଗ୍ରୀ ଉପରେ ଥିଲା । 

ଭୁବନେଶ୍ୱର ପାଣିପାଗ କେନ୍ଦ୍ର  ନିର୍ଦ୍ଦେଶିକା ମନୋରମା ମହାନ୍ତି  କହିଛନ୍ତି, ୧୯ ତାରିଖରୁ କାଳବୈଶାଖୀ  ପ୍ରଭାବ କ୍ରମଶଃ ବଢ଼ିବ । ରାଜ୍ୟରେ  କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା  ୩ରୁ ୫ ଡିଗ୍ରୀ କମିପାରେ । ତେବେ  ମଙ୍ଗଳବାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ  ପ୍ରକୋପ ରହିପାରେ । 

ପାଣିପାଗ ପୂର୍ବାନୁମାନ ହେଲା,  ମଙ୍ଗଳବାର ଝାରସୁଗୁଡ଼ା ଓ ବୌଦ୍ଧରେ  ଗ୍ରୀଷ୍ମ ଲହରୀ ଜାରି ରହିବ । ଏଥିପାଇଁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଓ  କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ନେଇ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବୁଧବାର  କେବଳ ବୌଦ୍ଧ ଓ ଝାରସୁଗୁଡ଼ାରେ  ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ ।  

ଅନୁମାନ କରାଯାଉଛି, ମଙ୍ଗଳବାର  କେନ୍ଦୁଝର, ମୟୂରଭଞ୍ଜରେ ଘଡ଼ଘଡ଼ି  ସହ ହାଲୁକା ବର୍ଷା ହୋଇପାରେ ।  ବୁଧବାର ସୁନ୍ଦରଗଡ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, ଢେଙ୍କାନାଳରେ ହାଲୁକାରୁ ମଧ୍ୟମ  ବର୍ଷା ସହ କିଛି ଜାଗାରେ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା  ଅଛି । 

ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ,  କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ  ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ୪୦ରୁ ୫୦  କିମି ବେଗରେ ପବନ ଏବଂ ଧୂଳିଝଡ଼ ଆଶଙ୍କା  ଅଛି । ୧୧ ଜିଲ୍ଲାରେ ଘଡ଼ଘଡ଼ି ନେଇ ସତର୍କ ସୂଚନା  ଜାରି ହୋଇଛି । ଶୁକ୍ରବାର କାଳବୈଶାଖୀ ଆହୁରି  ବଢ଼ିବ । ଉତ୍ତର, ଉପକୂଳ ସହ ପଶ୍ଚିମରେ ବି  ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ପବନ ବେଗ ୫୦-୬୦ କିମି ରହିପାରେ । 

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ସୋମବାର  ଖୋର୍ଦ୍ଧା, ସୋନପୁର, ବଲାଙ୍ଗିର, ଭବାନୀପାଟଣା,  ତାଳଚେର, ହୀରାକୁଦ, ସୁନ୍ଦରଗଡ଼, ସମ୍ବଲପୁର,  ଝାରସୁଗୁଡ଼ାରେ ପାରଦ ୩୯ ଡିଗ୍ରୀ ପାର୍‌ କରିଥିଲା