ଭୁବନେଶ୍ୱର ୦୫/୦୯: ରାଜ୍ୟରେ ବର୍ତ୍ତମାନ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ ରହିଛି । ପ୍ରବଳ ବର୍ଷାର ସମ୍ଭାବନା ନାହିଁ । ତଥାପି ପ୍ରତିଦିନ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପାଣିପାଗ ବିଭାଗର ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନ ଅନୁସାରେ ଆସନ୍ତା ୮ ତାରିଖବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ନେଇ ଏବେଠାରୁ କୌଣସି ଆକଳନ କରାଯାଇନି ।
ଭୁବନେଶ୍ୱର ପାଣିପାଗ ବିଭାଗର ଆକଳନ ହେଲା, ଉତ୍ତର ଛତିଶଗଡ଼ ଓ ପାଶ୍ୱର୍ବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଥିବା ଲଘୁଚାପ ଆଗାମୀ ୨୪ ଘଣ୍ଟା ଭିତରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୂର୍ବ ମଧ୍ୟପ୍ରଦେଶକୁ ମୁହାଁଇବ । ଏକ ମୌସୁମୀ ଟ୍ରଫ ମଧ୍ୟ ଓଡ଼ିଶା ଉପର ଦେଇଯାଇଛି । ଏହାର ପ୍ରଭାବରେ ଶୁକ୍ରବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଶନିବାରଠାରୁ ବର୍ଷା ଅଳ୍ପ କିଛି ସ୍ଥାନରେ ହେବା ସମ୍ଭାବନା ଅଛି । ଗୁରୁବାର ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଜଳ ସମ୍ପଦ ବିଭାଗରୁ ଜଣାପଡ଼ିଛି, ଗତ ୨୪ ଘଣ୍ଟାରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ୧୦ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୯୭ ହଜାର ଘନଫୁଟ ପାଣି ନିଷ୍କାସିତ ହେଉଛି । ବୈତରଣୀ ଜଳସ୍ତର ଆଖୁଆପଦାରେ ବିପଦ ସଙ୍କେତ ଉପରେ ଥିଲା ।