ଭୁବନେଶ୍ୱର ୨୭/୦୭: ବର୍ଷା ପ୍ରକୋପ କମିଛି । ଏବେ  ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ ।  ରବିବାରଠାରୁ ବର୍ଷା ପରିମାଣ  କମିବ । ସୋମବାର ଆହୁରି  କମିପାରେ । ଏଭଳି ପୂର୍ବାନୁମାନ  ଦେଖାଇଛି ପାଣିପାଗ ବିଭାଗ । 

ଅବପାତ ଉତ୍ତର ଛତିଶଗଡ଼  ଓ ପାଶ୍ୱର୍ବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ  ଉପରେ ଥିଲା । ଏହା ପଶ୍ଚିମ  ଦିଗରେ ଗତି କରିବ । ସାମାନ୍ୟ  ଦୁର୍ବଳ ହୋଇ ରବିବାର ସକାଳକୁ  ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାରେ  ମଧ୍ୟପ୍ରଦେଶ ଉପରେ ଥିବ ।  ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ବର୍ଷା  ନାହିଁ । 

ରବିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ  ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ  ଧରଣର ବର୍ଷା ହୋଇପାରେ । ଦକ୍ଷିଣ  ଓଡ଼ିଶାର ଅଳ୍ପ କିଛି ଜାଗାରେ ବର୍ଷା  ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,  ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର ଓ ମୟୂରଭଞ୍ଜରେ  ଘଡ଼ଘଡ଼ି ସହ ପବନ ହୋଇପାରେ ।  

ସୋମବାର (୨୮ ତାରିଖ)ଠାରୁ  ବର୍ଷା ଅଳ୍ପ କିଛି ଅଞ୍ଚଳରେ ହେବ ।  ୨୯ରେ ଉତ୍ତର ଓଡ଼ିଶାର ଅନେକ  ସ୍ଥାନରେ ବର୍ଷା ହୋଇପାରେ । ୩୦  ଓ ୩୧ ତାରିଖରେ ରାଜ୍ୟର ଅନେକ  ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  ୩୧ରେ ଗୋଟିଏ ଦୁଇଟି ସ୍ଥାନରେ  ପ୍ରବଳ ବର୍ଷା ହୋଇପାରେ। ଅଗଷ୍ଟ  ପହିଲାରେ ବର୍ଷା ଆହୁରି କମିଯିବ ।

ଗତ ୨୪ ଘଣ୍ଟା ଭିତରେ  ବୈତରଣୀ ଅବବାହିକାର ଚମ୍ପୁଆରେ  ୯୭ ମିଲିମିଟର, ଝୁମ୍ପୁରାରେ  ୭୧.୮, କରଞ୍ଜିଆରେ ୯୨.୩, ଯଶିପୁରରେ ୫୮.୨, କପ୍ତିପଦାରେ  ୧୧୭, ସ୍ୱାମପାଟଣାରେ ୭୬.୪,  ଶୁକ୍ରୁଳିରେ ୧୧୨, ରାଁରୁଆରେ  ୧୨୦ ମିମି ବର୍ଷା ହୋଇଛି ।  ସୁବର୍ଣ୍ଣରେଖା ଅବବାହିକାର  ଘାଟଶିଳାରେ ୧୨୦ ମିମି, ତିରିଂରେ  ୧୨୧, ରାଇରଙ୍ଗପୁରରେ ୧୦୦.୮,  କୁସୁମିରେ ୧୩୧, ଜାମଦାରେ ୧୫୮, ବହଳଦାରେ ୧୭୩  ମିମି ବର୍ଷା ସକାଳ ୮ଟା ୩୦  ସୁଦ୍ଧା ହୋଇଥିଲା । ବୁଢ଼ାବଳଙ୍ଗ  ଅବବାହିକାର ବାରିପଦାରେ ୧୬୩, ମୋରଡ଼ାରେ ୧୮୨, ଶ୍ୟାମଖୁଣ୍ଟାରେ  ୧୦୦ ମିମି ବର୍ଷା ହୋଇଛି । ମହାନଦୀ  ତଳମୁଣ୍ଡରେ ଝାରବନ୍ଧରେ ୧୦୨  ମିମି ଓ ବଲାଙ୍ଗିରରେ ୬୩ ମିମି  ବର୍ଷା ହୋଇଥିଲା । ଆଜି ଦିନରେ  ବଡ଼ ବର୍ଷା ବିଶେଷ ହୋଇନାହିଁ ।