ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Published By : Prameya | June 30, 2025 7:23 AM

ଭୁବନେଶ୍ୱର ୩୦/୦୬: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସକ୍ରିୟ । ଏହାର ପ୍ରଭାବରେ ସୋମବାର ବାଲେଶ୍ୱର ଓ ମୟୂରଭଞ୍ଜ ସମେତ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ତେଣୁ ଏହି ଦୁଇ ଜିଲ୍ଲାକୁ ବନ୍ୟା ଚିନ୍ତା ଘାରିଲାଣି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ  ଉପକୂଳରେ ରବିବାର ଅପରାହ୍ନରେ  ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା  ଦୁଇ ଦିନରେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ  ହୋଇ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ  ଗତି କରିବ । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  ୩୦ ତାରିଖ(ସୋମବାର)ରୁ ୫  ତାରିଖ ଯାଏ) ରାଜ୍ୟର ବହୁ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି । 

ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ସୋମବାର ଜିଲ୍ଲାର ସବୁ ସ୍କୁଲ  ଛୁଟି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ସେହିଭଳି ବରଗଡ଼, ବଲାଙ୍ଗୀର, ସୋନପୁର,  ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର କିଛି  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । 

୧ ତାରିଖ (ମଙ୍ଗଳବାର) ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର କିଛି ସ୍ଥାନରେ ପ୍ରବଳରୁ  ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ୨ ତାରିଖରେ ପଶ୍ଚିମ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା ଅଛି । ୩, ୪ ଓ ୫ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶା  ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଶନିବାରଠାରୁ ନେଇ ରବିବାର ଭିତରେ ମୟୂରଭଞ୍ଜ ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । ମୟୂରଭଞ୍ଜ ଚାନ୍ଦୁଆରେ  ୩୨୦ମିମି ବର୍ଷା ହୋଇଛି । ଶୁଳିଆପଦାରେ  ୨୫୦ମିମି, ସାରସକଣାରେ ୨୪୯ମିମି,  ବାଙ୍ଗିରିପୋଷିରେ ୧୯୮, ସାମଖୁଣ୍ଟାରେ ୧୮୦ମିମି, ଉଦଳାରେ ୧୦୭, ବିଜାତଳାରେ ୧୦୫, କୁସୁମିରେ ୯୬ମିମି ବର୍ଷା ହୋଇଛି । ବାଲେଶ୍ୱର ଜଳେଶ୍ୱରରେ ୧୪୭ ମିମି, ଖଇରାରେ ୧୨୨, ଔପଦାରେ ୧୧୪,  ସୋନପୁରରେ ୧୧୫ ମିମି ବର୍ଷା ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.